କୁଣ୍ଢେଇଗୋଳା ପୋଲିସ ନାଁରେ ସଙ୍ଗୀନ ଅଭିଯୋଗ, ମାଡ଼ ମାରି ନେଇଗଲେ ଟଙ୍କା

Published By : Prameya-News7 Bureau | July 23, 2024 IST

ଦେବଗଡ଼ : ବଗିଚାରେ ଭୋଜି କରୁଥିବା ବେଳେ ପୋଲିସ ମାଡପିଟ କରିବା ସହ ଜୋରଜବରଦସ୍ତି ଟଙ୍କା ନେଇଥିବା ଅଭିଯୋଗ । ଏଭଳି ଏକ ଅଭିଯୋଗ ଆସିଛି   ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ପୋଲିସ ବିରୋଧରେ। ଅଭିଯୋଗ କରିଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ କୁଞ୍ଜାମରା   ଗ୍ରାମର ବୈକୁଣ୍ଠ ନାଏକ। ଏନେଇ ମଙ୍ଗଳବାର ବୈକୁଣ୍ଠ ଦେବଗଡ ଏସପି ଅନୁପମା ଜେମସଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। 

ବୈକୁଣ୍ଠ ଙ୍କ ଅଭିଯୋଗ ଅନୁଯାୟୀ ଗତ ୧୯ତାରିଖ ଶୁକ୍ରବାର ଦିନ ସେ ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତୁଟାବାରୀ ଗ୍ରାମରେ ଥିବା  ତାଙ୍କ ସମ୍ପର୍କୀୟ ଶଳା ଘରକୁ ଆସିଥିଲେ। ସେଠାରେ ସେ ଓ ଅନ୍ୟ ଚାରିଜଣ ମିଶି ଶଳାଙ୍କ  ପୋଟଳ ବଗିଚାରେ ଭୋଜି କରୁଥିଲେ। ଦିନ ପ୍ରାୟ ଦୁଇଟା ସମୟରେ କୁଣ୍ଢେଇଗୋଳା ଥାନାରୁ ପାଞ୍ଚ ଛଅ ଜଣ ପୋଲିସ କର୍ମଚାରୀ ଯାଇ ସେମାନଙ୍କୁ ପିଟାମରା କରିବା ସହ ଦୁଇ ଜଣଙ୍କୁ ଥାନାକୁ ନେଇଯାଇଥିଲେ । ଥାନାରେ ପିଟାମରା କରିବା ପରେ ଗଞ୍ଜେଇ କେଶରେ ଭର୍ତ୍ତି କରିବା ପାଇଁ ଧମକ ଦେବା ସହ ଛାଡିବା ପାଇଁ ଦୁଇ ଲକ୍ଷ ଟଙ୍କା ଦାବୀ କରିଥିଲେ। 

ମାଡ ଭୟରେ ଉଭୟ ପଚାଶ ହଜାର ଟଙ୍କା ଦେବାକୁ ରାଜି ହୋଇଥିବା ବେଳେ  ବୈକୁଣ୍ଠ ଙ୍କ ଫୋନ ପେ ନଂ 8457919588 ରୁ ଅନ୍ୟ ଏକ ଫୋନ ପେ ନମ୍ବର 8280935868 କୁ ତିରିଶି ହଜାର ଟଙ୍କା ନେଇଥିଲେ। ଥାନାକୁ ଆସିଥିବା ବୈକୁଣ୍ଠଙ୍କ ସାନ ଭାଇ ଦୁର୍ଜନ ନାଏକ ଙ୍କ ଫୋନ ପେ ନମ୍ବର 7608981620 ରୁ ସମାନ ନମ୍ବର କୁ ଦଶ ହଜାର ଟଙ୍କା ନେଇଥିଲେ। ସେହିପରି ଭୋଜି ସ୍ଥାନରେ ଥିବା ଅଙ୍ଗାବୀରା ଗ୍ରାମ ର ରମେଶ ନାଏକ ଙ୍କ ବାପା ପ୍ରଭାକର ନାଏକ ଙ୍କ ଠାରୁ ନଗଦ ଦଶ ହଜାର ଟଙ୍କା ପୋଲିସ ନେଇଥିବା ସେମାନେ ଅଭିଯୋଗ କରିଛନ୍ତି। 

ସେହିପରି ବୈକୁଣ୍ଠଙ୍କ ମନିପର୍ସରେ ଥିବା ୨୩ ହଜାର ଟଙ୍କା,  ଡ୍ରାଇଭିଙ୍ଗ ଲାଇସେନ୍ସ, ଆଧାର କାର୍ଡ, ଭୋଟର କାର୍ଡ, ରମେଶ ଙ୍କ ମୋବାଇଲ ଫୋନ ମଧ୍ୟ କୁଣ୍ଢେଇଗୋଳା ଥାନା ପୋଲିସ ନେଇ ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ବୈକୁଣ୍ଠଙ୍କୁ ପ୍ରବଳ ମାଡ ମରାଯାଇଥିବା ବେଳେ ସେ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ମଙ୍ଗଳବାର ଦେବଗଡ ଆସି ଏସପି ଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଟଙ୍କା ପଠାଯାଇଥିବା ଫୋନ ନମ୍ବରଟି  ଅଂଶୁମାନ ବେହେରା ଓରଫ ରମେଶ ଚନ୍ଦ୍ର ବେହେରାଙ୍କ ନାମରେ ରହିଥିବା ସୂଚନା ମିଳିଛି। ପ୍ରାୟ ସମସ୍ତ ଥାନାରେ ସିସି ଟିଭି ସଂଯୋଗ କରାଯାଇଥିବା ବେଳେ ଉପଯୁକ୍ତ ତଦନ୍ତ ସହ ସିସି ଟିଭି ଫୁଟେଜ ଯାଞ୍ଚ କରାଗଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.