ନୂଆଦିଲ୍ଲୀ: ମହାକୁମ୍ଭରେ ଦଳାଚକଟାରେ ମୃତ୍ୟୁ ଘଟିଥିବା ପରିଜନଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଏହା ସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ତିନି ଜଣିଆ କମିଟି ଗଠନ କରାଯାଇଛି। ଏହି ତଦନ୍ତ ପୋଲିସ ତଦନ୍ତଠୁ ଭିନ୍ନ ରହିବ। ଏହା ବାଦ୍ ମୁଖ୍ୟ ସଚିବ ଓ ଡିଜିପିଙ୍କୁ ଗୁରୁବାର ପ୍ରୟାଗରାଜ ଯିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଦେଶ ଦେଇଛନ୍ତି। ମୌନି ଅମାବାସ୍ୟାର ସାହି ସ୍ନାନର ଠିକ୍ ପୂର୍ବରୁ ସୋମବାର-ମଙ୍ଗଳବାର ରାତିରେ ଦଳାଚକଟାରେ ଏ ପର୍ଯ୍ୟନ୍ତ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବତନ ବିଚାରପତି ହର୍ଷ କୁମାରଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଟି ଗଠନ କରାଯାଇଛି। ପୂର୍ବତନ ଡିଜି ଭିକେ ଗୁପ୍ତା ଓ ଅବସରପ୍ରାପ୍ତ ଆଇଏଏସ ବିକେ ସିଂ କମିଟିରେ ସାମିଲ ଅଛନ୍ତି। ମୁଖ୍ୟମନ୍ତ୍ରୀ ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି, ଆଜି ମୌନି ଅମାବାସ୍ୟାର ପବିତ୍ର ସ୍ନାନ। ଏଥିପାଇଁ ଗତକାଲି ରାତିଠୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସ୍ନାନ ପାଇଁ ଅପେକ୍ଷା କରି ରହିଥିଲେ। ଅଖାଡ଼ା ମାର୍ଗରେ ପ୍ରବଳ ଭିଡ଼ ଥିଲା ଏବଂ ଲୋକେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢିବାରୁ ଏହି ଘଟଣା ଘଟିଗଲା। ଏଥିରେ ୩୦ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ୩୬ ଆହତଙ୍କ ଚିକିତ୍ସା ପ୍ରୟାଗରାଜରେ ଚାଲିଛି। ଅନ୍ୟ ଆହତମାନଙ୍କୁ ସେମାନଙ୍କର ପରିଜନ ନେଇ ଚାଲି ଯାଇଛନ୍ତି। ଘଟଣା ଅତ୍ୟନ୍ତ ଦୁଃଖଦ ଓ ମର୍ମାହତ। ମୃତକଙ୍କ ପରିବାର ପ୍ରତି ଆମର ପୂରା ସମବେଦନା ରହିଛି।
Also read: କୁମ୍ଭମେଳା ଦଳାଚକଟା ପରେ ଏବେ ସ୍ଥିତି ସ୍ୱାଭାବିକ, ମୁଖ୍ୟମନ୍ତ୍ରୀ କହିଲେ ଗୁଜବରେ କରନି ବିଶ୍ୱାସ
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଆମେ ରାତିଠୁ ପୋଲିସ ପ୍ରଶାସନ, କୁମ୍ଭମେଳା ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ଅଛୁ। ଏନଡିଆରଏଫ, ଏସଡିଆରଏଫ ଓ ଅନ୍ୟ ଯେତେ ସବୁ ବ୍ୟବସ୍ଥା ହେବାର ଥିଲା, ସବୁ କରାଯାଇଛି। ଏହାର ପରିଣାମ ଦୁର୍ଘଟଣା ହେବାର କିଛି ସମୟ ପରେ ଗ୍ରୀନ କରିଡର ତିଆରି କରାଯାଇ ଆହତଙ୍କୁ ହସ୍ପିଟାଲ୍ ପହଞ୍ଚା ଯାଇଥିଲା। ହେଲେ ଦୁର୍ଭାଗ୍ୟବଶତଃ ଆହତଙ୍କ ମୃତ୍ୟୁ ଘଟିଛି।