ଭୁବନେଶ୍ବର; ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ପ୍ରସଂଗରେ ଆଲୋଚନା ହୋଇଥିଲା । ଏଥିରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଧାନ ବିକ୍ରିକୁ ନେଇ ବିବୃତ୍ତି ରଖିଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଧାନ ବିକ୍ରି ପ୍ରକ୍ରିୟାକୁ ସରଳ କରିଛନ୍ତି । ପ୍ରତି ଜିଲ୍ଲା ଦାୟିତ୍ଵରେ ଜଣେ ଲେଖାଏଁ ମନ୍ତ୍ରୀ ରହିଛନ୍ତି । ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏଁ ନୋଡାଲ ଅଫିସର ଓ ୪ରୁ ୫ଟି ମଣ୍ଡି ପାଇଁ ସୁପରଭାଇଜର ନିଯୁକ୍ତ କରାଯାଇଛି । ମଣ୍ଡିରେ ଅନିୟମିତତା ପାଇଁ ୬୧ଜଣ ସମବାୟ ଅଫିସରଙ୍କ ଉପରେ ଆକ୍ସନ ନିଆଯାଇଛି । ଏହାସହିତ ୨ଜଣ ଖାଦ୍ୟ ଯୋଗାଣ ଅଫିସରଙ୍କୁ ମଧ୍ୟ ନିଲମ୍ବନ କରିଛି ବିଭାଗ । ମିଲର ମାନଙ୍କୁ ମଧ୍ୟ ଧାନ କିଣାରେ ସ୍ଵଚ୍ଛତା ରଖିବାକୁ ସତର୍କ କରାଯାଇଛି । ନିୟମ ଉଲଙ୍ଘନ କରିଥିବା ୧୮ଟି ମିଲ ସିଲ୍ କରିଛନ୍ତି ସରକାର । କରାଯାଇଛି । ଗତ ୨୪ବର୍ଷ ଭିତରେ ବିଜେଡ଼ି ସରକାର କେତେ ଆକ୍ସନ ନେଇଥିଲା ବୋଲି ପ୍ରଶ୍ନ କଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଚଳିତ ଖରିଫ ଋତୁରେ ୧୭ଲକ୍ଷ ୫୦ ହଜାର ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଥିଲେ । ସେଥିରୁ ପ୍ରକୃତ ଚାଷୀ ହେଲେ ୧୭ ଲକ୍ଷ୨୮ ହଜାର । ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୫୦ ହଜାର ଚାଷୀ ବିକ୍ରି କରିସାରିଲେଣି । ୨୦୨୪-୨୫ରେ ୭୩ଲକ୍ଷ ୧୮ ହଜାର ୬୭୭ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର । ଏଥିପାଇଁ ୧୬ ଲକ୍ଷ ୫୩୧ କୋଟି ଟଙ୍କା ଦେଇଛନ୍ତି ସରକାର । ଇନପୁଟ ସବସିଡି ବାବଦରେ ସରକାର ୨୨ ହାଜର କୋଟି ଟଙ୍କା ପ୍ରଦାନ କରିଛନ୍ତି । ସେହିପରି ଚଳିତ ବର୍ଷ ୨୩୦୦ ଟୋକନ ନବୀକରଣ କରାଯାଇଛି । ତେବେ ଏହାକୁ ତୁଳନା କଲେ ୨୦୨୩-୨୪ ରେ ୫୮ ଲକ୍ଷ ୩ ହାଜର ୬୭୯ ମେଟ୍ରିକ ଟନ୍ କିଣାଯାଇଥିଲା । ଏଥିପାଇଁ ୧୨ ଲକ୍ଷ ୬୬୯ କୋଟି ଟଙ୍କା ଚାଷୀଙ୍କୁ ଦିଆଯାଇଥିଲା । ୨୦୨୩-୨୪ ତୁଳନାରେ ୨୦୨୪-୨୫ରେ ମାତ୍ର ୯୫ ହଜାର ୮୦୫ ଚାଷୀ ଧାନ ବିକ୍ରି କରିବା ପାଇଁ ବାକି ଅଛନ୍ତି । ୨୦୨୩-୨୪ ରେ ୪ ଲକ୍ଷ ୩୬ ହଜାର ୨୨୯ ଚାଷୀ ଧାନ ବିକ୍ରି କରିପାରିନଥିଲେ ।
ଆସନ୍ତା ରବି ଋତୁ ପାଇଁ ୧୦ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ୧୦ ଲକ୍ଷ ମେଟ୍ରିକ ଟନ୍ ଚାଉଳ ରହିଲା ଭଳି ନୂଆ ଗୋଦାମ ଖୋଲିବେ ସରକାର । ୧୭ ହାଜର ୫୦୦ କୋଟି ଟଙ୍କା ଋଣ ଚାଷୀଙ୍କୁ ଦେଇଛନ୍ତି ସରକାର । ରାଜ୍ୟ ସରକାର ୨ ହଜାର କୋଟି ଟଙ୍କାର ରିଭଲଭିଂ ଫଣ୍ଡର ବ୍ୟବସ୍ଥା କରିଛନ୍ତି । ଯଦି କେନ୍ଦ୍ର ପାଖରୁ ଟଙ୍କା ଆସିବା ବିଳମ୍ବ ହୁଏ, ସେତେବେଳେ ଏହି ରିଭଲଭିଂ ଫଣ୍ଡରୁ ଚାଷୀଙ୍କୁ ଟଙ୍କା ଦିଆଯିବ ।
ରାସନ କାର୍ଡକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ରୋଜଗାର କମ୍ ଥିବା ଲୋକଙ୍କ ରାସନ କାର୍ଡ କଟିବ ନାହିଁ । କେବଳ ବଡ଼ ଚାକିରି କରିଥିବା ଲୋକଙ୍କ କାର୍ଡ କଟିବ ଯିବ । ହେଲେ ବିରୋଧୀ ଭୟ ପ୍ରକଟ କରୁଛନ୍ତି ଯେ, ସମସ୍ତଙ୍କର କାର୍ଡ କଟିଯିବ । ମନ୍ତ୍ରୀଙ୍କ ଶିକ୍ଷକ ସାଙ୍ଗ ବି ୭୦ ହାଜର ଟଙ୍କା ଦରମା ପାଇ କାର୍ଡ ରଖିଥିଲେ । ସେ ମଧ୍ୟ କାର୍ଡ ଫେରାଇଛନ୍ତି । ତେଣୁ ବିଜେଡ଼ି ସରକାର ଅମଳରେ ସବୁ ଢିଲା ଥିଲା । ଏବେ ଏହି ନିୟମକୁ କଡ଼ାକଡ଼ି କରାଯାଇଛି ।
କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୯୬ ଲକ୍ଷ ୨୨ ହଜାର ୪୩୧ ପରିବାରର ୩ କୋଟି ୨୬ ଲକ୍ଷ ୭ ହାଜର ୯୭୩ ଲୋକଙ୍କୁ ଚାଉଳ ପାଉଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧ ଲକ୍ଷ ୩୩ ହଜାର ୧୧ ପରିବାରର ୪ ଲକ୍ଷ ୨୦ ହଜାର ୯୦୭ ସଦସ୍ୟଙ୍କୁ ଚାଉଳ ଯୋଗାଇ ଦେଉଛନ୍ତି ସରକାର । ପ୍ରାୟ ୧୩ ଲକ୍ଷରୁ ଉର୍ଦ୍ଧ୍ବ ନୂଆ ହିତାଧିକାରୀ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି ।
ସେହିପରି E-kyc କାରଣରୁ ବହୁତ ଚୋରି ଧରା ପଡ଼ିଛନ୍ତି । ୨୦ ମାର୍ଚ୍ଚ ସୁଦ୍ଧା ୩ କୋଟି ୧ ଲକ୍ଷ ୯୨ହଜାର ୩୨୭ ଲୋକ E-kyc କରିଛନ୍ତି । ରାଜ୍ୟ ବାହାରେ କାମ କରୁଥିବା ୧ ଲକ୍ଷ ୩୯ ହଜାର ୪୯୩ଜଣ E-kyc କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୯୧ ପ୍ରତିଶତ ଲୋକଙ୍କ E-kyc ଯାଞ୍ଚ ସରିଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ୪ ଲକ୍ଷ ୩୧ ହଜାର ୮୪୬ଜଣ ଭୂତ ହିତାଧିକାରୀଙ୍କ ରାସନ କାର୍ଡ କଟାଯାଇଛି ।