ସୋର ୨୪।୩: ବାଲେଶ୍ବର ଜିଲ୍ଲା ସିମୁଳିଆ ଅଞ୍ଚଳରେ ବଢ଼ୁଛି ଡକାୟତି ଓ ଲୁଟ୍ ଘଟଣା l ଘରେ ପଶି ଆକ୍ରମଣ କରି ନଗଦ ଟଙ୍କା ସହ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ସେହିଭଳି ମାର୍କୋଣା ବଜାରରେ ଏକ ମୋବାଇଲ ଦୋକାନରେ ଲୁଟ୍ ବେଳେ ତିନି ଲୁଟେରାଙ୍କୁ ମାଡି ବସିଥିଲା ପୋଲିସ l
ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଟି ପଞ୍ଚାୟତ ବଣଗଡିଆ ଗ୍ରାମର ବ୍ୟବସାୟୀ ଆନନ୍ଦ ବେହେରାଙ୍କ ଘରୁ ଲୁଟ୍ ହୋଇଛି । ପ୍ରାୟ ୬ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଘର ପଛ ପଟ ଛାତ ଉପରେ ଚଢି ଘର ଭିତରକୁ ପଶିଥିଲେ l ପରିବାର ଲୋକ ଶୋଇଥିବା ବେଳେ ଦୁର୍ବୃତ୍ତ ମାନେ ପ୍ରଥମେ ମୋବାଇଲ ଗୁଡିକ ଆଣି ଭାଙ୍ଗି ଦେଇଥିଲେ । ପରେ ଭୁଜାଲିରେ ପୁଅ ରତିକାନ୍ତଙ୍କ ହାତକୁ ହାଣି ଗୁରୁତର କରିଥିଲେ । ଏହାପରେ ଆଲମିରା ଭାଙ୍ଗି ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସମେତ ସୁନାରୁପା ଅଳଙ୍କାର ଲୁଟ୍ କରି ଫେରାର ହୋଇଯାଇଥିଲେ l ଆକ୍ରମଣରେ ରତିକାନ୍ତ ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ସିମୁଳିଆ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l
ସେହିପରି ମାର୍କୋଣା ବଜାରରେ ଥିବା ଏକ ମୋବାଇଲ ଦୋକାନର ତାଲା ଭାଙ୍ଗି ଲୁଟ୍ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି । ଦୋକାନରେ ଲୁଟ୍ ଉଦ୍ୟମ ବେଳେ ପାଖ ଦୋକାନୀ ମାଲିକ ସମୀରକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ସେ ସିମୁଳିଆ ପୋଲିସକୁ ଖବର ଦେଇଥିଲେ l ପୋଲିସ ଘଟଣାସ୍ଥଳରେ ପହଞ୍ଚିଯିବାରୁ ୫ ଜଣ ଯୁବକ ଦୌଡି ପଳାଇ ଯାଉଥିବା ବେଳେ ପୋଲିସ ୩ ଜଣଙ୍କୁ କାବୁ କରିଥିଲା l ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିଲେ l ମୋବାଇଲ ଦୋକାନରୁ ଲୁଟ୍ ଉଦ୍ୟମର ସମସ୍ତ ଭିଡିଓ ସିସିଟିଭିରେ କଏଦ ହୋଇଛି l
You Can Read:
୧୨ଟା ୯ ଯାଏଁ ବିଧାନସଭା ମୁଲତବୀ, ଗୃହ ମଧ୍ୟଭାଗକୁ ଆସି ଘଣ୍ଟ ଓ ଗିନି ବାଡ଼େଇଲା କଂଗ୍ରେସ