ନୂଆଦିଲ୍ଲୀ: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ଏବେବି ଅନେକ ସ୍ଥାନରେ ଜାରି ରହିଛି ହିଂସା। ଏହାରି ମଧ୍ୟରେ ବିରେନ୍ ସରକାର ୧୯ ଥାନା ଅଞ୍ଚଳକୁ ଛାଡ଼ି ସମଗ୍ର ରାଜ୍ୟକୁ ‘ଅଶାନ୍ତ କ୍ଷେତ୍ର’ ଘୋଷିତ କରିଛନ୍ତି। ରିପୋର୍ଟ ଅନୁଯାୟୀ, ମଣିପୁର ସରକାର ଘାଟିର ୧୯ ଥାନା ଅଞ୍ଚଳକୁ ଛାଡ଼ି ରାଜ୍ୟର ପାହାଡି ଅଞ୍ଚଳରେ AFSPAକୁ ୬ ମାସ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି । ଯାହା ଅକ୍ଟୋବର ୧ରୁ ଆରମ୍ଭ ହେବ। ଅଣାୟତ୍ତ ହୋଇପଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ନିକଟରେ ୩ ଛାତ୍ରଙ୍କ ମୃତ୍ୟୁ ପରେ ମଣିପୁରରେ ପୁଣି ଉତ୍ତେଜନା ବଢ଼ିଛି। ଲୋକଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଛି ଏବଂ ହଜାର ହଜାର ଛାତ୍ର ପ୍ରଦର୍ଶନ କରୁଛନ୍ତି। ରାଜଧାନୀ ଇମ୍ପାଲରେ ହତ୍ୟା ବିରୋଧରେ ହଜାର ହଜାର ଛାତ୍ରଙ୍କ ପ୍ରଦର୍ଶନ ଦ୍ବିତୀୟ ଦିନରେ ଜାରି ରହିଛି। ଘଟଣାକୁ ନେଇ ଅସନ୍ତୁଷ୍ଟ ଛାତ୍ରମାନେ ବିରୋଧ ପ୍ରଦର୍ଶନ କରି ରାଲି କରୁଛନ୍ତି ଏବଂ ନାରାବାଜି ଜାରି ରଖିଛନ୍ତି।
ଆହୁରି ପଢ଼ନ୍ତୁ: ଅଶାନ୍ତ ମଣିପୁର: ପୁଣି ତେଜିଲା ହିଂସା, ଇଣ୍ଟରନେଟ୍ ବନ୍ଦ ଓ ସ୍କୁଲ୍ ଛୁଟି
ସେପଟେ ଏହି ପୂରା ଘଟଣାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ କହିଛି ଜୁଲାଇରେ ନିଖୋଜ ହୋଇଥିବା ଦୁଇ ଛାତ୍ରଙ୍କ ଜଘନ୍ୟ ହତ୍ୟା ସମଗ୍ର ଦେଶକୁ ସ୍ତବ୍ଧ କରିଛି। ପ୍ରାୟ ୧୫୦ ଦିନରୁ ମଣିପୁର ଜଳୁଛି, ଲଗାତାର ହିଂସା ଘଟଣା ସାମ୍ନାକୁ ଆସିଛି। ରାଜ୍ୟରେ ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ଜୀବନ ଗଲାଣି, ହଜାର ହଜାର ଲୋକ ବାସହରା ହୋଇଛନ୍ତି, ଏହା ପରେବି କେନ୍ଦ୍ର ସରକାର କୌଣସି ପଦକ୍ଷେପ ଉଠାଉନାହାଁନ୍ତି। କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ମଧ୍ୟ ଟାର୍ଗେଟ କରି କହିଛି ‘ମଣିପୁର ଜଳୁଛି କିନ୍ତୁ ପିଏମଙ୍କୁ ସତ୍ତାର ଚିନ୍ତା ଘାରୁଛି।’ ମଣିପୁର ଉପରେ ଧ୍ୟାନ ଦେବା ବଦଳରେ ପିଏମ୍ ନିର୍ବାଚନ ପ୍ରଚାରରେ ବ୍ୟସ୍ତ।’’ ଏହା ସହ କଂଗ୍ରେସ ରାଜ୍ୟର ବିରେନ ସରକାରଙ୍କୁ ବରଖାସ୍ତ କରିବାକୁ ଦାବି କରିଛି।
ମୁଦାୟର ସଂସ୍ଥା, ଆଇଟିଏଲଏଫର ମହିଳା ଶାଖା ଓ୍ବିଙ୍ଗ୍ର ବିକ୍ଷୋଭ, ସ୍ଥିତି ଉପରେ ପୋଲିସ୍ର ନଜର
ଅନ୍ୟପଟେ କୁକୀ ସମୁଦାୟର ସଂସ୍ଥା, ଆଇଟିଏଲଏଫର ମହିଳା ଶାଖା ଓ୍ବିଙ୍ଗ୍ ଆଦିବାସୀଙ୍କ ହତ୍ୟା ଏବଂ ଦୁଷ୍କର୍ମ ମାମଲାରେ ସିବିଆଇ ଯାଞ୍ଚରେ ବିଳମ୍ବ ବିରୋଧରେ ଚୂରାଚନ୍ଦପୁରରେ ବିକ୍ଷୋଭ କରିଛନ୍ତି। ଏହାରି ମଧ୍ୟରେ ହିଂସା ଆଶଙ୍କାକୁ ଦେଖି ଇମ୍ଫାଲରେ ମଣିପୁର ପୋଲିସ୍, ସିଆରପିଏଫ ଏବଂ ଆରଏଏଫର ଯବାନଙ୍କୁ ନିୟୋଜିତ କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ, ପୋଲିସ୍ ସ୍ଥିତି ଉପରେ ନଜର ରଖିଛନ୍ତି। ଯେପରି କୌଣସି ଅପ୍ରୀତିକର ପରିସ୍ଥିତିକୁ ରୋକାଯାଇପାରିବ।
ଆହୁରି ପଢ଼ନ୍ତୁ: ମଣିପୁରରେ ୩ ପୋଲିସ ପ୍ରତିଷ୍ଠାନ ଉପରେ ଆକ୍ରମଣ ଉଦ୍ୟମ, ପୁଣି କଡ଼ାକଡି ହେଲା କର୍ଫ୍ୟୁ