ମୌସୁମୀ ଆରମ୍ଭରୁ ବର୍ଷା ବିତ୍ପାତ; ହିମାଚଳ ପ୍ରଦେଶରେ ୨୪ ମୃତ, ୫୦ରୁ ଅଧିକ ଆହତ

Published By : Prameya-News7 Bureau | July 01, 2023 IST

ସିମ୍‌ଲା: ଉତ୍ତର ଭାରତରେ ବର୍ଷା ବିତ୍ପାତ । ମୌସୁମୀ ବର୍ଷା ହିମାଚଳ ପ୍ରଦେଶରେ ତାଣ୍ଡବ ରଚିଛି । ଜୁନ୍ ୨୪ ତାରିଖରୁ ପ୍ରଦେଶରେ ଲଗାତାର ଜାରି ରହିଛି ବର୍ଷା । ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକାଂଶ ସ୍ଥାନରେ ଭୂ-ସ୍ଖଳନ ହୋଇଛି । ପାହାଡ଼ ଧସିବା ଯୋଗୁ ପ୍ରାୟ ୨୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୨ଜଣ ଏବେବି ନିଖୋଜ ରହିଛନ୍ତି । ଶତାଧିକ କଚ୍ଚା ଘର ଭାଙ୍ଗିଯାଇଛି । ଗୋଟିଏ ସପ୍ତାହରେ ପ୍ରାୟ ୨୪୨କୋଟିରୁ ଅଧିକ ସମ୍ପତ୍ତ ନଷ୍ଟ ହୋଇଛି ।

ରାଜ୍ୟ ବିପର୍ଯ୍ୟୟ ପରିଚଳନା ବିଭାଗର ସୂଚନା ମୁତବାକ, ଗତ ୭ଦିନ ମଧ୍ୟରେ ରାଜ୍ୟର ଲଗାଣ ବର୍ଷା ଜାରି ରହିଛି । ଅଧିକାଂଶ ସ୍ଥାନରେ ବାଦଲ ଫାଟିବା ସହିତ ଭୂ-ସ୍ଖଳନ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ପ୍ରବଳ ବର୍ଷା ଫଳରେ ଅଚାନକ ନଦୀଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ଆସିବ ନାହିଁ । ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଭୂ-ସ୍ଖଳନ ଯୋଗୁ ବହୁ ସଂଖ୍ୟାରେ ଘରଦ୍ବାର ନଷ୍ଟ ହୋଇଛି । ୬ଟି ପକ୍କା ଘର ଭୂଇଁରୁ ଧସି ଯାଇଥିବା ବେଳେ ୪୦ରୁ ଅଧିକ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଛି । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ଜରୁରୀକାଳୀନ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ କ୍ଷତିଗ୍ରସ୍ତ ସଡ଼କ ଗୁଡ଼ି଼କର ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.