ଭୋପାଳ: ମଧ୍ୟପ୍ରଦେଶ ଗ୍ବାଲିୟର ଚାଞ୍ଚଲ୍ୟକର ଘଟଣା । ସ୍ବାମୀକୁ ଜୀବନରୁ ମାରିଦେବାକୁ ପୁରୁଷ ବନ୍ଧୁ ସହ ସ୍ତ୍ରୀର ଯୋଜନା । ହତ୍ୟା କରିବାକୁ ବାରମ୍ବାର ଧମକ ଦେଉଥିବା ଅଭିଯୋଗ କରିଛି ୩୮ ବର୍ଷୀୟ ସ୍ବାମୀ ଅମିତ୍ କୁମାର ସେନ୍ । ସୁରକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି । ଉତ୍ତର ପ୍ରଦେଶ ମିରଟରେ ସ୍ବାମୀ ମାରି ବ୍ଲୁ ଡ୍ରମ୍ ଭିତରେ ଭର୍ତ୍ତି କରିବା ଘଟଣା ପରେ ଏହି ଅଭିଯୋଗ ସମସ୍ତଙ୍କ ଧ୍ୟାନ କେନ୍ଦ୍ରୀତ କରିଛି ।
ସୂଚନା ଅନୁଯାୟୀ, ଏହି ଅଭିଯୋଗ ଗ୍ବାଲିୟର ଅଞ୍ଚଳରୁ ସାମ୍ନାକୁ ଆସିଛି । ଜନକପୁରୀ ବାସିନ୍ଦା ଅମିତ୍ କୁମାର ସେନ୍ ନିଜ ପତ୍ନୀର ବିରୋଧରେ ହତ୍ୟା ଅଭିଯୋଗ ଅଣିଛନ୍ତି । ସ୍ତ୍ରୀ ନିଜ ପୁରୁଷ ବନ୍ଧ ସହିତ ମିଶି ତାଙ୍କୁ ଜୀବନରୁ ମାରିଦେବାକୁ ଯୋଜନା ରଚିଥିବା କହିଛନ୍ତି । ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ଚିଠି ଲେଖି ସୁରକ୍ଷା ପାଇଁ ଗୁହାରି କରିଛନ୍ତି ।
ସେ ଚିଠିରେ ଉଲ୍ଲେଖ କରିଛନ୍ତି, ତାଙ୍କ ପତ୍ନୀଙ୍କ ତାଙ୍କୁ ଧୋକା ଦେଇଛନ୍ତି । ୩ରୁ ୪ଜଣ ପୁରୁଷଙ୍କ ସହିତ ତାଙ୍କର ସମ୍ପର୍କ ରହିଛି । ନିଜ ପୁଅକୁ ପୁରୁଷ ବନ୍ଧ ସହ ମିଶି ହତ୍ୟା କରିଥିବା ଅମିତ୍ ସେନ୍ ଚିଠି ମାଧ୍ୟମରେ ଅଭିଯୋଗ କରିଛନ୍ତି । ତାଙ୍କ ପୁଅ ହର୍ଷାଙ୍କ ପରି ତାଙ୍କୁ ହତ୍ୟା କରିବାକୁ ପତ୍ନୀ ବ୍ଲୁ୍-ପ୍ରିଣ୍ଟ ପ୍ରସ୍ତୁତ କରିଥିବା ସେ କହିଛନ୍ତି । ପୁଅର ମୃତ୍ୟୁ ପରେ ଅମିତ୍ କୁମାର ସମ୍ପୂର୍ଣ୍ଣ ଭାବେ ଭୟଭୀତ ହୋଇଯାଇଛନ୍ତି । ଜୀବନ ପ୍ରତି ବିପଦ ରହିଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି, ହେଲେ କୌଣସି ପ୍ରକାର ସୁଫଳ ମିଳିନାହିଁ । ସେପଟେ ଗ୍ବାଲିୟର ପୋଲିସ କହିଛି, ତାଙ୍କ ପାଖକୁ କୌଣସି ଲିଖିତ ଅଭିଯୋଗ ନାହିଁ । ସେମିତି କିଛି ଏତଲା ଆସିଲେ ପୋଲିସ ତଦନ୍ତ କରି ଆକ୍ସନ ନେବ ।