ହାଇୱେ ମର୍ଡର ମାମଲା, ସହଦେବଙ୍କ ପରିବାରକୁ ଅନୁକମ୍ପା ରାଶି ଏବଂ ସରକାରୀ ଚାକିରି ଦେବା ପାଇଁ ମେୟରଙ୍କ ଦାବି

Published By : Prameya-News7 Bureau | January 10, 2025 IST

ଭୁବନେଶ୍ୱର: ସହଦେବ ନାୟକଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହଯୋଗ ଯୋଗାଇବା ପାଇଁ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀଙ୍କ ଚିଠି ଲେଖିଛନ୍ତି ଭୁବନେଶ୍ୱର ମେୟର । ବିଏମସିର ସଫେଇ ମଜଦୁର ଥିବା ସହଦେବ ନାୟକଙ୍କ ପରିବାରକୁ 30 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସହ ମୃତଙ୍କ ସ୍ତ୍ରୀଙ୍କୁ ବିଏମସିରେ ଚାକିରି ଦେବା ପାଇଁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ ବୁଧବାର ସକାଳ ପ୍ରାୟ ୮ଟା ସମୟରେ ରସୁଲଗଡ଼ ଓଭରବ୍ରିଜ୍ ଉପରେ ସହଦେବ ନାୟକ ନାମକ ଜଣେ ଯୁବକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ସହଦେବ ନାୟକ ଏକ ନାଲି ରଙ୍ଗର ଜୁପିଟର ବାଣୀବିହାରରୁ ରସୁଲଗଡ଼ ପଟକୁ ଆସୁଥିଲେ । ଏହି ସମୟରେ ଦୁଇଟି ବାଇକରେ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ । ଆଉ ଶେଷରେ ଜାତୀୟ ରାଜପଥର ବାଣୀବିହାର ଓଭରବ୍ରିଜ ଉପରେ ତାଙ୍କୁ ଅତର୍କିତ ଭାବେ ଖଣ୍ଡାରେ ଚୋଟ ମାରିଥିଲେ । ଫଳରେ ତାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିଲା । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ବାଇକ୍‌ ଯୋଗେ ଫେରାର ହୋଇଯାଇଥିଲେ । ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ ୫ଜଣ ଗିରଫ ହେଲେଣି । ବୁଧବାର ୩ ଅଭିଯୁକ୍ତ ରବି ନାୟକ, ଲକ୍ଷ୍ମୀଧର ନାୟକ ଏବଂ ଲିପିକା ନାୟକଙ୍କୁ ଗିରଫ କରିଥିବା ବେଳେ ଗୁରୁବାର ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.