ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ପରେ ଦେଶରେ ପୁଣି ଥରେ ବାଲାଟ୍ ପେପରରେ ନିର୍ବାଚନ କରିବାକୁ ଦାବି ଉଠିଛି। ଆଉ ଏହି ଦାବିକୁ ଅଧିକ ଶାଣିତ କରିବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ। କଂଗ୍ରେସ ବାଲାଟ୍ ପେପରରେ ନିର୍ବାଚନ କରାଇବା ଦାବିରେ ଦେଶବ୍ୟାପୀ ଅଭିଯାନ ଚଲାଇବାକୁ ଘୋଷଣା କରିଛି। ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଦେଶରେ ବାଲାଟ୍ ପେପରରେ ନିର୍ବାଚନ କରାଯାଉ। ଏହି ଦାବିରେ ଆମେ ଭାରତ ଯୋଡ଼ୋ ଯାତ୍ରା ପରି ପୂରା ଦେଶରେ ସ୍ଵତନ୍ତ୍ର ଅଭିଯାନ ଚଲାଇବୁ। ଓବିସି, ଏସସି, ଏସଟି ଓ ଦୁର୍ବଳ ବର୍ଗର ଲୋକ ଇଭିଏମରେ ଯେଉଁ ଭୋଟ୍ ଦେଉଛନ୍ତି ତାହା ସବୁ ବରବାଦ ହେଉଛି। ତେଣୁ ବାଲାଟ୍ ପେପରରେ ଭୋଟ୍ କରିବାକୁ ଦାବି କରାଯାଉ। ଶାସକ ଦଳର ଲୋକମାନଙ୍କୁ ନିଜର ମେସିନ ତାଙ୍କ ଘରେ ରଖିବାକୁ ଦିଆଯାଉ। ଅହମ୍ମଦାବାଦରେ ବହୁତ ଗୋଦାମ ରହିଛି, ସେଠାକୁ ଯାଇ ସେମାନେ ମେସିନ ରଖନ୍ତୁ। ଆମର ଏକମାତ୍ର ଦାବି ବାଲାଟ୍ ପେପରରେ ନିର୍ବାଚନ କରାଯାଉ। ଯଦି ଏମିତି ନିର୍ବାଚନ କରାଯାଏ ତେବେ ଶାସକ ଦଳ ଜାଣି ପାରିବେ ଯେ ଦେଶରେ ସେମାନେ କେଉଁ କୋଣରେ ଛିଡ଼ା ହୋଇଛନ୍ତି।
ପାର୍ଟି ଅଧ୍ୟକ୍ଷ ଏହା ମଧ୍ୟ କହିଛନ୍ତି, ଆମ ପାର୍ଟିକୁ ଏକ ଅଭିଯାନ ଆରମ୍ଭ କରିବା ଉଚିତ ଏବଂ ସବୁ ପାର୍ଟିକୁ ଏକାଠି ମିଶି କାମ କରିବା ଉଚିତ୍। ଆମେ ଏବେ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଭାରତ ଯୋଡ଼ୋ ଯାତ୍ରା ପରି ସମଗ୍ର ଦେଶରେ ବ୍ୟାପକ ଅଭିଯାନ ଚଳାଇବୁ। ଏହି ସମୟରେ ମଲ୍ଲିକାର୍ଜୁନ ଖଡ଼ଗେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିଗତ ଜନଗଣନାକୁ ଡରୁଛନ୍ତି। ମୋଦୀଙ୍କୁ ବୁଝିବା ଉଚିତ୍ ଯେ, ସମାଜର ପ୍ରତ୍ୟେକ ବର୍ଗ ନିଜର ଭାଗିଦାରୀ ଚାହୁଁଛନ୍ତି।
ଯଦି ବାସ୍ତବରେ ପ୍ରଧାନମନ୍ତ୍ରୀ ଦେଶରେ ଏକତା ଚାହୁଁଛନ୍ତି ତେବେ ଘୃଣା ପ୍ରଚାର କରିବା ବନ୍ଦ କରନ୍ତୁ। ସମ୍ବିଧାନ ଦିବସ ଉପଲକ୍ଷେ ମଲ୍ଲିକାର୍ଜୁନ ଖଡ଼ଗେ ଦୁଇ ଦିନ ସଂସଦରେ ବାଲାଟ୍ ଉପରେ ଆଲୋଚନା ହେଉ ବୋଲି ଦାବି କରିଛନ୍ତି।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ବିପୁଳ ବିଜୟ ପରେ ପୁଣି ଥରେ ବିରୋଧୀ ଦଳ ଇଭିଏମ ପ୍ରସଙ୍ଗ ଉଠାଇଛନ୍ତି। ଉଦ୍ଧବ ସେନାର ସଞ୍ଜୟ ରାଉତଙ୍କ କହିବା କଥା ପୁନର୍ବାର ମହାରାଷ୍ଟ୍ରରେ ନିର୍ବାଚନ କରାଯାଉ ଏବଂ ବାଲାଟ୍ ପେପରରେ ଭୋଟିଂ ହେଲେ ସଠିକ୍ ଫଳାଫଳ ସାମ୍ନାକୁ ଆସିବ। କେବଳ ଏତିକି ନୁହେଁ ଶରଦ ପାଓ୍ଵାର ମଧ୍ୟ ଇଭିଏମକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।