ଜୟପୁର ୧୫।୧୨: ଶେଷ ହେଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୨ ଦିନିଆ କୋରାପୁଟ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ଶେଷ ଦିନରେ କୋରାପୁଟରେ ଲୋକଙ୍କ ଅଭିଯୋଗ ଶୁଣିବା ସହ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଥିଲେ । ଏହା ପରେ ଜୟପୁରରେ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନବ ନିର୍ମିତ ୩୦୦ ଶଯ୍ୟା ବିଶିଷ୍ଟ କୋଠା ଓ କର୍ମଚାରୀଙ୍କ ସରକାରୀ ଘର ଉଦଘାଟନ କରିଥିଲେ । ଏହା ସହ ସରକାରୀ ନର୍ସିଂ କଲେଜ ପାଇଁ ଜୟପୁରରେ ଶିଳାନ୍ୟାସ ସହ ଏୟାରପୋର୍ଟର ନୂଆ ଟର୍ମିନାଲ ଉଦଘାଟନ କରିଥିଲେ। ଉଦଘାଟନ କାର୍ଯ୍ୟକ୍ରମରେ ନିଜ ସରକାରଙ୍କ ସୁଭଦ୍ରା ଯୋଜନା ସହ ଚାଷୀଙ୍କ ଦିଆଯାଉଥିବା ଇନପୁଟ ସବସିଡି ବିଷୟରେ ଅବଗତ କରାଇଥିଲେ । ଏହି ଅବସରରେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିବାକୁ ଭୁଲି ନଥିଲେ ମୁଖ୍ୟମନ୍ତ୍ରୀ । ପୂର୍ବ ସରି କୋରାପୁଟ ଜିଲ୍ଲାକୁ ଅବହେଳା କରି ରଖିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେହିପରି ଶ୍ରୀମନ୍ଦିର ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ କହିଥିଲେ ପୂର୍ବ ସରକାର ୪ ଦ୍ବାର ନଖୋଲି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ଠିଆ କରାଇଥିଲେ । କୋରାପୁଟ ଜିଲ୍ଲା ପର୍ଯ୍ୟଟନ ଓ କୃଷି କ୍ଷେତ୍ରରେ ଖୁବ୍ ସମୃଦ୍ଧ । ଆଗାମୀ ଦିନରେ ରାଜ୍ୟକୁ ଶିଳ୍ପ ଆସିବ । କୋରାପୁଟ ଜିଲ୍ଲା ବି ଶିଳ୍ପ ସମୃଦ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ତେବେ ଏହି ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣକୁ ରାଜନୀତି ବୋଲି କହିଛି ବିଜେଡି । କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା କହିଛନ୍ତି, ଜୟପୁରରେ ଉଦଘାଟିତ ହୋଇଥିବା ଏହି ନୂଆ କୋଠା ପୂର୍ବ ସରକାର କରିଥିଲେ । ମୁଖ୍ୟମନ୍ତ୍ରୀ କେବଳ ରଙ୍ଗ ବଦଳାଇ ଉଦଘାଟନ କରିଛନ୍ତି । ଯଦି ମୋହନ ସରକାର ବିକାଶ କରୁଛନ୍ତି ତେବେ ବିଦ୍ୟୁତ ବିଲ୍ ଛାଡ କାହିଁକି କରୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଭତ୍ତା ବୃଦ୍ଧି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି ।
You Cam Read: