ଭଦ୍ରକ: ଘରେ ପଶି ୩ ମହିଳାଙ୍କୁ ହାଣିଦେଲେ ଦୁର୍ବୃତ୍ତ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଦେଓପଦା ଗାଁର। ତିନି ମହିଳାଙ୍କ ସମ୍ପର୍କରେ ଶାଶୁ-ବୋହୂ। ଆକ୍ରମଣରେ ବଡ଼ ବୋହୂଙ୍କ ମୃତ୍ୟୁ ହୋଇଥିବାବେଳେ ସାନ ବୋହୂ ଓ ଶାଶୁ ଗୁରୁତର ଆହତ ହୋଇଛନ୍ତି। ମୃତାହତ ହେଲେ ବଡ଼ ବୋହୂ ଝୁନୁଲତା ସାହୁ, ସାନ ବୋହୂ ସସ୍ମିତା ସାହୁ ଏବଂ ଶାଶୁ କନକ ଲତା।
ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟାରେ ଘରେ କେବଳ କନକ ଲତା ଏବଂ ତାଙ୍କର ଦୁଇ ବୋହୂ ଥିବା ସମୟରେ ହଠାତ୍ କିଛି ଦୁର୍ବୃତ୍ତ ଘରେ ପଶି ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ହୋଇପଡ଼ିଥିଲେ ସମସ୍ତେ।
ସେମାନଙ୍କୁ ଗୁରୁତର ଅବସ୍ଥାରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ବଡ଼ ବୋହୂଙ୍କୁ ମୃତ ଘୋଷଣା କରିଥିଲେ। ସାନ ବୋହୂ ଓ ଶାଶୂ କନକ ଲତା ସାହୁ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ତେବେ ଆକ୍ରମଣର କାରଣ ଜଣାପଡ଼ିନଥିବାବେଳେ ଏହା ପଛରେ ଏକାଧିକ ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।