୩୮ ବର୍ଷ ତଳେ କିଣିଥିଲେ ଶେୟାର; ଭୁଲିଯାଇଥିଲେ, ଏବେ ହେଲାଣି...

Published By : Prameya-News7 Bureau | March 12, 2025 IST

ନୂଆଦିଲ୍ଲୀ: ଦିନ ଥିଲା ଯେତେବେଳେ ଆପଣ କୌଣସି କମ୍ପାନିର ସେୟାର କିଣୁଥିଲେ, ଆଉ ତାହାର ଏକ ବିଧିବଦ୍ଦ ରସିଦ୍ ଆପଣଙ୍କ ଘରକୁ ପଠାଯାଉଥିଲା। ସେଥିରେ ଆପଣ କେଉଁ କମ୍ପାନିରୁ କେତେ ସେୟାର କିଣିଛନ୍ତି ? ତାହାର ସଂପୂର୍ଣ୍ଣ ତଥ୍ୟ ରହୁଥିଲା। ହେଲେ ଏବେ ତ’ ଡିଜିଟାଲ ଯୁଗ। ଆଉ ପୂର୍ବ ଭଳି ମନେ ରଖିବାକୁ ଦରକାର ନାହିଁ ଯେ, ଆମେ କେଉଁ ଷ୍ଟକ୍‌ କେବେ କିଣିଥିଲେ ? କିମ୍ବା ଷ୍ଟକ୍ ସହ ଜଡ଼ିତ ଅନ୍ୟାନ୍ୟ ତଥ୍ୟ। କାରଣ ସେସବୁ ତଥ୍ୟ ସହଜରେ ହିଁ ଉପଲବ୍ଧ। ତେଣୁ ଏ ରସିଦ୍‌ର ବି ଆଉ କାମ ନାହିଁ।  

ଏଭଳି ଏକ ଷ୍ଟକ୍ ରସିଦ ସହ ଜଡ଼ିତ ଏକ ରୋଚକ କାହାଣୀ ସାମ୍‌ନାକୁ ଆସିଛି, ଯାହା ଆପଣଙ୍କୁ ରୋମାଞ୍ଚିତ କରିପାରେ। ପ୍ରକୃତରେ ଚଣ୍ଡିଗଡ଼ର ରତନ ଢିଲନ ନାମକ ଜଣେ ଏକ୍ସ ୟୁଜର ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କିଛି ପୁରୁଣା ସେୟାରର ରସିଦ୍‌ ସେୟାର କରିଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ରସିଦ୍‌ ହେଉଛି ୧୯୮୭ ଏବଂ ୧୯୯୨ ଡିସେମ୍ବର । ଏହି ସାର୍ଟିଫିକେଟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ଦ୍ବାରା ଜାରି କରାଯାଇଥିଲା। ଠିକ୍‌ରେ ଦେଖିଲେ ଜଣାପଡ଼ୁଛି ସାର୍ଟିଫିକେଟ କ୍ରମଶଃ ୨୦ ଏବଂ ୧୦ ଶେୟାର ପାଇଁ ଜାରି ହୋଇଥିଲା।

ରତନ ଏହି ସାର୍ଟିଫିକେଟ ପୋଷ୍ଟ କରି କହିଛନ୍ତି ତାଙ୍କୁ ଷ୍ଟକ୍‌ ମାର୍କେଟ ବିଷୟରେ ଧାରଣା ନାହିଁ। ଏହା ସହ ସେ ରିଲାଏନ୍ସ ଗ୍ରୁପ୍‌ର ଏକ୍ସ ଆକାଉଣ୍ଟକୁ ଟ୍ୟାଗ କରି କହିଛନ୍ତି ‘‘ କେହି ବିଶେଷଜ୍ଞ କହିପାରିବେ କି ? ଏହି ଶେୟାର ଏବେବି ଆମ ପାଖରେ ଅଛି କି’ ନାହିଁ ?’’

ତେବେ ତାଙ୍କର ଏହି ପୋଷ୍ଟ ଉପରେ ଜଣେ ଏକ୍ସ ୟୁଜର ରିପ୍ଲାଏ ଦେଇ କହିଛନ୍ତି, ଏହି ୩୦ଟି ଷ୍ଟକ୍‌ର ମୂଲ୍ୟ ଆଜିର ସମୟରେ ୯୬୦ ଶେୟାର ସମାନ। ଯଦି ହିସାବ କରାଯାଏ ତେବେ ଏହାର ଦାମ୍‌ ଏବେ ୧୨ ଲକ୍ଷରୁ ଅଧିକ ହେବ।



ସେହିଭଳି ସରକାରଙ୍କ ନିବେଶକ ଶିକ୍ଷା ଏବଂ ସଂରକ୍ଷର ନିଧି ପ୍ରାଧିକରଣ (IEPFA) ମଧ୍ୟ ରିପ୍ଲାଏରେ କହିଥିଲା ଯେ, ଯଦି ତାଙ୍କ ସେୟାର ନିଶ୍ଚିତ ଅବଧି ପର୍ଯ୍ୟନ୍ତ କ୍ଲେମ କରାଯାଇନଥିବ, ତେବେ ଆଇଇପିଏଫରେ ସ୍ଥାନାନ୍ତରିତ ହୋଇଯାଇଥିବ। ଏମିତିରେ IEPFAରେ ଲଗଇନ୍‌ କରି ଆବଶ୍ୟକୀୟ ତଥ୍ୟ ଦେଇ ଯାଞ୍ଚ କରିନେବାକୁ କହିଥିଲା। ତେବେ ଏଥିରୁ ତାଙ୍କୁ କୌଣସି ସୁଫଳ ମିଳିନଥିଲା। ଅବଶ୍ୟ ଆଇପିଏଫଏ ରତନଙ୍କୁ ତାଙ୍କ ପୋର୍ଟଫୋଲିଓ ଏବଂ ଯୋଗାଯୋଗ ନମ୍ବର ମାଗିଛି। ସେହିଭଳି ଜିରୋଧା ତରଫରୁ ମଧ୍ୟ ତାଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରାଯାଉଛି। 

ତେବେ ଏହି ଘଟଣାରେ ନେଟିଜେନ୍ସଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଜଣେ ୟୁଜର କହିଛନ୍ତି ଭାଇ ଆପଣଙ୍କର ତ’ ଲଟେରୀ ଲାଗିଗଲା।’’ ସେହିଭଳି ଅନ୍ୟ ଜଣେ ୟୁଜର କହିଛନ୍ତି ‘ଭାଇ ଆପଣ ଲକ୍ଷପତି’। ଅନ୍ୟ ଜଣେ ଏକ୍ସ ୟୁଜର କହିଛନ୍ତି ‘ରତନ ଭାଇ ଘରକୁ ଆଉ ଭଲରେ ଖୋଜ୍ କରନ୍ତୁ। ହୁଏତ ଏମଆର୍‌ଏଫ୍‌ର ମଧ୍ୟ କିଛି ଶେୟାର ମିଳିଯାଇପାରେ।’’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.