ଗୁଜରାଟ-କୋଲକାତା ଜବରଦସ୍ତ ଟକ୍କର, ଇଡେନରେ ବର୍ଷିବ ଛକା ଓ ଚଉକା

Published By : Prameya-News7 Bureau | April 21, 2025 IST

କୋଲକାତା, ୨୧/୦୪:  ଆଇପିଏଲ୍‌ର ୩୯ତମ ଲିଗ୍‌ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ୍‌  କୋଲକାତା ନାଇଟ୍‌ ରାଇଡର୍ସ ଓ ଟେବୁଲ ଟପ୍ପର ଗୁଜରାଟ ଟାଇଟନ୍ସ ସାମ୍ନାସାମ୍ନି ହେବେ । ଅଜିଙ୍କ୍ୟ ରାହାଣେଙ୍କ ନାଇଟ୍‌  ରାଇଡର୍ସ ତା’ର ଘରୋଇ ଗ୍ରାଉଣ୍ଡ ଇଡେନ୍‌  ଗାର୍ଡେନ୍ସରେ ବିଜୟକୁ ଫେରିବା ଲକ୍ଷ୍ୟରେ  ରହିଛି । ଅନ୍ୟ ପଟରେ ଶୁଭମନ ଗିଲଙ୍କ  ଟାଇଟନ୍ସ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନକୁ  ଦୃଢ଼ କରିବା ପାଇଁ ସବୁ ଶକ୍ତି ଖଟାଇବ । ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା  ଆଶା କରାଯାଉଛି । 

ନାଇଟ୍‌ ରାଇଡର୍ସ ୭ଟି ମ୍ୟାଚ୍‌ରୁ  ୩ଟିରେ ବିଜୟ ସହ ମୋଟ ୬ପଏଣ୍ଟ ପାଇଛି । ଦଳ ଘରୋଇ ଗ୍ରାଉଣ୍ଡରେ ୩ଟି  ମ୍ୟାଚ୍‌ ଖେଳି ୨ଟି ହାରିସାରିଛି । ଗତ ୧୫ ତାରିଖରେ ଦଳ ଘରୋଇ ପଞ୍ଜାବ କିଙ୍ଗ୍‌ସକୁ  ଭେଟିଥିଲା ଏବଂ ୧୬ରନ୍‌ରେ ପରାଜିତ ହୋଇଥିଲା । ଦଳ ୧୧୨ରନ୍‌ ବିଜୟ ଲକ୍ଷ୍ୟର  ପିଛା କରି ମାତ୍ର ୯୫ରନ୍‌ରେ ଅଲଆଉଟ୍‌  ହୋଇଯାଇଥିଲା । ସିଜନରେ ଅଧା ମ୍ୟାଚ୍‌  ଶେଷ ହୋଇସାରିଥିବାରୁ ଦଳ ପାଇଁ  ବିଜୟ ଜରୁରୀ ହୋଇ ପଡ଼ିଛି । ଅନ୍ୟ ପଟରେ ଟାଇଟନ୍ସ ୭ଟିରୁ ୫ଟି ମ୍ୟାଚ୍‌ ଜିତି  ୧୦ପଏଣ୍ଟ ସହ ଶୀର୍ଷରେ ରହିଛି । ଦଳ ଆଉ ୨ପଏଣ୍ଟ ହାତେଇବାକୁ ପ୍ରୟାସ କରିବ । 

ପୂର୍ବରୁ ଉଭୟ ଦଳ ମଧ୍ୟରେ ୪ଟି ମ୍ୟାଚ୍‌  ଖେଳାଯାଇଛି । ଟାଇଟନ୍ସ ୨ଟି ଓ ନାଇଟ୍‌  ରାଇଡର୍ସ ଗୋଟିଏ ଜିତିଥିବାବେଳେ ଗୋଟିଏ  ବିନା ଫଳାଫଳରେ ଶେଷ ହୋଇଛି । ତେଣୁ  ଆଜିର ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା ମୁସ୍କିଲ । ଉଭୟ ଦଳରେ ଏକାଧିକ  ଷ୍ଟାର୍‌ ବ୍ୟାଟର ଓ ସ୍ପିନର ରହିଛନ୍ତି । ନାଇଟ୍‌  ରାଇଡର୍ସ ପେସ୍‌ ବୋଲର ଆନରିଚ ନର୍ଜଙ୍କ  ସ୍ଥାନରେ ମୋଇନ୍‌ ଅଲିଙ୍କୁ ଏକାଦଶରେ  ସାମିଲ କରିବା ସମ୍ଭାବନା ରହିଛି । ଟାଇଟନ୍ସ ଦଳ ଅପରିବର୍ତ୍ତିତ ରହିବା ଏକ ପ୍ରକାର  ନିଶ୍ଚିତ । ଆଜି ଘରୋଇ ଦଳର  ତାରକା ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବଂ ଟାଇଟନ୍ସ ବ୍ୟାଟର ଜୋସ ବଟଲରଙ୍କ ଉପରେ  ସମସ୍ତଙ୍କ ନଜର ରହିବ । ବଟଲର ଗତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଅପରାଜିତ ୯୭ରନ୍‌ର ଧୂଆଁଧାର ଇନିଂସ୍‌ ଖେଳି ଦଳକୁ  ଜିତାଇଥିଲେ । 

ଇଡେନ୍‌ ଗାର୍ଡେନ୍ସ ପିଚ୍‌ ଉଭୟ ବ୍ୟାଟର  ଓ ବୋଲରଙ୍କ ପାଇଁ ଅନୁକୂଳ । ଚଳିତ ସିଜନରେ ଏଠାରେ ପୂର୍ବରୁ ୩ଟି ମ୍ୟାଚ୍‌  ଖେଳାଯାଇଛି ଏବଂ ଟସ୍‌ ବିଜୟୀ ଦଳ ଫିଲ୍ଡିଂ  ନିଷ୍ପତ୍ତି ନେଇଛନ୍ତି । ଆଜି ମଧ୍ୟ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନେବା ଆଶା କରାଯାଉଛି ।

-:ସମ୍ଭାବ୍ୟ ଦ୍ୱାଦଶ:-

ନାଇଟ୍‌ ରାଇଡର୍ସ: ସୁନିଲ ନାରାଏନ,  କ୍ୱିଣ୍ଟନ ଡି’କକ୍‌, ଅଜିଙ୍କ୍ୟ ରାହାଣେ  (ଅଧିନାୟକ), ଭେଙ୍କଟେଶ ଆୟର,  ଅଙ୍ଗକ୍ରିଶ ରଘୁବଂଶୀ, ରିଙ୍କୁ ସିଂହ, ଆନ୍ଦ୍ରେ  ରସେଲ, ରମଣଦୀପ ସିଂହ, ହର୍ଷିତ ରାଣା,  ମୋଇନ୍‌ ଅଲି/ଆନରିଚ ନର୍ଜ, ବୈଭବ  ଆରୋରା, ବରୁଣ ଚକ୍ରବର୍ତ୍ତୀ । 

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ  (ଅଧିନାୟକ), ବି ସାଇ ସୁଦର୍ଶନ, ଜୋସ  ବଟଲର, ସେରଫାନ୍‌ ରଦରଫୋର୍ଡ,  ଶାହରୁଖ ଖାନ, ରାହୁଲ ତେୱାତିଆ,  ରସିଦ ଖାନ, ଅର୍ଶଦ ଖାନ, ସାଇ  କିଶୋର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା,  ଈଶାନ୍ତ ଶର୍ମା/ୱାସିଂଟନ ସୁନ୍ଦର/କୁଲୱନ୍ତ ଖେଜ୍ରୋଲିଆ ।

  • IPL 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.