ନୂଆଦିଲ୍ଲୀ: ଗୋଟି ଗୋଟି କରି ସମସ୍ତ କମ୍ପାନୀ ଚୀନ ଛାଡ଼ି ଭାରତ ଚାଲି ଆସୁଛନ୍ତି। ପ୍ରଥମେ ଆପଲ, ଆଉ ଏବେ ନୋକିଆ ଫୋନ୍ ନିର୍ମାତା କମ୍ପାନୀ ଏଚ୍ଏମ୍ଡି(ହ୍ୟୁମାନ ମୋବାଇଲ ଡିଭାଇସ୍)। ଫିନଲାଣ୍ଡର ଏହି ଇଲେକ୍ଟ୍ରୋନିକ କମ୍ପାନୀ ଏବେ ଭାରତ ଆଡ଼କୁ ମୁହାଇଛି। କମ୍ପାନୀ ଚୀନ ବଦଳରେ ଭାରତରେ ବଡ଼ ଧରଣର ଉତ୍ପାଦନ ଆରମ୍ଭ କରିବ। ଏଇଠୁ ସାରା ବିଶ୍ୱକୁ ନିଜର ସମଗ୍ରୀ ରପ୍ତାନୀ କରିବ। ଭାରତ ହେବ ଏଚ୍ଏମ୍ଡିର ଗ୍ଲୋବାଲ ହବ୍। ଏହି ରଣନୀତି ସହ କମ୍ପାନୀ ଏହାର ନିର୍ମାଣ ୟୁନିଟର ଏକ ବଡ଼ ଅଂଶ ଭାରତକୁ ସ୍ଥାନାନ୍ତର କରିବାକୁ ଯାଉଛି।
ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଚ୍ଏମ୍ଡିର ଗ୍ଲୋବାଲ ସପ୍ଲାଏ ଚେନ୍ରେ ଯେମିତି କୌଣସି ବାଧା ସୃଷ୍ଟି ନହେବ, ଏଥିପାଇଁ କମ୍ପାନୀ ଏହାର ଇଲେକ୍ଟ୍ରୋନିକ ସପ୍ଲାୟର କମ୍ପାନୀଗୁଡ଼ିକୁ ମଧ୍ୟ ଭାରତରେ ପ୍ଲାଣ୍ଟ ଖୋଲିବାକୁ ପରାମର୍ଶ ଦେଇଛି। ଏନେଇ ବିବିନ୍ନ କମ୍ପାନୀ ସହିତ ଆଲୋଚନା ଜାରି ରଖିଛି ଏଚଏମଡି।
ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ପରେ ଚୀନ ସହିତ ଭାଣିଜ୍ୟିକ ଯୁଦ୍ଧ ବଢ଼ିପାରେ। ଟ୍ରମ୍ପ ପ୍ରଶାସନ ଚୀନ ଉପରେ ଟ୍ୟାକ୍ସ ଲଗାନ୍ତି, ତେବେ ଦୁଇ ଶକ୍ତି ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଲାଗି ରହିବ। ଏଥିରୁ ଭାରତ ବାଦ ପଡ଼ିଲେ କମ୍ପାନୀର ଲାଭବାନ ହେବ ବୋଲି ଆଶା ରଖିଥିବା ଭାରତ ଓ ପ୍ରଶାନ୍ତ ମହାସାଗରୀୟ ଏସୀୟ ଅଞ୍ଚଳର ଉପସଭାପତି ରବି କୁଅଁର ମନି କଣ୍ଟ୍ରୋଲକୁ କହିଛନ୍ତି।
ରବି କୁଅଁର କହିଛନ୍ତି “ ଆମର ସପ୍ଲାଏ ଚେନ ହେଉ କିମ୍ବା ସୋର୍ସିଂ ବା ଲଜିଷ୍ଟିକ୍ ହବ, ଆମେ ଚୀନରେ ଯାହା କିଛି ଉତ୍ପାଦନ କରୁଥୁଲୁ ତା’ର ଏକ ବଡ଼ ଅଂଶ ଭାରତକୁ ସ୍ଥାନାନ୍ତରିତ ହେବ। ଧୀରେ ଧୀରେ ଏକ ନିୟମିତ ପ୍ରକ୍ରିୟାରେ ଆମେ ଭାରତରେ ଆମ ସ୍ଥିତି ମଜଭୁତ କରୁଛୁ। ଯାହା ଦେଶରେ ଆମର ମଜଭୁତ ରପ୍ତାନୀ ଚେନ୍ ତିଆରି କରିବାରେ ସହାୟକ ହେବ।” ଚୀନରୁ ଆମ ରପ୍ତାନୀ କମୁଥିବା ବେଳେ ଭାରତରୁ ରପ୍ତାନୀ ବଢୁଛି ବୋଲି ରବି କୁଅଁର କହିଛନ୍ତି।
ସେହିପରି ଏଚ୍ଏମ୍ଡିର ଜଣେ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କହିଛନ୍ତି ଯେ କମ୍ପାନୀର ଏକ ବଡ଼ ନିର୍ମାଣ ୟୁନିଟ୍ ଭାରତକୁ ସ୍ଥାନାନ୍ତର ହେବ। ସପ୍ଲାଏ ଚେନ୍ ଓ ସୋର୍ସି ଭଳି ମୁଖ୍ୟ ଅଂଶ ଭାରତକୁ ଆସିବ। ଆମେ ପୂର୍ବରୁ ଚୀନରୁ କାମ କରୁଥିଲୁ ଏବେ ଭାରତରୁ ରପ୍ତାନୀ ବଢ଼ାଇବୁ। ଚୀନ ବଦଳରେ ଭାରତକୁ ଏକ ଉତ୍ତମ ବିକଳ୍ପ ଭାବେ ଗଢ଼ି ତୋଳିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କହିଛନ୍ତି।
ତେବେ ଚୀନରୁ ସମ୍ପୂର୍ଣ୍ଣ ନିର୍ମାଣ ୟୁନିଟ ଭାରତକୁ ଆଣିବାରେ ସମୟ ଲାଗିବ। କାରଣ ଏହା ଏକ ଜଟିଳ ପ୍ରକ୍ରିୟା। ଏହା ବାଦ ଆମ ଲକ୍ଷ୍ୟ ପୂରା କରିବା ପାଇଁ ଭାରତ କେତେ ପ୍ରତିଯୋଗିତାପୂର୍ଣ୍ଣ ହୋଇପାରିବ ତାହା ମଧ୍ୟ ଏକ ମୁକ୍ୟ ବିଷୟ। ରପ୍ତାନୀ ପାଇଁ ଆମକୁ ଖର୍ଚ୍ଚ, ଉତ୍ପାଦନର ମାନ ଓ ନିରନ୍ତର ଡିଷ୍ଟ୍ରବ୍ୟୁଟର ଆବଶ୍ୟକତା ରହିଛି। ଯେପର୍ଯ୍ୟନ୍ତ ଭାରତ ଏହି ଦିଗରେ କାମ ଜାରି ରଖିଛି ସେପର୍ଯ୍ୟନ୍ତ ଆମେ ଭାରତରେ ଉତ୍ପାଦନ କ୍ଷମତା ବୃଦ୍ଧି କରିବୁ। ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।
ଏଚ୍ଏମ୍ଡି ଭାରତରୁ ପଶ୍ଚିମ ଏସିଆ ଓ ଅଫ୍ରିକାକୁ ଫିଚର ଫୋନ ଓ ସ୍ମାର୍ଟଫୋନ୍ ରପ୍ତାନୀ କରୁଛି। ହେଲେ ଭୂରାଜନୈତିକ ସ୍ଥିତିରେ ପରିବର୍ତ୍ତନ ଓ ସପ୍ଲାଏ ଚେନ୍ର ସୁରକ୍ଷା ଦୃଷ୍ଟିରୁ ଆମେରିକା ଓ ୟୁରୋପକୁ ରପ୍ତାନୀ କରିବା ଆମର ବଡ଼ ଲକ୍ଷ୍ୟ ରହିବ ବୋଲି ଏଚ୍ଏମ୍ଡି ଅଧିକାରୀ କହିଛନ୍ତି।
ସେହିପରି ଏଚ୍ଏମ୍ଡିର ଅନ୍ୟାନ୍ୟା ସହାୟକ କମ୍ପାନୀ ମଧ୍ୟ ଭାରତରେ ନିଜର ଷ୍ଟୋର୍ ଖୋଲିବେ ବୋଲି ସୂଚନା ଦେଇ ମୁଖ୍ୟ ଅଧିକାରୀ କହିଛନ୍ତି ଯେ ଭାରତ ସରକାରଙ୍କ ସହିତ ଆମର ସମସ୍ତ ଆଇନଗତ କାମ ସରିବା ପରେ ଏକ ବଡ଼ ପରିବର୍ତ୍ତନ ହେବ। ଭାରତ ଏକ ବଡ଼ ବଜାର ହୋଇଥିବାରୁ ଏଥିରେ ଗ୍ରାହକ ସଂଖ୍ୟାକୁ ଦେଖି ଆମର ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯୋଗାଉଥିବା ସହାୟକ କମ୍ପାନୀଗୁଡ଼ିକ ଏଠାରେ ଷ୍ଟୋର୍ ଖୋଲିବେ। ଫଳରେ ଆମକୁ ଯୋଗାଣ ସମସ୍ୟା ମଧ୍ୟ ହେବ ନାହିଁ। ଏଥିପାଇଁ ଆମେ ସେମାନଙ୍କ ସହିତ ଆଲୋଚନା ଜାରି ରଖିଛୁ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।
ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀ କମ୍ପାନୀ ଡିକ୍ସନ୍ ଟେକ୍ନୋଲୋଜି ଏଚ୍ଏମ୍ଡିରର ଅଧିକାଂଶ ଫିଚର ଓ ସ୍ମାର୍ଟଫୋନ୍ ଉତ୍ପାଦନ କରିଥାଏ। ଏହି କମ୍ପାନୀ ଏବେ ଭାରତରେ ତାର କାୟା ବିସ୍ତାର କରୁଛି। ଭାରତୀୟ କମ୍ପାନୀ ଜେଟ୍ ଟାଉନ ଇଣ୍ଡିଆ ସହିତ ମିଶି ଡିକ୍ସନ ଜେଟ୍ୱେର୍କ ନାମକ ଏକ ଶାଖା କମ୍ପାନୀ ନିର୍ମାଣ କରିଛି। ଏହି ନୂଆ କମ୍ପାନୀ ଭାରତରେ ମେଡ୍ ଇନ ଇଣ୍ଡିଆ ଫିଚର ଫୋନ୍ ଉତ୍ପାଦନ କରିବ।
ସେପଟେ ଏଚ୍ଏମ୍ଡି କମ୍ପାନୀ ନିଜ ସ୍ମାର୍ଟଫୋନ୍ ନିର୍ମାଣ ପାଇଁ ‘ନୋକିଆ’ ବ୍ରାଣ୍ଡ ବ୍ୟବହାର କରିବା ବନ୍ଦ କରି ଏକ ନୂଆ ନାଁରେ ସ୍ମାର୍ଟଫୋନ ଲଞ୍ଚ କରିଛି। ବର୍ତ୍ତମାନ କମ୍ପାନୀ ମିଡ୍ ରେଞ୍ଜ୍ର ସ୍ମାର୍ଟଫୋନ୍ ତିଆରି କରିବାକୁ ଗୁରୁତ୍ୱ ଦେଉଛି। ଯାହାର ମୂଲ୍ୟ ୧୦ ହଜାରରୁ ୧୫ ହଜାର ଭିତରେ ରହିଛି। ସମ୍ବବତଃ ୧୦ ହଜାରରୁ ମଧ୍ୟ କମ୍ ମୂଲ୍ୟରେ ସ୍ମାର୍ଟଫୋନ୍ ଆସିପାରେ ବୋଲି ଅଧିକାରୀ କହିଛନ୍ତି।
୨୦୨୬ ପର୍ଯ୍ୟନ୍ତ ନୋକିଆ ମୋବାଇଲ୍ ଫୋନ ଉତ୍ପାଦନ ଓ ବିକ୍ରିର ଲାଇସେନ୍ସ ପାଇଥିବା ଏଚଏମ୍ଡି ଭାରତରେ ୩ଟି ଦିଗରେ କାମ କରିବାକୁ ଟାର୍ଗେଟ୍ ରଖିଛନ୍ତି। ତାହା ହେଲା- ସିକ୍ୟୁର ଡିଭାଇସ, ଡିଟକ୍ସ ଡିଭାଇସ(ଫିଚର ପୋନ୍) ଏବଂ ଡିଭାଇସ୍ ପାଇନାନ୍ସିଂ( ଫାଇନାନ୍ସ ମାଧ୍ୟମରେ ଜିରୋ ଡାଉନ୍ ପେମେଣ୍ଟରେ ଫୋନ୍ କିଣିବାକୁ ଅନୁମତି)। ସିକ୍ୟୁରିଟି କେବଳ ଯେ ସରକାର ଓ ସେନାକୁ ଦରକାର ସାଧାରଣ ଗ୍ରହାକଙ୍କ ପାଇଁ ଆବଶ୍ୟକ। ବର୍ତ୍ତମାନ ଏହି ଦିଗରେ ଜୋର୍ସୋର୍ରେ କାମ ଜାରି ରହିଛି ବୋଲି କୁଅଁର କହିଛନ୍ତି।