୧୦୦ ଦିନରେ ୧୫ ଲକ୍ଷ କୋଟି ଟଙ୍କାର ପରିଯୋଜନା, ଜାଣନ୍ତୁ ମୋଦୀ ୩.୦ରେ କେଉଁ ସବୁ କ୍ଷେତ୍ରକୁ ଦିଆଯାଉଛି ପ୍ରାଥମିକତା

Published By : Prameya-News7 Bureau | September 16, 2024 IST

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ୧୦୦ ଦିନ ପୂରଣ ହୋଇଛି । ସରକାରଙ୍କ ଦ୍ୱାରା ପ୍ରଥମ ୧୦୦ ଦିନରେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କାର ପରିଯୋଜନା ଆରମ୍ଭ କରାଯାଇଛି । ଏଥିରେ ମୁଖ୍ୟ ରୂପେ ଭିତ୍ତିଭୂମିର ବିକାଶ, ସ୍ୱାସ୍ଥ୍ୟ ସେବା, ବିଜ୍ଞାନ ଏବଂ ପ୍ରଯୁକ୍ତି, ଉର୍ଜା, ସଡ଼କ ସୁରକ୍ଷା, ରେଲୱେ, ବନ୍ଦର ଆଦି ଉପରେ ବିଶେଷ ଧ୍ୟାନ ଦିଆଯିବ ।

ପିଏମ୍ ମୋଦୀ ସୋମବାର ଗାନ୍ଧୀନଗରରେ ଗ୍ଲୋବାଲ ରିନ୍ୟୁଏବଲ ଏନର୍ଜୀ ମିଟ୍ ଆଣ୍ଡ ଏକ୍ସପୋର ଚତୁର୍ଥ ସଂସ୍କରଣକୁ ସମ୍ୱୋଧିତ କରି ନିଜ ୧୦୦ ଦିନ କାର୍ଯ୍ୟକାଳ କଥା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ କେବଳ ଭାରତ ନୁହେଁ ବରଂ ସାରା ଦୁନିଆ ବିଶ୍ୱାସ କରୁଛି ଯେ ଭାରତ ଏକବିଂଶ ଶତାବ୍ଦୀରେ ସବୁଠୁ ଭଲ ବିକଳ୍ପ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'କେନ୍ଦ୍ର ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନରେ ଆପଣ ଆମର ପ୍ରାଥମିକତା, ଗତି ଏବଂ ପଦକ୍ଷେପ ଦେଖିପାରୁଥିବେ । ଆମେ ଦେଶର ପ୍ରଗତି ପାଆଇଁ ଆବଶ୍ୟକ ପ୍ରତିକ୍ଷେତ୍ର ଏବଂ ମୁଦ୍ଦାକୁ ଛୁଇଁବାକୁ ପ୍ରାୟସ କରିଛୁ ।'

୧୦୦ ଦିନରେ ମୋଦୀ ସରକାରଙ୍କ ପ୍ରାଥମିକତା

ଭିତ୍ତିଭୂମି ବିକାଶକୁ ପ୍ରାଥମିକତା

ଭିତ୍ତିଭୂମିର ବିକାଶ ଉପରେ ୧୦୦ ଦିନରେ ୩ ଲକ୍ଷ କୋଟି ଟଙ୍କା ପରିଯୋଜନାକୁ ମଞ୍ଜୁରୀ ଦିଆଯାଇଛି । ଏଥିରେ ରାସ୍ତା, ରେଲୱେ, ବନ୍ଦର ଏବଂ ବିମାନ ବନ୍ଦର ଉପରେ ଖାସ୍ ଗୁରୁତ୍ୱ ଦିଆଯାଇଛି । ୭୬୦୦୦ କୋଟି ଟଙ୍କା ଖର୍ଚ୍ଚରେ ମହାରାଷ୍ଟ୍ରରେ ବଧାୱନ ମେଗା ପୋର୍ଟକୁ ମଞ୍ଜୁରୀ ଦିଆଯାଇଛି, ଯାହା ଦୁନିଆର ଶୀର୍ଷ ୧୦ ବନ୍ଦର ମଧ୍ୟରୁ ଗୋଟିଏ ହେବ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା-୪ ଅଧିନରେ ୪୯୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାରୁ ୨୫୦୦୦ ଗାଁକୁ ମୁଖ୍ୟ ରାସ୍ତା ସହ ଯୋଡ଼ିବା ପାଇଁ ୬୨୫୦୦ କିଲୋମିଟର ରାସ୍ତା ଏବଂ ପୋଲ ନିର୍ମାଣ/ଉନ୍ନତିକରଣକୁ ମଞ୍ଜୁରୀ ଦିଆଯାଇଛି । ୫୦,୬୦୦ ଟଙ୍କା ନିବେଶରେ ଭାରତର ସଡ଼କ ମାର୍ଗ ନେଟୱାରକୁ ମଜଭୁତ କରିବା ପାଇଁ ମଞ୍ଜୁରୀ ଦିଆଯାଇଛି । ୯୩୬ କିଲୋମିଟର ବ୍ୟାପ୍ତ ୮ ରାଷ୍ଟ୍ରୀୟ ହାଇ-ସ୍ପିଡ୍ ରୋଡ୍ କରିଡୋର ପରିଯୋଜନାକୁ ମଞ୍ଜୁରୀ ଦିଆଯାଇଛି ।

କୃଷି ଏବଂ କୃଷକଙ୍କ ପାଇଁ ଯୋଜନା

  • ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧିର ୧୭ତମ କିସ୍ତିରେ ୯.୩ କୋଟି ଚାଷୀଙ୍କୁ ୨୦,୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳ କୃଷି କ୍ଷେତ୍ର ସହ ଜଡ଼ିତ ୭ ବଡ଼ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୧୪୦୦୦ କୋଟି ଟଙ୍କାର ଖର୍ଚ୍ଚକୁ ମଞ୍ଜୁରି ଦେଇଥିଲା । ଏଥିରେ ଡିଜିଟାଲ କୃଷି ମିଶନ ଏବଂ ଫସଲ ବିଜ୍ଞାନ ପରି ଯୋଜନା ସାମିଲ ରହିଛି । 
  • କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ୨୮୧୭ କୋଟି ଟଙ୍କାର ଡିଜିଟାଲ କୃଷି ମିଶନକୁ ମଞ୍ଜୁରୀ ଦେଇଛି ।
  • ଫସଲ ବିଜ୍ଞାନ ପାଇଁ ୩୯୭୯ କୋଟି ଟଙ୍କାର ଯୋଜନାକୁ ମଞ୍ଜୁରି ଦିଆଯାଇଛି ।
  • କୃଷି ଶିକ୍ଷା ଏବଂ ପରିଚାଳନାକୁ ମଜଭୁତ କରିବା ପାଆଇଁ ୨୨୯୧ କୋଟି ଟଙ୍କାର କାର୍ଯ୍ୟକ୍ରମ ଘୋଷଣା ।
  • ମନ୍ତ୍ରିମଣ୍ଡଳରେ ଉଦ୍ୟାନ କ୍ଷେତ୍ରର ବିକାଶ ପାଇଁ ୮୬୦ କୋଟି ଟଙ୍କା ଏକ ଯୋଜନାକୁ ମଞ୍ଜୁରି ଦେଇଛି ।
  • କୃଷି ବିଜ୍ଞାନ କେନ୍ଦ୍ର ପାଇଁ ୧୨୦୨ କୋଟି ଟଙ୍କା କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମଞ୍ଜୁର ହୋଇଛି ।
  • ପ୍ରାକୃତିକ ସଂସାଧନ ପରିଚାଳନାକୁ ମଜଭୁତ କରିବା ପାଇଁ ୧୧୧୫ କୋଟି ଟଙ୍କାର ଯୋଜନାକୁ ମଞ୍ଜୁରି ମିଳିଛି ।

ବ୍ୟବସାୟର ସରଳିକରଣ

ଷ୍ଟାର୍ଟ-ଅପକୁ ଆର୍ଥିକ ସହାୟତା ପ୍ରଦାନ କରିବା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ଦିଗରେ ବି ସରକାର ଅନେକ ପଦକ୍ଷେପ ନେଇଛନ୍ତି । ୨୦୧୨ରୁ ଷ୍ଟାର୍ଟ ଅପ୍ ଉପରେ ବୋଝ ହେଉଥିବା ୩୧% ଏଞ୍ଜେଲ ଟ୍ୟାକ୍ସକୁ ଶେଷ କରାଯାଇଛି । ବିଦେଶୀ କମ୍ପାନିଙ୍କ ପାଇଁ କର୍ପୋରେଟ୍ ଟ୍ୟାକ୍ସକୁ ୪୦ ପ୍ରତିଶତକୁ କମ କରି ୩୫ ପ୍ରତିଶତ କରାଯାଇଛି । ଏହାଦ୍ୱାରା ଭାରତକୁ ବୈଶ୍ୱିକ ସ୍ତରରେ ବଡ଼ ପ୍ରତିଯୋଗୀ ଏବଂ ନିବେଶ ପାଇଁ ଆକର୍ଷଣ କରାଯାଇପାରିବ । ମୁଦ୍ରା ଋଣ ସୀମାକୁ ୧୦ ଲକ୍ଷରୁ ବଢାଇ ୨୦ ଲକ୍ଷ ଟଙ୍କା କରାଯାଇଛି ।

ଓବିସି, ଦଳିତ, ସଂଖ୍ୟାଲଘୁ ଏବଂ ଜନଜାତିର ସଶକ୍ତିକରଣ

ପ୍ରଧାନମନ୍ତ୍ରୀଙ୍କ ବିକଶିତ ଆଦିବାସୀ ଗାଁ ଅଭିଯାନରେ ୬୩୦୦୦ ଆଦିବାସୀ ଗାଁକୁ ବିକଶିତ କରାଯିବ । ଏହାଦ୍ୱାରା ୫ କୋଟି ଆଦିବାସୀଙ୍କ ସାମାଜିକ-ଆର୍ଥିକ ସ୍ଥିତିରେ ସୁଧାର ହେବ । ଅନୁସୂଚିତ ଜନଜାତିର ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ୩ ଲକ୍ଷ ପରିଚୟ ପତ୍ର ଜାରି କରାଯାଇଛି । ନୂଆ ସ୍କୁଲ୍ ଏବଂ ସ୍ମାର୍ଟ କ୍ଲାସରୁମ୍ ନିର୍ମାଣ କରାଯାଇଛି । ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ୧୧୦ ସ୍କୁଲ୍ ଏବଂ ସ୍ମାର୍ଟ କ୍ଲାସରୁମ୍ କରାଯାଇଛି ।

ସୁଲଭ ସ୍ୱାସ୍ଥ୍ୟ ସେବା

ଆୟୁଷ୍ମାନ ଭାରତ ପରିଯୋଜନାର ବିସ୍ତାର କରାଯାଇଛି । ୭୦ ବର୍ଷରୁ ଉର୍ଦ୍ଧ୍ୱ ଦେଶର ସମସ୍ତ ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ଯାଏ ମାଗଣା ସ୍ୱାସ୍ଥ୍ୟ ବୀମ ପ୍ରଦାନ କରାଯିବ । ୭୫୦୦୦ ନୂଆ ମେଡିକାଲ ସିଟ୍ ଯୋଡାଯିବ । ଏହାଦ୍ୱାରା ସ୍ୱାସ୍ଥ୍ୟ ସେବା ପ୍ରଣାଳୀ ଅଧିକ ପ୍ରଭାବୀ ହେବ ।

ବିଜ୍ଞାନ ଏବଂ ପ୍ରଯୁକ୍ତି ଉପରେ ଫୋକସ

ମହାକାଶ ଷ୍ଟାର୍ଟ ଅପ୍ ପାଇଁ ୧୦୦୦ କୋଟି ଟଙ୍କା ଉଦ୍ୟୋଗ ପୁଞ୍ଜି ନିଧି ଯୋଜନା ସ୍ଥାପନ କରାଯାଇଛି । ୫୦ ହଜାର କୋଟି ଟଙ୍କାରେ ରାଷ୍ଟ୍ରୀୟ ଅନୁସନ୍ଧାନ ପାଣ୍ଠି ଏବଂ ୧୦,୫୦୦ କୋଟି ଟଙ୍କାରେ ‘ବିଜ୍ଞାନ ଧାରା’ ଯୋଜନା ସ୍ଥାପନ କରାଯାଇଛି । ସେହିପରି ଉର୍ଜା କ୍ଷେତ୍ରରେ ମୋଟ ୨୩ ହଜାରରୁ ଅଧିକ କୋଟି ଟଙ୍କାର ପରିଯୋଜନାକୁ ମଞ୍ଜୁରୀ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.