ସାଲେପୁର ୨୫।୦୩ : କଟକ ଜିଲ୍ଲା ସାଲେପୁର ଥାନା ଜାହାଙ୍ଗୀରବାଦ୍ରେ ବଡ଼ଧରଣର ଲୁଟ୍ । ବନ୍ଧୁକ ଦେଖାଇ କୋଟିଏ ଟଙ୍କାର ଡକାୟତି। ଝିଅ ବାହାଘର ପାଇଁ ଜମି ବିକ୍ରି କରି ରଖିଥିବା ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, କଟକ ଜିଲ୍ଲା ସାଲେପୁର ସୌରୀ ପଞ୍ଚାୟତ ଜାହାଙ୍ଗୀରାବାଦ ଗାଁର ବିଜୟ ମହାନ୍ତିଙ୍କ ଘରେ ସୋମବାର ବିଳମ୍ଵିତ ରାତିରେ ଲୁଟ୍ ହୋଇଛି। ସମସ୍ତେ ଶୋଇଥିବା ବେଳେ ୪ ଜଣ ଦୁର୍ବୃତ୍ତ ଛାତ କବାଟ ଭାଙ୍ଗି ସିଡି ଘର ବାଟ ଦେଇ ଘରେ ପଶିଥିଲେ। ଏହି ସମୟରେ ଘର ଲୋକ ଉଠି ପଡ଼ିବାରୁ ବନ୍ଧୁକ ଦେଖାଇ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଓ ୩୦ ଲକ୍ଷରୁ ଉର୍ଦ୍ଧ୍ଵ ନଗଦ ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ।
ସେପଟେ ଲୁଟ୍ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏତେ ପରିମାଣର ଟଙ୍କା ଏବଂ ସୁନା ଅଳଙ୍କାର କାହିଁକି ଘରେ ରଖିଥିଲେ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କୁଆଡ଼େ ଆଗକୁ ବିଜୟଙ୍କ ଝିଅ ବାହାଘର ଥିଲା । ସେଥି ଲାଗି ସେ ଜମି ବିକ୍ରି କରି ଟଙ୍କା ଓ ସୁନା ଅଳଙ୍କାର କିଣି ରଖିଥିବା ସୂଚନା ରହିଛି ।