କୋଲକାତା ୩୧।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୧ ମାର୍ଚ୍ଚ ସୋମବାର ଲୋକଙ୍କୁ କହିଛନ୍ତି ଯେ ‘କାହାର ଉସକାଇବାରେ ପଡନ୍ତୁନି, ଯାହା ଦ୍ୱାରା ଦଙ୍ଗା ସୃଷ୍ଟି ହେବ’। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ‘ଇଦ-ଉଲ-ଫିତର’ ଉପଲକ୍ଷେ କୋଲକାତାର ଇଦଗାହ ପହଞ୍ଚିଥିଲେ। ସେଠାରେ ନମାଜ ପରେ ବିଭାଜନକାରୀ ରାଜନୀତିକୁ ନେଇ ବିଜେପି ଉପରେ ବର୍ଷିଥିଲେ। ମମତା ବାନାର୍ଜୀ କହିଛନ୍ତି ଯେ ତାଙ୍କ ସରକାର ରାଜ୍ୟର ସଂଖ୍ୟାଲଘୁଙ୍କ ସହିତ ମଜଭୁତ ଭାବେ ଛିଡା ହେବ ଓ ଚେଷ୍ଟା କରିବ ରାଜ୍ୟରେ ଯେପରି କେହି ଉତ୍ତେଜନା ସୃଷ୍ଟି ନକରେ।
ମମତା କହିଛନ୍ତି ଯେ ଦଙ୍ଗା ପାଇଁ ଏବେ ଉସକା ଯାଉଛି। ହେଲେ ଆପଣମାନେ ଏହି ଜାଲରେ ଫଶନ୍ତୁ ନାହିଁ। ପଶ୍ଚିମବଙ୍ଗ ସରକାର ସଂଖ୍ୟାଲଘୁଙ୍କ ସହିତ ଛିଡା ହୋଇଛି, ରାଜ୍ୟରେ କେହି ଚାହିଁଲେ ବି ଉତ୍ତେଜନା ସୃଷ୍ଟି କରିପାରିବ ନାହିଁ। ମମତା କହିଛନ୍ତି ଯେ ଆମେ ଧର୍ମ ନିରପେକ୍ଷ। ଏବେ ରାଜ୍ୟରେ ନବରାତ୍ରି ଚାଲିଛି, ଏଥି ପାଇଁ ମଧ୍ୟ ମୁଁ ଶୁଭକାମନା ଜଣାଉଛି। ହେଲେ ଆମେ ଚାହୁଁନା ଦଙ୍ଗା ହେଉ। ସାଧାରଣତଃ ଲୋକେ ଏଭଳି ଘଟଣାରେ ସାମିଲ ହୋଇ ନଥାନ୍ତି, କେବଳ ରାଜନୈତିକ ଦଳ ହିଁ ଏପରି କାଣ୍ଡ କରାଇଥାନ୍ତି।
#WATCH | West Bengal CM Mamata Banerjee at Eidgah in Kolkata on the occasion of #EidAlFitr
— ANI (@ANI) March 31, 2025
She says "We are secular. Navratri is going on; I extend my best wishes for that as well, but we do not want riots to take place. Common people do not involve in such things only… pic.twitter.com/wfmCsuYgEY
ମମତା କହିଛନ୍ତି ଯେ ପ୍ରଥମେ ଲାଲ ପାର୍ଟି ଧର୍ମନିରପେକ୍ଷତାର କଥା କହୁଥିଲା। ଏବେ ଲାଲ ଓ ଗେରୁଆ ଦଳ ଏକ ହୋଇଯାଇଛନ୍ତି। ତେବେ ଆମେ ଏକାକୀ ଲଢିବୁ, ଆମେ ସବୁ ଧର୍ମ ଲାଗି ଆମ ଜୀବନ ଦେବାକୁ ପ୍ରସ୍ତୁତ। ମମତା କହିଛନ୍ତି ଯେ ବହୁ ସଂଖ୍ୟକଙ୍କ କର୍ତ୍ତବ୍ୟ ସଂଖ୍ୟାଲଘୁଙ୍କ ସୁରକ୍ଷା କରିବା ଓ ସଂଖ୍ୟାଲଘୁଙ୍କ କର୍ତ୍ତବ୍ୟ ବହୁ ସଂଖ୍ୟକଙ୍କ ସହିତ ରହିବା। ଏହି ଅବସରରେ ମମତା ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି। କହିଛନ୍ତି ଯଦି ସେମାନଙ୍କୁ ସଂଖ୍ୟାଲଘୁଙ୍କୁ ନେଇ ସମସ୍ୟା ହେଉଛି ସେମାନେ କଣ ସମ୍ବିଧାନ ବଦଳାଇ ଦେବେ?
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିର ବିଭାଜନକାରୀ ରାଜନୀତିକୁ ତୀବ୍ର ବିରୋଧ କରିଛନ୍ତି, କହିଛନ୍ତି ବିଜେପି ଦେଶରେ କେବଳ ଜୁମଲା ରାଜନୀତି କରୁଛି। ତେବେ ସେମାନଙ୍କ ପ୍ରତି ସତର୍କ ରହିବାକୁ ପଡିବ ଓ କାହାର ଉସକାଇବାରେ ପଡିବାର ନାହିଁ।