ପଶ୍ଚିମବଙ୍ଗ ୧୨/୦୪: ଓ୍ୱାକପ୍ ନେଇ ଜଳୁଛି ପଶ୍ଚିଚମବଙ୍ଗ । ବଙ୍ଗର ଅନେକ ଅଞ୍ଚଳରେ ୱାକଫ୍ ଆଇନ ବିରୋଧରେ ପ୍ରତିବାଦ ଜାରି ରହିଛି । ସ୍ଥିତି ଏମିତି ହୋଇଛି ଯେ, ବିକ୍ଷୋଭକାରୀ ସଡ଼କ ଓ ରେଳ ପଥରେ ପ୍ରତିବାଦ କରିଛନ୍ତି । ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ଗାଡି ଚଳାଚଳ ବି ଠପ୍ ହୋଇପଡ଼ିଛି । କିଛି ସ୍ଥାନରେ ଅନେକ ମାତ୍ରାରେ ଗାଡ଼ି ପୋଡିଦିଆଯାଇଛି । ଭିଡ଼କୁ ନିୟନ୍ତ୍ରଣରେ କରିବାକୁ ଚେଷ୍ଟା କରିବାବେଳେ କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ଏନେଇ ତାଜା ଅପଡେଟ୍ ଦେଇଛନ୍ତି ପୋଲିସ ଅଧିକାରୀ ।
ସୂଚନା ଥାଉକି, ମୁର୍ଶିଦାବାଦ ଜିଲ୍ଲାର ସୁତିରେ ବ୍ୟାପକ ହିଂସା ଗେଖିବାକୁ ମିଳିଛି । ବାରଣ ସତ୍ତ୍ୱେ ପ୍ରଦର୍ଶନକାରୀମାନେ ଏକାଠି ହୋଇଥିଲେ । ଆହୁରି ବି ରାସ୍ତା ଅବରୋଧ କଲେ ବୋଲି ଅଧିକାରୀମାନେ କହିଛନ୍ତି । ଶୋଭାଯାତ୍ରା ସମୟରେ ବିକ୍ଷୋଭକାରୀମାନେ ସୁରକ୍ଷା କର୍ମୀଙ୍କ ଉପରେ ପଥର ମାଡ଼ କରିଥିଲେ । ପୋଲିସ ଭ୍ୟାନ ଓ ଯାତ୍ରୀବାହୀ ବସ୍ ଜାଳି ବି ଦେଇଥିଲେ।
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଶୁକ୍ରବାର ନମାଜ ପରେ ମୁସଲିମ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ୱାକଫ ଆଇନ ବିରୋଧରେ ପ୍ରତିବାଦ କରିଥିଲେ । ଯେଉଁଥିପାଇଁ ସମସ୍ୟା ସୃଷ୍ଟି ହୋଇଥିଲା । ସେମାନେ ଡାକବଙ୍ଗଳା ମୋରରୁ ଶମଶେରଗଞ୍ଜର ସୁତିର ସାଜୁର ମୋର ପର୍ଯ୍ୟନ୍ତ ଜାତୀୟ ରାଜପଥ-୧୨ର ଗୋଟିଏ ଅଂଶକୁ ଅବରୋଧ କରିଥିଲେ।
ପୋଲିସ କହିଛି, ପ୍ରଦର୍ଶନକାରୀମାନେ ପୋଲିସ ଭ୍ୟାନ୍ ଉପରେ ପଥର ମାଡ଼ କରିବାରୁ ହିଂସା ବ୍ୟାପିଥିଲା । ଏହା ଫଳରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଯେଉଁଥିରେ ପ୍ରାୟ ୧୫ ଜଣ ପୋଲିସ ଓ ୧୦ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ । ଜଣେ ନାବାଳିକାଙ୍କ ଦେହରେ ବି ବାଜିଛି ଗୁଳି । ସେ ତାଙ୍କ ସମ୍ପର୍କୀୟଙ୍କ ଘରୁ ଫେରୁଥିବା ବେଳେ ତାଙ୍କ ଉପରେ ଗୁଳିମାଡ ହୋଇଥିଲା। ସେ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ପୋଲିସ ଅଧିକାରୀ କହିଛନ୍ତି ଯେ କିଛି ପ୍ରଦର୍ଶନକାରୀ ପୋଲିସ ଉପରକୁ ବୋମା ଭଳି ଜିନିଷ ଫିଙ୍ଗିଥିଲେ । ଯାହା ପରେ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିଥିଲା । ପରେ ପ୍ରଦର୍ଶନକାରୀମାନଙ୍କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ୍ ମଧ୍ୟ ପ୍ରୟୋଗ କରାଯାଇଥିଲା । ପୋଲିସ ଉପରେ ଆକ୍ରମଣ ଏବଂ ଅନ୍ୟାନ୍ୟ ଭଙ୍ଗାରୁଜା ମାମଲାରେ ଏପର୍ଯ୍ୟନ୍ତ ୧୧୮ ଜଣଙ୍କୁ ଗିରଫ କରାଯାଇଛି।
ଏହାସହ ମାଲଦାରେ ପ୍ରଦର୍ଶନକାରୀମାନେ ରେଳ ଟ୍ରାକରେ ଧାରଣା ଦେଇଥିଲେ । ଯାହା ଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିଲା । ସେ କହିଛନ୍ତି ଯେ ପୂର୍ବ ରେଳବାଇର ଫରକ୍କା-ଆଜିମଗଞ୍ଜ ସେକ୍ସନରେ ମଧ୍ୟ ଟ୍ରେନ ସେବା ପ୍ରଭାବିତ ହୋଇଛି। ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ସମ୍ବେଦନଶୀଳ ଅଞ୍ଚଳରେ ବିଶୃଙ୍ଖଳା ପାଇଁ ଦାୟୀ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି।