ରାହୁଲଙ୍କୁ କରାଯାଉ ଲୋକସଭାର ବିରୋଧୀ ଦଳ ନେତା, CWCରେ ପ୍ରସ୍ତାବ ଗୃହୀତ

Published By : Prameya-News7 Bureau | June 08, 2024 IST

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଥିବା କଂଗ୍ରେସର ଶନିବାର କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲ୍ୟୁସି) ଅନୁଷ୍ଠିତ ହୋଇଛି। ଲୋକସଭାରେ ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧୀଙ୍କୁ ଚୟନ କରାଯିବା ନେଇ ବୈଠକରେ ପସ୍ତାବ ଗୃହୀତ ହୋଇଛି। ଏହି ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବ୍ୟତୀତ ପାର୍ଟିର ଅନ୍ୟ ଶୀର୍ଷ ନେତା ଉପସ୍ଥିତ ଥିଲେ।

ବୈଠକରେ ସର୍ବସମ୍ମତିକ୍ରମେ ରାହୁଲ ଗାନ୍ଧୀଙ୍କୁ ଲୋକସଭାର ବିରୋଧୀ ଦଳ ନେତା କରିବାକୁ ଦାବି ଉଠିଥିଲା। ଆଉ ଏହା ଉପରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ ପ୍ରସ୍ତାବ ଗୃହୀତ କରିଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ପାଇଁ ନିଜ ନାମ ପାରିତ ହେବା ଉପରେ ରାହୁଲ ଏହି ବିଷୟରେ ନିଷ୍ପତ୍ତି ନେବା ପାଇଁ ସମୟ ମାଗିଛନ୍ତି।  କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନିଜର ପ୍ରାରମ୍ଭିକ ଟିପ୍ପଣୀ କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରା ଯେଉଁ ଅଞ୍ଚଳ ଦେଇ ଯାତ୍ରା କଲା ସେଠାରେ କଂଗ୍ରେସର ଭୋଟ୍ ପ୍ରତିଶତ ବଢିଲା। 

Also read: ନୂଆ ସରକାର କିପରି କାମ କରିବ, ରାଷ୍ଟ୍ରପତିଙ୍କୁ ଭେଟିବା ପରେ କହିଲେ ପିଏମ୍ ମୋଦୀ

ସୂଚନାଯୋଗ୍ୟ, ଦୀର୍ଘ ୧୦ ବର୍ଷ ପରେ କଂଗ୍ରେସ ଲୋକସଭାରେ ବିରୋଧୀ ଦଳ ନେତାର ମାନ୍ୟତା ପାଇବାକୁ ଯାଉଛି। କାରଣ ୨୦୧୪ ଓ ୨୦୧୯ରେ ରେ ଦଳ ଲୋକସଭାରେ ୧୦ ପ୍ରତିଶତ ସିଟ୍ ଅର୍ଥାତ ୫୫ ସିଟ୍ ଜିତି ପାରି ନ ଥିଲା। ୨୦୧୪ରେ କଂଗ୍ରେସ ୪୪ ଏବଂ ୨୦୧୯ରେ ୫୨ ସିଟ୍ ଜିତି ବିରୋଧୀ ଦଳ ନେତା ମାନ୍ୟତା ପାଇ ପାରି ନ ଥିଲା।କିନ୍ତୁ ୨୦୨୪ ନିର୍ବାଚନରେ କଂଗ୍ରେସ ୯୯ ସିଟ୍ ଜିତି ଦମଦାର ପ୍ରତ୍ୟାବର୍ତ୍ତ କରିଛି। 

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ସାଂସଦ ଶଶି ଥରୁରଙ୍କ ସହିତ ଅନେକ ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ଲୋକସଭାର ବିରୋଧୀ ଦଳ ନେତା କରିବା ସପକ୍ଷରେ ଯୁକ୍ତି ବାଢିଛନ୍ତି। ଥରୁର କହିଛନ୍ତି, ଲୋକସଭା ନିର୍ବାଚନ ୨୦୨୪ରେ ରାହୁଲ ଗାନ୍ଧୀ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ତେଣୁ ତାଙ୍କୁ ଏହି ଗୁରୁ ଦାୟିତ୍ଵ ଦିଆଯାଉ। 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.