ନୂଆଦିଲ୍ଲୀ: 'ଆମ ସମ୍ବିଧାନ ଆମ ସ୍ବାଭିମାନ' । ସମ୍ବିଧାନ ଦିବସରେ ସଂସଦର ସେଣ୍ଟ୍ରାଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ୍ ହୋଇଥିଲେ । ଦେଶ ସମ୍ବିଧାନକୁ ଗ୍ରହଣ କରିବାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ରାଷ୍ଟ୍ରପତି ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି, ସମ୍ବିଧାନ ଆମ ଦେଶର ସବୁଠୁ ବଡ ପବିତ୍ର ଗ୍ରନ୍ଥ । ଆମେ ଏହି ଐତିହାସିକ ଦିନରେ ସାକ୍ଷୀ ହୋଇଛୁ । ୭୫ ବର୍ଷ ପୂର୍ବେ ଆଜିର ଦିନରେ ଏହି ସେଣ୍ଟ୍ରାଲ ହଲରେ ସମ୍ବିଧାନ ନିର୍ମାଣର ବଡ କାର୍ଯ୍ୟ ହୋଇଥିଲା । ଆମ ସମ୍ବିଧାନ ଆମ ଲୋକତନ୍ତ୍ରକୁ ସୃଦୁଢ କରିବାର ଆଧାରଶୀଳା । ଏହା ବ୍ୟକ୍ତିଗତ ଓ ସାମୂହିକ ସ୍ବାଭିମାନକୁ ସୁନିଶ୍ଚିନ୍ତ କରିଥାଏ । ଭାରତର ସମ୍ବିଧାନ ଅନ୍ୟ ଦେଶ ପାଇଁ ପ୍ରେରଣା ଦାୟୀ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।
ସମ୍ବିଧାନ ଦିବସ ଅବସରରେ ସଂସଦର ମିଳିତ ବୈଠକକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ବାବା ସାହେବ ଡ. ଆମ୍ବେଦକରଙ୍କ ପ୍ରଗୀତିଶୀଳ ଓ ସମାବେଶୀ ଚିନ୍ତାଧାରାର ଚିତ୍ର ଆମ ସମ୍ବିଧାନରେ ଅଙ୍କିତ ହୋଇଛି । ବାବା ସାହେବଙ୍କୁ ଭାରତୀୟ ସମ୍ବିଧାନର ଜନକ ବୋଲି କୁହାଯାଏ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ହୋଇଥିଲା । ଏହି ପରି ସମାରୋହ ଭବିଷ୍ୟତ ଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଅବସର ଦେଇଥାଏ । ସମ୍ବିଧାନ ସଭାରେ ଦେଶ ବିଷୟରେ ଜାଣିବାର ସୌଭାଗ୍ୟ ମିଳିଛି । କିଛି ମହାନ ବ୍ୟକ୍ତିଙ୍କ ୩ ବର୍ଷର ବିଚାର ବିମର୍ଶର ପରିଣାମରେ ସମ୍ବିଧାନ ନିର୍ମାଣ ହୋଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନଖର, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବିରୋଧୀ ଦଳ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ । ସମ୍ବିଧାନ ଦିବସ ଅବସରରେ ଏକ ପ୍ରମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହାଛଡ଼ା ୭୫ ଟଙ୍କିଆ ମୁଦ୍ରା, ଡାକ ଟିକେଟ୍ ଓ ପୁସ୍ତକ ଉନ୍ମୋଚନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।