ଆନନ୍ଦପୁର: ଆନନ୍ଦପୁର ଡାକ୍ତରଖାନାରେ ଅଘଟଣ । ମହିଳା ଓ୍ବାର୍ଡ କାନ୍ଥରୁ ଖସିଲା ଟାଇଲ୍। ଦେବଦୂତ ସାଜି ବଞ୍ଚାଇଦେଲେ ସୁରକ୍ଷାକର୍ମୀ। ଅବଶ୍ୟ ସୁରକ୍ଷାକର୍ମୀ ଜଣକ ଏଥିରେ ଆହତ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଏଭଳି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଠାରେ ।
ମହିଳା ଓ୍ବାର୍ଡ ଏକ ବେଡରେ ନେବୁଲାଇଜର ନେଉଥିଲେ ଜଣେ ବୟସ୍କ ରୋଗୀ । ଏହି ସମୟରେ ବେଡକୁ ଲାଗିଥିବା କାନ୍ଥରୁ ହଠାତ୍ ଏକା ସାଙ୍ଗରେ କିଛି ଟାଇଲ ଖସିପଡ଼ିଥିଲା। ହେଲେ ପାଖରେ ଥିବା ଜଣେ ମହିଳା ସୁରକ୍ଷା କର୍ମୀ ଏହି ଟାଇଲକୁ ନିଜ ହାତରେ ଅଟକାଇଦେଇଥିଲେ ଫଳରେ ତାହା ରୋଗୀଙ୍କ ଉପରେ ପଡ଼ିନଥିଲା। ହେଲେ ଏଥିରେ ମହିଳା ସୁରକ୍ଷାକର୍ମୀ ଜଣକ ଆହତ ହୋଇଥିଲେ। ତାଙ୍କ ହାତ ଖଣ୍ଡିଆ ହେବା ସହ ଜୋରରେ ଫୁଲି ଯାଇଥିବା ଜଣାପଡ଼ିଛି।
ତେବେ ନିମ୍ନମାନର କାମ ଯୋଗୁ ଏଭଳି ଘଟିଥିବା କୁହାଯାଉଥିବାବେଳେ, ଟାଇଲ୍, କଂକ୍ରିଟ ଖସିବା ସହ, ଓ୍ବାର୍ଡରେ ସାପ ପଶି ରୋଗୀଙ୍କ ସମ୍ପର୍କୀୟଙ୍କୁ କାମୁଡିବା ଭଳି ଘଟଣାମାନ ଅତୀତରେ ଘଟିଥିବା କହିଛନ୍ତି। ଏଭଳି ଘଟଣାକୁ କେନ୍ଦ୍ରକରି ଆନନ୍ଦପୁର ଚିକିତ୍ସାଳୟ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଦାବି ହୋଇଛି।