ଭୁବନେଶ୍ୱର: ହେଲ୍ଥ ରେକର୍ଡସ ଆସୋସିଏସନ୍ ଅଫ୍ ଇଣ୍ଡିଆର ୨୪ତମ ଜାତୀୟ ସମ୍ମିଳନୀ ସୋଆ ପରିଚାଳିତ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ) ଠାରେ ଗତ ଫେବୃଆରୀ ୨୧ ଓ ୨୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୪୫୦ରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟ ଓ ମେଡିକାଲ୍ ରେକର୍ଡ ବିଶେଷଜ୍ଞ ଯୋଗ ଦେଇଥିଲେ ।
ସମ୍ମମର ମେଡିକାଲ୍ ରେକର୍ଡସ ବିଭାଗ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀକୁ ହସ୍ପିଟାଲ୍ର ଚିଫ୍ ଏଗ୍ଜିକ୍ୟୁଟିଭ୍ ଅଫିସର ଡ. ଶ୍ୱେତପଦ୍ମା ଦାଶ ଉଦ୍ଘାଟନ କରିଥିଲେ । ଏହି ଅବସରରେ ହସ୍ପିଟାଲ୍ର ମେଡିକାଲ୍ ସର୍ଭିସେସ୍ ମୁଖ୍ୟ ବ୍ରିଗେଡିୟର (ଡ.) ବିରାଜ ମୋହନ ମିଶ୍ର ତଥା ହେଲ୍ଥ ରେକର୍ଡସ ଆସୋସିଏସନ୍ ଅଫ୍ ଇଣ୍ଡିଆନର ସଭାପତି ଶ୍ରୀ ସୁରେଶ କାର୍ଲେଟନ ଓ ସଂପାଦକ ଶ୍ରୀ ୱିଲସନ୍ ଥାୟା ଜି ଉପସ୍ଥିତ ଥିଲେ ।
Also read: ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ: ହଷ୍ଟେଲ ମାଟ୍ରନ ବହିଷ୍କୃତ, ANM ନିଲମ୍ୱିତ
ଡ. ଦାଶ ତାଙ୍କ ବକ୍ତୃତାରେ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସର ଅଭ୍ୟୁଦୟ ପରିପ୍ରେକ୍ଷୀରେ ଡାକ୍ତରୀ ଚିକିତ୍ସାରେ ମେଡିକାଲ୍ ରେକର୍ଡସର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ସମ୍ମିଳନୀର ମୂଳ ପ୍ରସଙ୍ଗ ଥିଲା ‘କରେଂଟ ଟ୍ରେଣ୍ଡସ୍ ଇନ୍ ମେଡିକାଲ୍ ରେକର୍ଡସ ଆଣ୍ଡ ହେଲ୍ଥ ଇନ୍ଫର୍ମେସନ୍ ମ୍ୟାନେଜମେଂଟ ଉଇଥ ରେଫରେନ୍ସ ଟୁ କ୍ୱାଲିଟି ଆକ୍ରେଡିଟେସନ୍ ଆଣ୍ଡ ମେଡିକୋ ଲିଗାଲ ଆସ୍ପେକ୍ଟସ’ ।
ଡ. ଦାଶ ମଧ୍ୟ ଆସୋସିଏସନ୍ର ୱେବସାଇଟ୍ ଓ ଅନଲାଇନ୍ ପୋର୍ଟାଲକୁ ଏହି ଅବସରରେ ଉନ୍ମୋଚିତ କରିଥିଲେ । ଏହାଛଡ଼ା ଆସୋସିଏସନ୍ର ଓଡ଼ିଶା ଶାଖାର ୭ ଜଣ ସଭ୍ୟଙ୍କୁ ସେମାନଙ୍କର ଏହି କ୍ଷେତ୍ରରେ ଅବଦାନ ନିମନ୍ତେ ସମ୍ମାନିତ କରାଯାଇଥିଲା । ସମ୍ମାନିତ ସଭ୍ୟମାନେ ହେଲେ ଶ୍ରୀ ବିଜୟ କୁମାର ବେହେରା, ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ରଣା, ଶ୍ରୀ ମନୋଜ କୁମାର ବେହେରା, ଶ୍ରୀ ନାରାୟଣ ଚନ୍ଦ୍ର ବେହେରା, ଶ୍ରୀ ଅଜୟ କୁମାର ମହାପାତ୍ର, ଶ୍ରୀ ସୁଜିତ କୁମାର ରାଉଳ ଓ ଶ୍ରୀ ରତିକାନ୍ତ ବାରିକ ।