ବର୍ଲିନ ୧୨।୨: ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାସନାଲ କରପସନ ପରସେପସନ ଇଣ୍ଡେକ୍ସ (ସିପିଆଇ)୨୦୨୪ ରାଙ୍କିଙ୍ଗ ଜାରି କରିଛନ୍ତି। ଏହି ସୂଚକାଙ୍କରେ ବିଶ୍ୱର ସବୁଠୁ ଭ୍ରଷ୍ଟ ଓ ସବୁଠୁ ସଚ୍ଚୋଟ ଦେଶଙ୍କ ରାଙ୍କିଙ୍ଗ କରାଯାଏ। ସିପିଆଇ ୧୮୦ ଦେଶ ଓ କ୍ଷେତ୍ରଙ୍କ ସାର୍ବଜନିକ ଅନୁଷ୍ଠାନରେ ଭ୍ରଷ୍ଟାଚାରର କଥିତ ସ୍ତରର ଆଧାରରେ ରାଙ୍କିଙ୍ଗ କରିଥାଏ। ଦେଶମାନଙ୍କୁ ଶୁନରୁ ୧୦୦ ପର୍ଯ୍ୟନ୍ତ ନମ୍ବର ଦିଆଯାଏ। ଏଣୁ ସବୁଠୁ ଅଧିକ ପଏଣ୍ଟ ପାଇଥିବା ଦେଶଙ୍କୁ ଅଧିକ ସଚ୍ଚୋଟ ଓ କମ୍ ପଏଣ୍ଟ ପାଇଥିବା ଦେଶଙ୍କୁ ସବୁଠୁ ଭ୍ରଷ୍ଟ ଘୋଷଣା କରିଥାଏ।
ଏହି ରିପୋର୍ଟକୁ ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାସନାଲ ବର୍ଲିନ ଜାରି କରିଛନ୍ତି। ସିପିଆଇ ରିପୋର୍ଟ ଅନୁସାରେ ବିଶ୍ୱରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଚିନ୍ତାଜନକ ରୂପେ ଉଚ୍ଚସ୍ତରରେ ରହିଛି। ଦୁଇ ତୃତୀୟାଂଶରୁ ଅଧିକ ଦେଶଙ୍କ ସ୍କୋର ୫୦ରୁ ବି ତଳେ ରହିଛି। ପାଖାପାଖି ୬.୮ ବିଲିୟନ ଲୋକେ ସେହିସବୁ ଦେଶରେ ବସବାସ କରନ୍ତି ଯେଉଁଠି ଦୁର୍ନୀତିର ସ୍କୋର ୫୦ ପ୍ରତିଶତରୁ ବି କମ ରହିଛି। ଯାହା ବିଶ୍ୱରେ ମୋଟ ଜନସଂଖ୍ୟାର ୮୫ ପ୍ରତିଶତ ପାଖାପାଖି।
ସବୁଠୁ ସଚ୍ଚୋଟ ଦେଶ
ସବୁଠୁ କମ୍ ଦୁର୍ନୀତିର ଦେଶମାନଙ୍କ ମଧ୍ୟରେ ଡେନମାର୍କ ଲଗାତାର ସପ୍ତମ ବର୍ଷ ମଧ୍ୟ ଶୀର୍ଷରେ ରହିଛି। ଡେନମାର୍କକୁ ସଚ୍ଚୋଟତା ପାଇଁ ୯୦ ପଏଣ୍ଟ ମିଳିଛି। ତା ପଛକୁ ୮୮ ପଏଣ୍ଟ ପାଇ ଫିନଲ୍ୟାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ୮୪ ପଏଣ୍ଟ ପାଇ ସିଙ୍ଗାପୁର ସଚ୍ଚୋଟ ଦେଶଙ୍କ ତୃତୀୟ ସ୍ଥାନରେ ରହିଛି। ୮୩ ପଏଣ୍ଟ ପାଇ ନ୍ୟୁଜିଲ୍ୟାଣ୍ଡ ଚତୁର୍ଥ ସ୍ଥାନରେ ଥିବା ବେଳେ ୮୧ ପଏଣ୍ଟ ପାଇ ଲଗଜମବର୍ଗ ପଞ୍ଚମ ସ୍ଥାନରେ ରହିଛି। ଟପ ରାଙ୍କିଙ୍ଗ ଦେଶଙ୍କ ସୂଚୀରେ ନରୱେ ଓ ସ୍ୱିଜରଲ୍ୟାଣ୍ଡକୁ ୮୧ ପଏଣ୍ଟ ମିଳିଛି। ସ୍ୱିଡେନକୁ ୮୦ ପଏଣ୍ଟ ମିଳିଛି।
ସବୁଠୁ ଭ୍ରଷ୍ଟ ଦେଶ
ବିଶ୍ୱର ସବୁଠୁ ଭ୍ରଷ୍ଟ ଦେଶଙ୍କ ସୂଚୀରେ ଦକ୍ଷିଣ ସୁଦାନ ଶୀର୍ଷରେ ରହିଛି। ଇଣ୍ଡେକ୍ସ ଅନୁସାରେ ଦକ୍ଷିଣ ସୁଦାନକୁ ମାତ୍ର ୮ ପଏଣ୍ଟ ମିଳିଛି ଓ ଏହାକୁ ସବୁଠୁ ତଳେ ୧୮୦ ନମ୍ବରରେ ରଖା ଯାଇଛି, ଯାହା ଏହାକୁ ବିଶ୍ୱର ସବୁଠୁ ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟ ଦେଶ ରୂପେ ପରିଚିତ କରାଉଛି। ଏହା ପଛକୁ ସୋମାଲିଆ ୧୭୯ ନମ୍ବର ସ୍ଥାନରେ ଥିବା ବେଳେ ଭେନେଜୁଏଲା ୧୭୮ତମ ସ୍ଥାନରେ, ସିରିଆ ୧୭୭ତମ ସ୍ଥାନରେ, ୟେମେନ, ଲିବ୍ୟା, ଇରିଟ୍ରିଆ ଓ ଇକ୍ୱାଟୋରିୟଲ ଗିନି ୧୩ ଅଙ୍କ ସହିତ ୧୭୩ତମ ସ୍ଥାନରେ ଅଛନ୍ତି। ନିକାର ଗୁଆ ୧୪ ପଏଣ୍ଟ ପାଇ ୧୭୨ତମ ରାଙ୍କରେ ରହିଛି।
ଭାରତ ଓ ପାକିସ୍ତାନର ସ୍ଥାନ
ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ଦେଶଙ୍କ ରାଙ୍କିଙ୍ଗର ୧୩୫ତମ ସ୍ଥାନରେ ରହିଛି ପାକିସ୍ତାନ। ୨୦୨୩ ତୁଳନାରେ ପାକିସ୍ତାନ ଭ୍ରଷ୍ଟାଚାରରେ ଆଉ ଦୁଇ ପାହାଚ ତଳକୁ ଖସିଛି। ଦୁର୍ନୀତି ଓ ଭ୍ରଷ୍ଟାଚାର ପାଇଁ ୨୭ ପଏଣ୍ଟ ପାଇଥିବା ପାକିସ୍ତାନ ରାଙ୍କିଙ୍ଗରେ ମାଲି, ଲାଇବେରିଆ ଓ ଗବୋନ ଭଳି ଦେଶଙ୍କ ସାଙ୍ଗରେ ସ୍ଥାନ ପାଇଛି। ତେବେ କରପସନ ରାଙ୍କିଙ୍ଗରେ ପାକିସ୍ତାନ ଠାରୁ ଭାରତ ବେଶ ଭଲ ସ୍ଥାନରେ ରହିଛି। ପାକିସ୍ତାନଠୁ ଢେର ଉପରେ ରହିଛି। ଯଦିଓ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଭାରତର ଛବି ଏତେଟା ସଫାସୁତୁରା ନାହିଁ ଓ ୨୦୨୩ ତୁଳନରେ ଗୋଟିଏ ପାହାଚ ତଳକୁ ଖସିଛି ତଥାପି ୩୮ ପଏଣ୍ଟ ପାଇ ୯୬ତମ ସ୍ଥାନରେ ରହିଛି। ସେହିପରି ପଡୋଶୀ ଚୀନ୍ ୪୨ ପଏଣ୍ଟ ସହିତ ରାଙ୍କିଙ୍ଗର ୭୬ତମ ସ୍ଥାନରେ ରହିଛି।