ନୂଆଦିଲ୍ଲୀ ୦୫।୦୧; ଚୀନ୍ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶନିବାର ଚୀନ୍ର ଝାଙ୍ଗଜିଆକୋର ଫୁଡ୍ ମାର୍କେଟ୍ରେ ନିଆଁ ଲାଗିଯିବାର ଘଟଣା ସାମ୍ନାକୁ ଆସିଥିଲା। ଯାହା ଅଳ୍ପ ସମୟ ମଧ୍ୟରେ ଭୟଙ୍କର ରୂପ ନେଇଥିଲା। ଏହି ଘଟଣାରେ ପ୍ରାୟ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ଅନେକ ଦୋକାନ ପାଉଁଶ ହୋଇଯାଇଥିଲା।
ରିପୋର୍ଟ ଅନୁଯାୟୀ, ଅନେକ ଶ୍ୱାସରୁଦ୍ଧ ହୋଇ ଯିବାରୁ ସେମାନଙ୍କର ମୃତ୍ୟୁ ଘଟିଥିଲା। ଆଉ କିଛି ଜଳି ଯାଇଥିଲେ । ଏହି ଲୋକମାନଙ୍କ ମଧ୍ୟରୁ କେତେକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତ ଆଉ କିଛିଙ୍କୁ ଡାକ୍ତରଖାନାକୁ ନେବା ସମୟରେ ମୃତ୍ୟୁ ହୋଇଥିଲା। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି। କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।
ଏଭଳି ପରିସ୍ଥିତିରେ ମୃତ୍ୟୁସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି। ଘଟଣା ସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ତେବେ ଏହି ଦୁର୍ଘଟଣା ଯୋଗୁ ଫୁଡ୍ ମାର୍କେଟରେ ଅନେକ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏବେ ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।