ନୂଆଦିଲ୍ଲୀ ୩୦।୧: ଆମ ଆଦମୀ ପାର୍ଟି (ଆପ)ର ବିଦ୍ରୋହୀ ନେତ୍ରୀ ତଥା ରାଜ୍ୟସଭା ସାଂସଦ ଶ୍ୱାତୀ ମଲିୱାଲଙ୍କୁ ଗୁରୁବାର ଦିଲ୍ଲୀ ପୋଲିସ ଅଟକ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ସମ୍ମୁଖରେ ସ୍ୱାତୀ ଅଳିଆ ଗଦାଇବା ଯୋଗୁ ପୋଲିସ ତାଙ୍କୁ ଅଟକ କରିଛି। ଏହି ଘଟଣା ପରେ କେଜରିୱାଲଙ୍କ ଘରର ସୁରକ୍ଷାକୁ ବଢାଇ ଦିଆଯାଇଛି। ଜନୈକ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଆଇନଶୃଙ୍ଖଳା କାୟମ ରଖିବାକୁ ବାରିକେଡ ଲଗାଯାଇଛି ଓ ଅତିରିକ୍ତ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। କାହାରିକୁ ବି ଆଇନ ଉଲ୍ଲଂଘନ କରିବାକୁ ଦିଆଯିବନି ବୋଲି ଅଧିକାରୀ କହିଛନ୍ତି।
ଆପ ରାଜ୍ୟସଭା ସାଂସଦ ସ୍ୱାତୀ ମଲିୱାଲ ପାର୍ଟି ମୁଖିଆଙ୍କ ବିରୋଧରେ ଲଗାତାର ଆକ୍ରମକ ପ୍ରଦର୍ଶନ କରୁଛନ୍ତି। ସେ ଦିଲ୍ଲୀର ବିଭିନ୍ନ ସମସ୍ୟା ନେଇ ଆପ ସରକାରଙ୍କୁ ଘେରୁଛନ୍ତି। ଆଗକୁ ବିଧାନସଭା ନିର୍ବାଚନ, ସେ ପାର୍ଟି ମୁଖ୍ୟଙ୍କ ବିରୋଧରେ ଆକ୍ରମକ ହୋଇ ଉଠିଛନ୍ତି। ସେ ସଡ଼କ, ସ୍ୱିରେଜ, ସାଫସଫେଇ ଓ ପାଣି ଆଦି ପ୍ରସଙ୍ଗ ଲଗାତାର ଉଠାଉଛନ୍ତି। ଏହିକ୍ରମରେ ସେ ଗୁରୁବାର ଦିଲ୍ଲୀର ବିଭିନ୍ନ ସଡ଼କରୁ ଅଳିଆ ଗାଡିରେ ଲଦି କେଜରିୱାଙ୍କ ଘର ଆଗରେ ଫିଙ୍ଗିବାକୁ ପହଞ୍ଚିଥିଲେ। ତେବେ ପୋଲିସ ତାଙ୍କୁ ଅଟକ କରିଛି।
ମଲିୱାଲ ଏହି ସବୁ ଆବର୍ଜନା କର୍ମୀଙ୍କ ଦ୍ୱାରା ଦିଲ୍ଲୀ ବିକାଶପୁରୀରୁ ଆଣିଥିଲେ ଓ ନିଜ ଫାଉଡାରେ ଗାଡ଼ିରୁ ଅଳିଆ ଓହ୍ଲାଇବାକୁ ଉଦ୍ୟମ କରୁଥିଲେ। ଗାଡି ଆଗରେ ଏ ନେଇ ସେ ବ୍ୟାନର ମଧ୍ୟ ଲଗାଇଥିଲେ ଯେଉଁଥିରେ ‘ଅରବିନ୍ଦ କେଜରିୱାଲଙ୍କ ଅଳିଆ’ ବୋଲି ଲେଖିଥିଲେ। ଉଲ୍ଲେଖଯୋଗ୍ୟ ଯେ ଶ୍ୱାତୀ ମଲିୱାଲ ଏହା ପୂର୍ବରୁ ବୋତଲରେ ମଇଳା ପାଣି ନେଇ କେଜରିୱାଲଙ୍କ ଘରକୁ ପହଞ୍ଚିଥିଲେ। ଶ୍ୱାତୀ ଗତବର୍ଷ କେଜରିୱାଲଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ। ସେଠାରେ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ତାଙ୍କ ସହ ମାରପିଟ କରିଥିବାର ସେ ଅଭିଯୋଗ କରିଥିଲେ। ସେବେଠାରୁ ଶ୍ୱାତି ମଲିୱାଲ ଓ କେଜରିୱାଲଙ୍କ ମଧ୍ୟରେ ପଡୁ ନାହିଁ।