ଜିନ୍ସ ପିନ୍ଧି ଟୁର୍ଣ୍ଣାମେଣ୍ଟରୁ ବିଦା ହେଲେ ପାଞ୍ଚ ଥରର ବିଶ୍ୱ ଚେସ୍ ଚାମ୍ପିଅନ, ଫିଡେର ଆକ୍ସନରେ ଅସନ୍ତୋଷ ଝାଡିଲେ କାର୍ଲସେନ

Published By : Prameya-News7 Bureau | December 28, 2024 IST

ନୂଆଦିଲ୍ଲୀ: ପାଞ୍ଚ ଥରର ବିଶ୍ୱ ଚେସ୍ ଚାମ୍ପିଅନ ମାଗନସ୍ କାର୍ଲସେନଙ୍କୁ ଡ୍ରେସ୍ କୋଡ୍ ଉଲ୍ଲଂଘନ କରିବା ମହଙ୍ଗା ପଡ଼ିଛି । ଇଣ୍ଟରନ୍ୟାସନାଲ ଚେସ୍ ଫେଡରେସନ୍ (ଫିଡେ) ବିଶ୍ୱ ରାପିଡ୍ ଏବଂ ବ୍ଲିଟଜ୍ ଚାମ୍ପିଅନଶିପ ଟୁର୍ଣ୍ଣାମେଣ୍ଟରୁ ପୂର୍ବତନ ବିଶ୍ୱ ଚେସ୍ ଚାମ୍ପିଅନଙ୍କୁ ବାହାର କରିଛି । ଜିନ୍ସ ପିନ୍ଧିବା କାରଣରୁ କାର୍ଲସେନଙ୍କୁ ପ୍ରଥମେ ୨୦୦ ଡଲାର ଜରିମାନା ଲଗାଯାଇଥିଲା । ଏହାପରେ ତୁରନ୍ତ ପୋଷାକ ବଦଳାଇ ଆସିବା ପାଇଁ କୁହାଯାଇଥିଲା । କିନ୍ତୁ ସେ ଅଧିକାରୀଙ୍କ ଏହି ଅନୁରୋଧରୁ ରଖିନଥିଲେ । ଉଲ୍ଲେଖଯୋଗ୍ୟ ଯେ ମାଗନସ୍ କାର୍ଲସେନ ଏହି ଟୁର୍ଣ୍ଣାମେଣ୍ଟର ଡିଫେଣ୍ଡିଂ ଚାମ୍ପିଅନ ।

ଫିଡେ ଏକ୍ସରେ ଏନେଇ ଏକ ବୟାନ ପୋଷ୍ଟ କରିଛି । ପୋଷ୍ଟରେ ଲେଖା ଅଛି, 'ଆଜି କାର୍ଲସେନ ଜିନ୍ସ ପିନ୍ଧି ଡ୍ରେସ୍ କୋଡର ଉଲ୍ଲଂଘନ କରିଛନ୍ତି । ଯାହା ଆୟୋଜନର ଦୀର୍ଘ ବର୍ଷରୁ ଚାଲିଆସିଥିବା ନିୟମ ଅନୁସାରେ ସମ୍ପୂର୍ଣ୍ଣ ନିଷିଦ୍ଧ ଅଟେ । ଟୁର୍ଣ୍ଣାମେଣ୍ଟର ମୁଖ୍ୟ ନିଷ୍ପତ୍ତିକର୍ତ୍ତା କାର୍ଲସେନଙ୍କୁ ଏହି ଉଲ୍ଲଂଘନ ବାବଦରେ ସୂଚିତ କରିଥିଲେ । ୨୦୦ ଆମେରିକୀୟ ଡଲାରର ଜରିମାନା ଲଗାଯାଇଥିଲା ଏବଂ ପୋଷାକ ବଦଳାଇବା ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ସେ ଏହି ଅନୁରୋଧକୁ ଅଗ୍ରାହ୍ୟ କରିଥିଲେ । ଯେଉଁଥି ପାଇଁ ତାଙ୍କୁ ନବମ ରାଉଣ୍ଡ ପାଇଁ ଅଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ନିୟମ ସବୁ ଖେଳାଳିଙ୍କ ଉପରେ ବିନା କୌଣସି ଭେଦଭାବରେ ଲାଗୁ ହେଉଛି ।' 

ଫିଡେ ଦ୍ୱାରା ଜାରି ବୟାନରେ ଇଆନ୍ ନେପୋମନିଚିଚିଙ୍କ ଉଦାହରଣ ଦିଆଯାଇଛି । ଇଆନ୍ ଫର୍ମାଲ ଜୋତା ବଦଳରେ ସ୍ଫୋର୍ଟ୍ସ ଜୋତା ପିନ୍ଧି ଡ୍ରେସ୍ କୋଡ୍ ଉଲ୍ଲଂଘନ କରିଥିଲେ । ତାଙ୍କୁ ବି ସମାନ ଅନୁରୋଧ କରାଯାଇଥିଲା । ସେ ନିଜ ଜୋତା ବଦଳାଇବା ପରେ ତାଙ୍କୁ ଖେଳିବା ପାଇଁ ଅନୁମତି ଦିଆଯାଇଥିଲା । 

ଏହି ନିଷ୍ପତ୍ତି ପରେ ମାଗସନ୍ କାର୍ଲସନ ଫେଡ୍ ଉପରେ ଅସନ୍ତୋଷ ଝାଡ଼ିଛନ୍ତି । ଫିଡେ ବିରୋଧରେ ଏକ ପ୍ରକାଶ ଖୋଲା ଯୁଦ୍ଧ ଘୋଷଣା କରି ଏସବୁ ବେକାରିଆ ନିୟମ ବୋଲି କହିଛନ୍ତି । 

ନରୱେର ଗ୍ରାଣ୍ଡମାଷ୍ଟର କାର୍ଲସେନ ଏକ ବ୍ରର୍ଡକାଷ୍ଟରେ କହିଛନ୍ତି, 'ମୁଁ ଫିଡେକୁ ନେଇ ଅତିଷ୍ଠ ହୋଇସାରିଛି । ମୁଁ ସେମାନଙ୍କ ସହ ଆଉ କୌଣସି ସମ୍ପର୍କ ରଖିବାକୁ ଚାହୁଁନି । ଘରେ ସମସ୍ତଙ୍କୁ ଏଥିପାଇଁ ମୁଁ କ୍ଷମା ମାଗୁଛି । ମୋ ମତରେ ଏହା ଏକ ବେକାରିଆ ନୀତି, ଏଥିରେ କୌଣସି ମଜା ଥିବା ପରି ମୁଁ ଅନୁଭବ କରୁ ନାହିଁ ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.