ଆମେରିକା ଅଦାଲତରେ ଚୀନ୍ ଦୋଷୀ; କୋଭିଡ-୧୯ ତଥ୍ୟ ଲୁଚାଇଥିଲା ଡ୍ରାଗନ, ୨୪ ବିଲିୟନ ଡଲାର ଫାଇନ୍

Published By : Prameya-News7 Bureau | March 10, 2025 IST

ୱାଶିଂଟନ୍‌,୧୦/୦୩: କୋଭିଡ-୧୯ ତଥ୍ୟ ଲୁଚାଇଥିବାରୁ ଚୀନକୁ ଜୋରିମନା । ୨ଲକ୍ଷ ୯ହଜାର ୧୬୦ କୋଟିର ଫାଇନ୍ ଲଗାଇଲେ ଆମେରିକୀୟ ଅଦାଲତ । ଆରମ୍ଭରୁ ମହାମାରୀ କୋଭିଡ୍ ତଥ୍ୟ ଲୁଚାଇ ବିଶ୍ବକୁ ଭ୍ରମିତ କରିଥିବା ଅଭିଯୋଗରେ ମିସୋରୀ ରାଜ୍ୟର ଏକ କୋର୍ଟ ଚୀନକୁ ଦୋଷୀ ସାବ୍ୟସ୍ତ କରି ଜରିମାନା ଲଗାଇଛନ୍ତି ।  

୨୦୨୦ରେ ମିସୋରୀର ଆଟର୍ଣ୍ଣି ଜେନେରାଲଙ୍କ ପକ୍ଷରୁ ଚୀନ୍‌ ସରକାରଙ୍କ ବିରୋଧରେ ପିଟିସନ ଫାଇଲ ହୋଇଥିଲା । ଚୀନ୍‌ ସରକାର କୋଭିଡ୍‌ ଭୂତାଣୁ ବାବଦରେ ତଥ୍ୟ ଲୁଚାଇବା ଓ ବିଶ୍ବକୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବା ପିପିଇ କିଟ୍‌ ଯୋଗାଣରେ ବାଧା ଉପୁଜାଇଥିବା ପିଟିସନରେ ଦର୍ଶାଯାଇଥିଲା । ଏଥିସହ ମହାମାରୀ ଯୋଗୁ ଦୁନିଆ ବିପଦରେ ପଡ଼ିଥିବାବେଳେ ଚୀନ୍‌ ସଭିଁଙ୍କୁ ଭ୍ରମିତ କରିବାରେ ଲାଗିଥିଲା ବୋଲି ଅଭିଯୋଗ ହୋଇଥିଲା । 

ବିଚାରପତି ଲିମ୍ବାଗ୍‌ କହିଥିଲେ, ଚୀନ୍‌ ଦ୍ୱାରା ପିପିଇ କିଟ୍‌ର ବୈଶ୍ୱିକ ଯୋଗାଣରେ ବାଧା ସୃଷ୍ଟି କରାଯାଇଥିଲା । ବିଶ୍ୱକୁ ଭ୍ରମିତ କରି ଡ୍ରାଗନ ପିପିଇ କିଟ୍‌ ରଖିବା ଲାଗି ଏକଚାଟିଆ କାର୍ଯ୍ୟରେ ଲିପ୍ତ ଥିଲା । ଏଥିଯୋଗୁ ଆମେରିକାରେ ମହାମାରୀ ମୁକାବିଲା କରିବା ଲାଗି ପର୍ଯ୍ୟାପ୍ତ ଉପକରଣ କ୍ରୟ କରିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଥିଲା । ଏଥିପାଇଁ  ଚୀନ୍‌ର ଶାସକ କମ୍ୟୁନିଷ୍ଟ ଦଳ, ସେଠାକାର ସରକାର, ସ୍ୱାସ୍ଥ୍ୟ ଏଜେନ୍ସି ଏବଂ ସେଠାକାର ଲାବ୍‌ ଦାୟୀ । ଚୀନ୍‌ ରାଜ୍ୟ ଓ ସଂଘୀୟ  ଏକାଧିକାର ବିରୋଧ ଆଇନ ଉଲ୍ଲଂଘନ  କରିଥିଲା । ଏହା ଦ୍ୱାରା ମିସୌରୀ ଟିକସ୍ ହରାଇବା ସହ ପିପିଇ କିଟ୍‌ ବାବଦ ଖର୍ଚ୍ଚ ବୃଦ୍ଧି ଯୋଗୁ ଯଥେଷ୍ଟ କ୍ଷତି ସହିଥିବା ବିଚାରପତି ଲିମ୍ବାଗ କହିଥିଲେ । 

ମିସୌରୀ ଆଟର୍ଣ୍ଣି ଜେନେରାଲ ଆଣ୍ଡ୍ର‌୍ୟୁ ବେଲି କହିଛନ୍ତି, ଅଦାଲତ ଐତିହାସିକ ରାୟ ଦେଇଛନ୍ତି । ଚୀନ୍‌ ଅଦାଲତରେ ହାଜର ହେବାକୁ ମନା କରିଥିଲା । ହେଲେ କୋଭିଡ୍‌ ଯୋଗୁ ହୋଇଥିବା ଆର୍ଥିକ କଷ୍ଟ ଏବଂ ଅସରନ୍ତି ଦୁଃଖର ଉତ୍ତରଦାୟିତ୍ୱରୁ ଚୀନ୍‌ ବର୍ତ୍ତି ପାରିବ ନାହିଁ । ଏଠାରେ ଥିବା  ଚୀନ୍‌ର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ଏବଂ ସବୁ  ଜରିମାନ ଅସୁଲ କାରଯିବ । ସେପଟେ ୱାଶିଂଟନ୍‌ରେ ଥିବା ଚୀନ୍‌ ଦୁତାବାସର ମୁଖପାତ୍ର କହିଛନ୍ତି, ମିସୌରୀ ଅଦାଲତଙ୍କ ରାୟକୁ ଚୀନ୍‌ କେବେ ବି  ସ୍ୱୀକାର କରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.