ସିୟୋଲ ୧୦।୩: ଉତ୍ତର କୋରିଆ ସୋମବାର ସମୁଦ୍ରକୁ ଅନେକ କ୍ଷେପଣାସ୍ତ୍ର ଛାଡିଥିବା ଦକ୍ଷିଣ କୋରିଆ ସେନା ଦାବି କରିଛି। ଦକ୍ଷିଣ କୋରିଆ ଓ ଆମେରିକାର ମିଳିତ ସମରାଭ୍ୟାସ ଆରମ୍ଭର କିଛି ସମୟ ପରେ ଉତ୍ତର କୋରିଆ ଏହି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଉତ୍ତର କୋରିଆ ଏହି ସମରାଭ୍ୟାସକୁ ଜବରଦଖଲର ପୂର୍ବାଭ୍ୟସ ରୂପେ ଦେଖୁଛି। ଦକ୍ଷିଣ କୋରିଆ ଜଏଣ୍ଟ ଚିଫ ଅଫ ଷ୍ଟାଫ କହିଛନ୍ତି ଯେ ଉତ୍ତର କୋରିଆ ହ୍ୱାଙ୍ଗହେ ପ୍ରାନ୍ତରୁ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଛି।
ଦକ୍ଷିଣ କୋରିଆ ଏବଂ ଆମେରିକା ସୈନ୍ୟ ସେମାନଙ୍କ ବାର୍ଷିକ ‘ଫ୍ରିଡମ ସିଲ୍ଡ’ କମାଣ୍ଡ ଅଭ୍ୟାସ ଆରମ୍ଭ କରିଛନ୍ତି। ଏହା ୧୧ ଦିନ ପର୍ଯ୍ୟନ୍ତ ଚାଲିବ। ତେବେ ଉତ୍ତର କୋରିଆ ଏହି ସମରାଭ୍ୟାସକୁ କଡ଼ା ନିନ୍ଦା କରିବା ସହିତ ଏକ ସରକାରୀ ବୟାନରେ ଏହାକୁ ବିପଦଜନକ ବୋଲି କହିଛି। ଏଥିମଧ୍ୟରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂକେତ ଦେଇଛନ୍ତି ଯେ ସେ ପୁଣି ଥରେ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନଙ୍କ ସହିତ ସମ୍ପର୍କ ସ୍ଥାପନା କରିବେ। ସେ ଉତ୍ତର କୋରିଆ ସହିତ କୂଟନୈତିକ ବାର୍ତ୍ତା ଆରମ୍ଭ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଗତ ଆଲୋଚନା ଉତ୍ତରକୋରିଆର ପରମାଣୁ ନିରସ୍ତ୍ରୀକରଣ ଓ ଏହା ଉପରେ ଲାଗୁ ହୋଇଥିବା ଆମେରିକା କଟକଣା ହଟାଇବା ପ୍ରସଙ୍ଗରେ ଅସହମତି କାରଣରୁ ବିଫଳ ହୋଇଥିଲା।
ତେବେ ଏହା ପୂର୍ବରୁ ଆମେରିକା ସେନା ସହ ମିଳିତ ସମରାଭ୍ୟାସରେ ଦକ୍ଷିଣ କୋରିଆ ବାୟୁସେନା ବିମାନ ଉତ୍ତର କୋରିଆ ସୀମାବର୍ତ୍ତି ଦକ୍ଷିଣ କୋରିଆର ଜନବସତୀ ଅଞ୍ଚଳ ଉପରେ ବୋମା ପକାଇ ଦେଇଥିଲା। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ୩୦ ଜଣ ବେସାମରିକ ଲୋକେ ଆହତ ହୋଇଥିଲେ। ତେବେ ଏହା ଭୁଲ କ୍ରମେ ହୋଇଥିବା ଦକ୍ଷିଣ କୋରିଆ ବାୟୁସେନା ସୋମବାର କହିଛି। ପ୍ରଥମେ ପାଇଲଟଙ୍କ ଏହି ତ୍ରୁଟି ଜଣାପଡିନଥିଲା। ତେବେ ସମୟକ୍ରମେ ଏହା ଜଣାପଡିଛି। ଏଥି ପାଇଁ ଦକ୍ଷିଣ କୋରିଆ ବାୟୁସେନା କ୍ଷମାଭିକ୍ଷା କରିଛି।
ଦକ୍ଷିଣ କୋରିଆ ବାୟୁସେନା ଚିଫ୍ ଅଫ ଷ୍ଟାଫ୍ ଜେନେରାଲ ଲି ୟାଙ୍ଗ ସୁ ଏହି ଘଟଣା ଉପରେ କ୍ଷମା ନିବେଦନ କରି ‘ଏହି ଘଟଣା କେବେ ହେବାର ନଥିଲା ଓ ଭବିଷ୍ୟତରେ ଏହାକୁ ଦୋହରାଯିବ ନାହିଁ’ ବୋଲି କହିଛନ୍ତି। ଏହି ଘଟଣା ପରେ ଆମେରିକା ଓ ଦକ୍ଷିଣ କୋରିଆ ନିଜର ସମସ୍ତ ଲାଇଭ ଯୁଦ୍ଧାଭ୍ୟାସ ଅସ୍ଥାୟୀ ରୂପେ ରୋକି ଦେଇଛନ୍ତି।