ଭୋପାଲ: ୭ ରୋଗୀଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ନକଲି ଡାକ୍ତର ଗିରଫ । ପ୍ରୟାଗରାଜରୁ ଫର୍ଜି ଡାକ୍ତର ନରେନ୍ଦ୍ର ବିକ୍ରମାଦତ୍ୟ ଯାଦବଙ୍କୁ ବାନ୍ଧିଲା ଉତ୍ତର ପ୍ରଦେଶ ପୋଲିସ । ନିଜକୁ ୟୁକେ କାର୍ଡିଓଲଜିଷ୍ଟି ଡାକ୍ତର ଏନ୍ ଜନ୍ କ୍ୟାମ୍ କହି ଦମୋହ ଏକ ଜିଲ୍ଲାର ମିଶନାରୀ ହସ୍ପିଟାଲରେ ଚାକିରି କରୁଥିଲେ । ଦୁଇ ମାସର ସ୍ବଳ୍ପ ଚାକିରି ଭିତରେ ନକଲି ଡାକ୍ତର ୭୦ଜଣ ରୋଗୀଙ୍କୁ ଚେକ୍-ଅପ୍ କରିବା ସହିତ ୧୩ଜଣଙ୍କ ସର୍ଜରୀ କରିଥିଲେ । ଏଥିରୁ ୭ଜଣଙ୍କ ମୃତ୍ୟୁ ହୋଇଛି । ପରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ନକଲି ଡାକ୍ତର ବିଳାସପୁର ମଧ୍ୟ ଚାକିରି କରୁଥିଲେ । ୨୦୦୬ରେ ଛତିଶଗଡ଼ର ଏକ ଘରୋଇ ହସ୍ପିଟାଲରେ ଚାକିରି କରୁଥିବାବେଳେ ରାଜ୍ୟର ପ୍ରଥମ ବିଧାନସଭା ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ଶୁକ୍ଲାଙ୍କ ଅପରେସନ କରିଥିଲେ । ଏହା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, କ୍ୟାମ୍ ଭୋପାଳର ଏକ ଏଜେନ୍ସି ମାଧ୍ୟମରେ ନିଯୁକ୍ତି ପାଇଥିଲେ । ପ୍ରତି ମାସରେ ୮ ଲକ୍ଷ ଟଙ୍କାର ମୋଟା ଦରମା ନେଉଥିଲେ । ଦମୋହର ପୋଲିସ ଆରକ୍ଷୀ ଅଧିକ୍ଷକ ଶ୍ରୁତ କୀର୍ତ୍ତି ସୋମବଂଶୀ କହିଛନ୍ତି, ଜିଲ୍ଲାର ମୁଖ୍ୟ ଚିକିତ୍ସା ଓ ସ୍ବାସ୍ଥ୍ୟ ଅଧିକାରୀ ଏମ.କେ ଜୈନଙ୍କ ଅଭିଯୋଗ ପରେ ରବିବାର ବିଳମ୍ବିତ ରାତିରେ ନକଲି ଡାକ୍ତର ନରେନ୍ଦ୍ର ଜନ୍ କ୍ୟାମଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏସ୍ପି ଆହୁରି ମଧ୍ୟ କହିଛନ୍ତି, ନରେନ୍ଦ୍ର ବିକ୍ରମାଦତ୍ୟଙ୍କ ନାଁରେ ମାମଲା ରୁଜୁ ହେବା ପୂର୍ବରୁ ସେ ଭାରତର ବିଭିନ୍ନ ହସ୍ପିଟାଲ କାର୍ଯ୍ୟ କରୁଥିଲେ, ପୋଲିସ ସମସ୍ତ ହସ୍ପିଟାଲକୁ ଯାଇ କାଗଜପତ୍ର ଛାନଭୀନ୍ କରୁଛି ।
ନକଲି ଡାକ୍ତର ନରେନ୍ଦ୍ର ଜନ୍ କ୍ୟାମ୍ ଆପୋଲୋ ହସ୍ପିଟାଲରେ ମଧ୍ୟ ଚାକିରି କରୁଥିଲେ । ସେ ମାତ୍ର ଦୁଇ ମାସ ପାଇଁ ଚିକିତ୍ସା ସେବା ଯୋଗାଇଥିଲେ । ଆପୋଲୋ ହସ୍ପିଟାଲ ତାଙ୍କୁ ଭାରତର ସର୍ବଶ୍ରେଷ୍ଠ କାର୍ଡିଓଲୋଜିଷ୍ଟ ଭାବେ ଅଭିହିତ କରିଥିଲା । ସେ ସେଠାରେ ଲେଜର ବ୍ୟବହାର କରି ସର୍ଜରୀ କରୁଥିଲେ । ପରେ ତାଙ୍କର ଅସଲ ଚେହେରା ସାମ୍ନାକୁ ଆସିଥିଲା । ନରେନ୍ଦ୍ର ଜନ୍ କ୍ୟାମ୍ଙ୍କ ନିକଟରେ କୌଣସି ପ୍ରକାର ଡାକ୍ତରୀ ଡିଗ୍ରୀ ନଥିବା ଜଣାପଡ଼ିଥିଲା । ତାଙ୍କ ନାଁରେ ମାମଲା ରୁଜୁ ହେବା ପରେ ମେଡିକାଲ୍ ଆସୋସିଏସନର ବିଳାସପୁର ୟୁନିଟ୍ ଯାଞ୍ଚ କରିଥିଲା । ଏଥିରୁ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା । ନକଲି ଡାକ୍ତର ନରେନ୍ଦ୍ର ଜନ୍ କ୍ୟାମ୍ଙ୍କଠୁ ଚିକିତ୍ସିତ ହୋଇଥିବା ୮୦ ପ୍ରତିଶତ ରୋଗୀଙ୍କୁ ମୃତ୍ୟୁ ହୋଇଛି ।