କୀଟନାଶକ ଶୁଙ୍ଘି ମରିଗଲେ ଶହେ ମାଙ୍କଡ, ଘଟଣା ଲୁଚାଇବା ପାଇଁ ପୋତିଦେଲେ FCI କର୍ମଚାରୀ

Published By : Prameya-News7 Bureau | November 23, 2024 IST

ନୂଆଦିଲ୍ଲୀ ୨୩।୧୧: କୀଟନାଶକ ନେଲା ମାଙ୍କଡ଼ଙ୍କ ଜୀବନ । ଗୋଟିଏ କି ୨ଟି ନୁହେଁ ୧୦୦ଟି ମାଙ୍କଡଙ୍କର ଯାଇଛି ଜୀବନ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ । ଏପରି ଘଟଣା ରାଜଧାନୀ ଦିଲ୍ଲୀରେ ହୋଇଛି । ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ବା ଭାରତୀୟ ଖାଦ୍ୟ ନିଗମର ଗୋଦାମରେ କୀଟନାଶକ କରାଯାଇଥିଲା ସ୍ପ୍ରେ ।

କୀଟନାଶକ ପଡିଥିବା ଏହି ଗୋଦାମକୁ ଚାଲିଯାଇଥିଲେ ମାଙ୍କଡ । ଏମାନେ କୀଟନାଶକ ପଡିଥିବା ଖାଦ୍ୟକୁ ଶୁଙ୍ଘିବା ପରେ ଜଣକ ପରେ ଜଣେ ମରିଯାଇଥିଲେ । ତେବେ ଏହି ଘଟଣାକୁ ଲୁଚେଇବାକୁ ଚେଷ୍ଠା କରିଥିଲେ ଗୋଦାମ କର୍ମଚାରୀ । ଏଥିପାଇଁ ପୋତି ଦେଇଥିଲେ ମାଙ୍କଡ଼ଙ୍କ ମୃତଦେହ । ବର୍ତ୍ତମାନ ଏହି ଘଟଣା ଲୋକଲୋଚନକୁ ଆସିଛି । 

ମାଙ୍କଡ଼ଙ୍କ ମୃତ୍ୟୁ ସଂପର୍କରେ ଗତ ବୁଧବାର ଦିନ ପ୍ରଥମେ ପୋଲିସ୍ ଖବର ପାଇଥିଲା । ପରେ ଛାନଭିନ୍ କରିଥିଲା ପୋଲିସ୍ । ଏହାପରେ ପୋତା ଯାଇଥିବା ଗାତକୁ ମାଙ୍କଡ଼ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପଶୁ ଡାକ୍ତରମାନଙ୍କ ଦ୍ୱାରା ଏହି ମୃତଦେହ ଗୁଡିକର ପୋଷ୍ଟମର୍ଟମ କରାଯାଇଛି । ଏବେ ସଂପୃକ୍ତ ଖାଦ୍ୟ ନିଗମ କର୍ମଚାରୀଙ୍କ ବିରୋଧରେ କେଶ୍ ରୁଜୁ ହୋଇଛି । 

ଗୋଦାମରେ ରଖାଯାଇଥିବା ଗହମ ବସ୍ତା ଉପରେ ଆଲୁମିନିୟମ୍ ଫସଫାଇଡ୍ କୀଟନାଶକ ଗତ ୭ ତାରିଖରେ ପ୍ରୟୋଗ କରାଯାଇଥିଲା । ପୋଲିସର କହିବା ଅନୁଯାୟୀ, ଗୋଦାମର ଏକ ଭଙ୍ଗା ଝରକା ପଟେ ମାଙ୍କଡମାନେ ରାତିରେ ପଶିଥିଲେ । 

ଏହା ପରେ ସେମାନେ ଏହି ବିଷାକ୍ତ ଗ୍ୟାସ ଶୁଙ୍ଘି ସେହିଠାରେ ଟଳି ପଡିଥିଲେ । ନଭେମ୍ୱର ୯ ତାରିଖରେ ଗୋଦାମର କର୍ମଚାରୀମାନେ ଏହି ମୃତ ମାଙ୍କଡ଼ମାନଙ୍କୁ ଦେଖିଥିଲେ । ଏହି ଘଟଣାକୁ ଲୁଚେଇବା ପାଇଁ କର୍ମଚାରୀମାନେ ମୃତ ମାଙ୍କଡଙ୍କୁ ପୋତି ଦେଇଥିଲେ । 

ତେବେ ଶହେ ମାଙ୍କଡ଼ ମରିବା ଘଟଣା ଦିଲ୍ଲୀରେ ପ୍ରଥମ ଘଟଣା ନୁହେଁ । ଗତବର୍ଷ ତେଲଙ୍ଗାନାର ସିଡିପେଟ୍ ଜିଲ୍ଲାର ଏକ ଗାଁରେ ମଧ୍ୟ ବିଷକ୍ରିୟାରୁ ଗୋଟିଏ ଦିନରେ ପ୍ରାୟ ଶହେ ମାଙ୍କଡ଼ଙ୍କ ମୃତ୍ୟୁ ଘଟିଥିଲା । ପରେ ମୃତଦେହଗୁଡିକୁ ଏକାଠି ପୋତି ଦିଆଯାଇଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.