ନୂଆଦିଲ୍ଲୀ: ୱାଶିଂଟନ୍ ଡିସିରେ ହ୍ୱାଇଟ୍ ହାଉସ୍ ବାହାରେ ବିଳମ୍ୱିତ ରାତିରେ ଗୁଳିକାଣ୍ଡ ଘଟିଛି । ସୂଚନା ଅନୁସାରେ ଆମେରିକାର ସିକ୍ରେଟ୍ ସର୍ଭିସ୍ ହତିଆରଧାରୀ ସନ୍ଦିଗ୍ଧକୁ ଗୁଳି କରି କରିଛନ୍ତି । ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ତେବେ ବଡ଼ କଥା ହେଉଛି ଘଟଣା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ନଥିଲେ । ତେବେ ଅଭିଯୁକ୍ତ ଜୀବିତ କି ମୃତ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ । ଏହି ଘଟଣା ପରେ ହ୍ୱାଇଟ୍ ହାଉସ୍ ବାହାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।
ସୂଚନା ଅନୁସାରେ ଆମେରିକାର ସିକ୍ରେଟ୍ ସର୍ଭିସର ଅଧିକାରୀଙ୍କୁ ଘଟଣାର ଗୋଟିଏ ଦିନ ପୂର୍ବରୁ ସୂଚନା ମିଳିଥିଲା ଯେ ଜଣେ ବ୍ୟକ୍ତି ଇଣ୍ଡିୟାନାରୁ ୱାଶିଂଟନ ଡିସି ହ୍ୱାଇଟ୍ ହାଉସ୍ ଆସିପାରେ । ସନ୍ଦିଗ୍ଧ ପାଖରେ ହତିଆର ଥିବା ମଧ୍ୟ ସୂଚନା ଥିଲା । ଗୁଇନ୍ଦା ସୂଚନା ଆଧାରରେ ହିଁ ସୁରକ୍ଷା କର୍ମୀ ମୁତୟନ କରାଯାଇଥିଲା ।
ହ୍ୱାଇଟ୍ ହାଉସର ଗୋଟିଏ ବ୍ଲକ୍ ଦୂରରେ, ଆଇଜନହାବର ଏକ୍ସିକ୍ୟୁଟିଭ ଅଫିସ୍ ବିଲ୍ଡିଂର ପଶ୍ଚିମରେ ଏହି ଗୁଳିକାଣ୍ଡ ଘଟିଛି । ରବିବାର ରାତିରେ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ସନ୍ଦିଗ୍ଧ ବ୍ୟକ୍ତିର କାରକୁ ଏନ୍ଡବ୍ଲୁ ନିକଟରେ ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ । ଏହାପରେ ଜଣେ ବ୍ୟକ୍ତି ଚାଲି ଚାଲି ଆଗକୁ ବଢୁଥିବା ଦେଖିବାକୁ ମିଳିଥିଲା । ବ୍ୟକ୍ତି ଜଣକ ଗୁଇନ୍ଦା ସୂଚନାରେ ମିଳିଥିବା ବ୍ୟକ୍ତିର ସହ ମେଳ ଖାଉଥିଲେ । ଅଧିକାରୀମାନେ ସନ୍ଦିଗ୍ଧ ନିକଟରେ ପହଞ୍ଚିବା ବେଳେ, ସେ ବନ୍ଧୁକ ବାହାର କରି ଗୁଳିମାଡ଼ କରିବା ଆରମ୍ଭ କରିଥିଲା । ଏହା ପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ସିକ୍ରେଟ୍ ସର୍ଭିସ୍ ବୟାନ ଅନୁସାରେ ସନ୍ଦିଗ୍ଧ ବ୍ୟକ୍ତିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ତା’ର ସ୍ୱାସ୍ଥ୍ୟାବସ୍ଥ ବାବଦରେ ଅଧିକ ସୂଚନା ଦିଆଯାଇ ନାହିଁ ।