ହାରିଗଲେ ହିଁ ଇଭିଏମ୍ ଟ୍ୟାମ୍ପର ଅଭିଯୋଗ: ବାଲଟ ପେପର ବ୍ୟବହାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | November 26, 2024 IST

indiatoday

ନୂଆଦିଲ୍ଲୀ: ନିର୍ବାଚନରେ ଇଲେକ୍ଟ୍ରିକ୍ ଭୋଟିଂ ମେସିନ(ଇଭିଏମ୍) ବଦଳରେ ବାଲଟ ପେପର ବ୍ୟବହାର କରାଯାଉ ବୋଲି ଦାବି କରି ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ମାମଲାର ଶୁଣାଣି କରୁଥିବା ବିକ୍ରମ ନାଥ ଏବଂ ପିବି ବରାଲେଙ୍କ ଖଣ୍ଡପୀଠ କହିଛନ୍ତି “ଏ କ'ଣ ହେଉଛି, ଆପଣ ଯେତେବେଳେ ନିର୍ବାଚନ ଜିତୁଛନ୍ତି ସେତେବେଳେ ଇଭିଏମ୍‌ ଟ୍ୟାମ୍ପର ହେଉନାହିଁ। ହେଲେ ଯେତେବେଳେ ହାରିଯାଉଛନ୍ତି ସେତେବେଳେ ଟ୍ୟାମ୍ପର ହୋଇଛି ବୋଲି ଅଭିଯୋଗ କରୁଛନ୍ତି।”

ଆବେଦନ କର୍ତ୍ତା କ. ପଲ କହିଛନ୍ତି ଯେ ଗଣତନ୍ତ୍ରର ସୁରକ୍ଷା ପାଇଁ ବାଲଟ ପେପର ଖୁବ ଜରୁରୀ। ହେଲେ ଇଭିଏମ୍‌ ଟ୍ୟାମ୍ପରିଂର ଆଶଙ୍କା ରହୁଛି। ଏଥିରେ ଦେଶର ରାଜନେତାଙ୍କ ସହିତ ବିଶ୍ୱର ଶ୍ରେଷ୍ଠ ଧନୀଙ୍କ ଉଦାହରଣ ବି ଦେଇଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମଧ୍ୟ ଇଭିଏମ୍‌ ଟ୍ୟାମ୍ପର କରାଯାଇପାରେ ବୋଲି କହିଥିଲେ। ଟେସ୍‌ଲା ସିଇଓ ଏଲନ ମସ୍କ ମଧ୍ୟ ହ୍ୟାକ୍‌ ହେବାର ସମ୍ଭାବନା ଅଛି ବୋଲି କହିଥିବା ଶ୍ରୀ ପଲ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। 

ହେଲେ ମାମଲାରେ ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି “ ଯେତେବେଳେ ଚନ୍ଦ୍ରବାବୁ ନାଇଡୁ ଓ ଶ୍ରୀଯୁକ୍ତ ରେଡ୍ଡୀ ହାରିଗଲେ ସେମାନେ ଇଭିଏମ୍ ଟାମ୍ପର କଥା କହିଲେ। ହେଲେ ଯେତେବେଳେ ଜିତିଥିଲେ ସେତେବେଳେ କିଛି କହିଲେ ନାହିଁ। ଆମେ ଏହାକୁ କିପରି ଦେଖିବୁ? ଆମେ ଏହାକୁ ଖାରଜ୍ କରୁଛୁ।” ଏସବୁ ବିଷୟରେ ତର୍କ କରିବାର ସ୍ଥାନ କୋର୍ଟ ନୁହେଁ ବୋଲି ଜଷ୍ଟିସ୍ ନାଥ କହିଛନ୍ତି। 

ଏହି ଦାବି ସହିତ ପଲ ଆଉ ଏକ ଦାବି ମଧ୍ଯ କରିଥିଲେ। ଯେଉଁ ନେତାମାନେ ମଦ, ମାଂସ ଓ ଟଙ୍କା ଆଦି ବାଣ୍ଟୁଥିବାର ଧରାପଡ଼ନ୍ତି ସେମାନଙ୍କୁ ଅତି କମ୍‌ରେ ୫ ବର୍ଷ ପାଇଁ ନିର୍ବାଚନ ଲଢ଼ିବାରେ ବ୍ୟାନ୍ କରାଯାଉ। ଉତ୍ତରରେ କୋର୍ଟ କହିଥିଲେ ଯେ ଆପଣ ଭଲ ଜନସ୍ୱାର୍ଥ ମାମଲା ଉଠାଇଛନ୍ତି। ଏଭଳି ଆଇଡିଆ କେଉଁଠୁ ପାଉଛନ୍ତି ? ଏହାପରେ ପଲ୍ କହିଥିଲେ ଯେ ସେ ୧୫୦ରୁ ଅଧିକ ଦେଶ ବୁଲିଛନ୍ତି। ଏକାଧିକ ଦେଶ ବାଲଟ ପେପର ଆପଣାଇଛନ୍ତି। ଏହାପରେ କୋର୍ଟ କହିଥିଲେ ଯେ ଆମେ କାହିଁକି ଟିକେ ଅଲଗା ନ କରିବା? ଏଭଳି ତର୍କ ବିତର୍କ ପରେ କୋର୍ଟ ଆବେଦନ ଖାରଜ୍ କରି ଦେଇଥିଲେ। 

ମହାରାଷ୍ଟ୍ରରେ ପରାଜୟ ପରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଓ ଇଭିଏମ୍‌କୁ ସମାଲୋଚନା କରିଥିଲେ। ବାଲଟ ପେପର ପୁଣିଥରେ ଆରମ୍ଭ କରାଯାଉ ବୋଲି  ସେ ମଙ୍ଗଳବାର ଦାବି କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.