ଜେଦା: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫ ପାଇଁ ଆଜିଠୁ ସାଉଦି ଆରବର ସହର ଜେଦାରେ ମେଗା ନିଲାମ ଆରମ୍ଭ ହୋଇଛି। ଆଉ ଖେଳାଳିଙ୍କ ଉପରେ ମଧ୍ୟ ଟଙ୍କା ବର୍ଷା ହେଉଛି।ଏହିକ୍ରମରେ ମିଚେଲ୍ ଷ୍ଟାର୍କଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୧.୭୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି। ଷ୍ଟାର୍କଙ୍କୁ ନିଜ ଦଳରେ ରଖିବା ପାଇଁ ଦୁଇ ପୁରୁଣା ଦଳ ଆରସିବି ଓ କେକେଆର ମଧ୍ୟରେ ପ୍ରତିଯୋଗିତ ହୋଇଥିଲା। ଶେଷରେ ଷ୍ଟାର୍କଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ଦଳରେ ସାମିଲ କରିଛି।
ଏହା ପୂର୍ବରୁ ଆଇପିଏଲ୍ର ସବୁଠୁ ମହଙ୍ଗା ଖେଳାଳି ଥିଲେ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ। ତାଙ୍କୁ ଗତ ନିଲାମରେ କେକେଆର ୨୪.୭୫ କୋଟି ଟଙ୍କାରେ କିଣିଥିଲା। ଏଥର ତାଙ୍କର ଦରମାରେ ୧୩ କୋଟି ଟଙ୍କା କ୍ଷତି ଘଟିଛି।
ମିଚେଲ୍ ଷ୍ଟାର୍କଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା ଓ ତାଙ୍କ ଉପରେ ସର୍ବ ପ୍ରଥମେ ନିଲାମ ଡାକରା ୫ ଥରର ଆଇପିଏଲ୍ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଡାକରା ଆରମ୍ଭ କରିଥିଲା। ଏଥିରେ ସାମିଲ ହୋଇଥିଲା କେକେଆର। ଆଉ ଗତ ସଂସ୍କରଣର ଚାମ୍ପିଅନ କେକେଆର ୧୦ କୋଟି ଟଙ୍କାରେ ଅଟକିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଷ୍ଟାର୍କଙ୍କୁ କିଣିବା ପାଇଁ ଆରମ୍ଭରୁ ମନସ୍ଥ କରି ସାରିଥିଲା। କାରଣ ଦିଲ୍ଲୀ କ୍ୟାପିଟାଲ୍ସ ୬.୭୫ କୋଟିରୁ ଆରମ୍ଭ କରିଥିଲା। ଆଉ ଶେଷରେ ଏହି ଅଷ୍ଟ୍ରେଲିଆର ତାରକା ବୋଲରଙ୍କୁ ୧୧.୭୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରି ପାରିଛି। ଆରସିବି ୧୧.୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଯାଇଥିଲେ ହେଁ ଦିଲ୍ଲୀ ଷ୍ଟାର୍କଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲା।
ଅଷ୍ଟ୍ରେଲିଆର ବାମହାତୀ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ଆଇପିଏଲ୍ ୨୦୨୪ରେ ୧୪ଟି ମ୍ୟାଚ୍ ଖେଳି ୧୭ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ସିରିଜର ପ୍ରାରମ୍ଭିକ ମ୍ୟାଚ୍ରେ ଷ୍ଟାର୍କ ଖୁବ୍ ରନ ଦେଇଥିଲେ। ଏହି କାରଣରୁ ତାଙ୍କୁ ଖୁବ୍ ସମାଲୋଚନା କରାଯାଇଥିଲା। ତେବେ ପ୍ଲେ ଅଫ୍ ଷ୍ଟେଜରେ ମିଚେଲ୍ ଷ୍ଟାର୍କ ବହୁତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲେ ଏବଂ କୋଲକାତାକୁ ଆଇପିଏଲ୍ ଚାମ୍ପିଅନ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଇଥିଲ।