ନିଶାରେ ଚୁର୍ ଅଭିନେତାଙ୍କ ହଙ୍ଗାମା,ଏୟାରପୋର୍ଟରୁ ଉଠାଇନେଲା ପୋଲିସ

Published By : Prameya-News7 Bureau | September 08, 2024 IST

ହାଇଦ୍ରାବାଦ ୮/୯: ମଦ ନିଶାରେ ଚୁର୍‌ ହୋଇଯାଇଥିଲେ । ଏୟାରପୋର୍ଟରେ ଜୋରଦାର ହଙ୍ଗାମା କରିବା ସହ କର୍ମଚାରୀଙ୍କୁ କଲେ ଦୁର୍ବ୍ୟବହାର । ଉଠାଇ ନେଲା ପୋଲିସ । ଫିଲ୍ମରେ ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିବା ଜଣେ ଅଭିନେତାଙ୍କ ଏପରି କାର୍‌ନାମା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।  ଆମେ କହୁଛୁ ମାଲାୟଲମ ଆକ୍ଟର ବିନାୟକନଙ୍କ କଥା ।

ହାଇଦ୍ରାବାଦ ରାଜୀବ ଗାନ୍ଧି ଇଣ୍ଟରନାସନାଲ ଏୟାରପୋର୍ଟରେ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି । ନିଶାରେ ମାତାଲ ଥିବା ବିନାୟକନ ଏୟାରପୋର୍ଟରେ ଜୋରଦାର ହଙ୍ଗାମା କରିବା ସହ ବିମାନ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଘଟଣା ପରେ ସେଠାରେ ଉପସ୍ଥିତ ଥିବା ସିଆଇଏସ୍‌ଏଫ୍‌ ସୁରକ୍ଷା ବଳ ବିନାୟକଙ୍କୁ ଉଠାଇ ନେଇଥିଲା । ପରେ ପରେ ସ୍ଥାନୀୟ ବିମାନ ବନ୍ଦର ପୋଲିସ ତାଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ଗିରଫ ସମୟରେ ସେ ମଦ ନିଶାରେ ଥିବା ସ୍ପଷ୍ଟ କରିଛି ପୋଲିସ ।

ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ବିନାୟକନ ଜେଲ୍‌ ଯାଇଥିଲେ । ଗତ ବର୍ଷ ଅକ୍ଟୋବରରେ କେରଳର ଏର୍ନାକୁଲମରେ ଥିବା ପୋଲିସ ଷ୍ଟେସନରେ ହଙ୍ଗାମା ଅଭିଯୋଗରେ ବିନାୟକନଙ୍କୁ ଗିରଫ କରାଯାଇଥିଲା । ସେ ନିଜ ଆପାର୍ଟମେଣ୍ଟରେ ରହୁଥିବା ଅନ୍ୟ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା । ପରେ ଜାମିନରେ ବାହାରିଥିଲେ ବିନାୟକନ । ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ବ୍ଲକବ୍ଲଷ୍ଟର ଫିଲ୍ମ ‘ଜେଲର୍‌’ ଦମ୍‌ଦାର ଅଭିନୟ କରି ବେଶ ପ୍ରଶଂସା ସାଉଁଟିଥିଲେ ବିନାୟକନ । ତାଙ୍କ ନେଗେଟିଭ ରୋଲ୍‌ ଦର୍ଶକଙ୍କ ମନ ଜିତି ନେଇଥିଲେ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.