ୱାଶିଂଟନ ଡିସି: ବିଶ୍ୱରେ ଶିଳ୍ପ ଯୁଦ୍ଧ ଆରମ୍ଭ କରିଥିବା ଆମେରିକା ଆଉ ଏକ ନିଷ୍ପତ୍ତି ନେବାକୁ ଯାଉଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ପଦକ୍ଷେପ ନେବାକୁ ବିଚାର କରୁଛନ୍ତି । ଚୀନ୍, କାନାଡା, ମେକ୍ସିକୋ ଓ ଭାରତ ଭଳି ଦେଶ ଉପରେ ଅଧିକ ଟାରିଫ୍ ଘୋଷଣା ପରେ ଏବେ ୟୁରୋପକୁ ଟାର୍ଗେଟ୍ କରିଛନ୍ତି । ୟୁରୋପ ସହ କାନ୍ଧକୁ କାନ୍ଧ ମିଳାଇ ଚାଲୁଥିବା ଆମେରିକା ପାଶ୍ଚାତ୍ୟ ଦେଶଠୁ ଦୂରେଇଯିବାକୁ ଚିନ୍ତା କରୁଛି । ୟୁରୋପୀୟ ରାଷ୍ଟ୍ରଙ୍କ ରାଜନୈତିକ ତଥା ସାମରିକ ମେଣ୍ଟ ‘ନାଟୋ’ର ହାତ ଆମେରିକା ଛାଡ଼ିପାରେ ବୋଲି ଚର୍ଚ୍ଚା ହେଲାଣି । ନାଟୋ ପାଇଁ ସର୍ବାଧିକ ସାମରିକ ତଥା ଆର୍ଥିକ ସହାୟତା ଯୋଗାଇ ଦେଉଥିବା ଆମେରିକା ଯଦି ଏଭଳି ନିଷ୍ପତ୍ତି ନିଏ, ତେବେ ଏହାର ଭବିଷ୍ୟତ କ’ଣ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଆମେରିକାର ନୂଆ ସରକାରୀ ଦକ୍ଷତା ବିଭାଗର ମୁଖ୍ୟ ଏଲନ୍ ମସ୍କ ରବିବାର ନାଟୋ ଛାଡ଼ିବାକୁ ଆହ୍ୱାନ ଦେଇଛନ୍ତି । ମସ୍କ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନାଟୋରୁ ଆମେରିକା ପ୍ରସ୍ଥାନ ନେବା ଉଚିତ୍ ବୋଲି ମତ ଦେଇଛନ୍ତି । ସେ କହିଛନ୍ତି, ଆମେ ଏହା କରିବା ନିହାତି ଆବଶ୍ୟକ । ୟୁରୋପର ପ୍ରତିରକ୍ଷା ଲାଗି ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବା ଆମେରିକା ପାଇଁ କୌଣସି ଆବଶ୍ୟକତା ନାହିଁ । ମସ୍କଙ୍କ ଏହି ‘ଏକ୍ସ’ ପୋଷ୍ଟ ପରେ ୟୁରୋପର ଚିନ୍ତା ବଢ଼ିଯାଇଛି । ଦ୍ୱିତୀୟ ପାଳିରେ ଟ୍ରମ୍ପ୍ ମସ୍କଙ୍କୁ ନିଜର ଘନିଷ୍ଠ ସହଯୋଗୀ ବିବେଚନା କରୁଛନ୍ତି । ଏମିତି କି ସରକାରୀ ଖର୍ଚ୍ଚ କାଟ୍ ଲାଗି ତାଙ୍କୁ ଗୁରୁଦାୟିତ୍ୱ ବି ଦେଇଛନ୍ତି । ଟ୍ରମ୍ପ୍ଙ୍କ ବଳରେ ବଳୀୟାନ ହୋଇ ମସ୍କ ବିଭିନ୍ନ ସରକାରୀ ବିଭାଗରେ ଛଟେଇ କରି ଖର୍ଚ୍ଚ କାଟ୍ ପଦକ୍ଷେପ ନେଉଛନ୍ତି ।
ଏହି ପରିପ୍ରେକ୍ଷୀରେ ନାଟୋ ପାଇଁ ଦିଆଯାଉଥିବା ପାଣ୍ଠି ଉପରେ ରୋକ୍ ଲଗାଇବାକୁ ମସ୍କ ଆହ୍ୱାନ ଦେଇଛନ୍ତି । ଏହାଦ୍ୱାରା ଆମେରିକା ମୋଟା ଅଙ୍କର ସଞ୍ଚୟ କରିପାରିବ । ଏହା ପୂର୍ବରୁ ଟେସ୍ଲା ସିଇଓ ତଥା ସହ ପ୍ରତିଷ୍ଠାତା ମସ୍କ ମାର୍ଚ୍ଚ ୩ରେ ‘ଏକ୍ସ’ରେ ଏକ ପୋଷ୍ଟ କରି ଜଣେ ନେତାଙ୍କ ମନ୍ତବ୍ୟକୁ ସମର୍ଥନ ଜଣାଇଥିଲେ । ନେତା ଜଣକ କହିଥିଲେ କି ଆମେରିକା ଉଭୟ ନାଟୋ ଏବଂ ଜାତିସଂଘକୁ ଛାଡ଼ିଦେବା ଆବଶ୍ୟକ । ଚଳିତବର୍ଷ ଏପ୍ରିଲରେ ନାଟୋ ଏହାର ୭୬ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଥିବା ବେଳେ ଆମେରିକା ଏହାର ହାତ ଛାଡ଼ିବା ନେଇ ଆଶଙ୍କା କରାଯାଉଛି । ମାର୍ଚ୍ଚ ୬ରେ ପ୍ରକାଶିତ ଏନ୍ବିସି ରିପୋର୍ଟ ମୁତାବକ, ଟ୍ରମ୍ପ୍ ତାଙ୍କ ସହଯୋଗୀଙ୍କ ସହ ନାଟୋ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କ ବାବଦରେ ଚର୍ଚ୍ଚା କରିଥିଲେ ।