ଡୋନାଲ୍ଡ ଟ୍ରମ୍ପ କରିଛନ୍ତି ବଡ଼ ଭବିଷ୍ୟବାଣୀ, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | March 10, 2025 IST

ନୂଆଦିଲ୍ଲୀ ୧୦।୩: ବିଶ୍ୱର ବିନାଶ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଆପଣମାନେ ଶୁଣିଥିବେ। ଭେଙ୍ଗାଙ୍କ ଅନୁସାରେ ୨୦୨୫ ବିନାଶର ବର୍ଷ ହେବ। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ଭବିଷ୍ୟବାଣୀ କରିଛନ୍ତି, ଯାହା ଶୁଣିଲେ ଯେ କେହିବି ଡରିଯିବ। ଟ୍ରମ୍ପ କହିଛନ୍ତି ପରମାଣୁ ବୋମା ମାନବତା ନିମନ୍ତେ ବିପଦଜନକ। ଏହା ଏତେ ବିନାଶକାରୀ ହେବ ଯେ ଆପଣ କଳ୍ପନା ବି କରି ନଥିବେ। ଫକ୍ସ ନ୍ୟୁଜର ସଣ୍ଡେ ମର୍ଣ୍ଣିଂ ଫିଚରକୁ ଦେଇଥିବା ସାକ୍ଷାତକାରରେ ସେ ଏହି ଭୟଙ୍କର ଆକଳନ କରିଛନ୍ତି। 

ଟ୍ରମ୍ପ କହିଛନ୍ତି ଯେ ଆମେ ପରମାଣୁ ଅସ୍ତ୍ରଶସ୍ତ୍ରରେ ବିପୁଳ ବ୍ୟୟ କରୁଛେ। ତେବେ ଏହାର ବିନାଶର ସ୍ତର କୌଣସି ମଣିଷର କଳ୍ପନାର ବାହାରେ। ଏହା ସତ୍ତ୍ୱେ ଆମେ ଏଥି ପାଇଁ ପଇସା ଖର୍ଚ୍ଚ କରିବା ବାସ୍ତବିକ ଚିନ୍ତାଜନକ କଥା। ଆମେ ଏପରି ଜିନିଷ ଉପରେ ପଇସା ଖର୍ଚ୍ଚ କରୁଛେ ଯାହା ହୁଏତ ବିଶ୍ୱକୁ ବିନାଶ କରିଦେଇପାରେ। ଟ୍ରମ୍ପ କହିଛନ୍ତି ଯେ ପରମାଣୁ ଅସ୍ତ୍ରଶସ୍ତ୍ରରୁ ଏତେ ବିନାଶ ସୃଷ୍ଟି ହେବ ଯେ ଜଳବାୟୁ ପରିବର୍ତ୍ତନ କାରଣରୁ ହେଉଥିବା ବିନାଶକୁ ବଳେଇ ଯିବ। 

ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି ଯେ ପରମାଣୁ ଆକ୍ରମଣ କେବଳ ଏକ କଳ୍ପନା ନୁହେଁ , ଏହା କେବେବି ହୋଇଯାଇପାରେ, କାଲି ବି ହୋଇପାରେ। ଟ୍ରମ୍ପ କହିଛନ୍ତି ଯେ ମୁଁ ବାଇଡେନଙ୍କୁ ଦୀର୍ଘ ବର୍ଷ ହେଲା ଏହା କହୁଥିବାର ଶୁଣୁଛି ମାନବତାର ଅସ୍ତିତ୍ୱ ପ୍ରତି ଜଳବାୟୁ ପରିବର୍ତ୍ତନ ସବୁଠୁ ବଡ଼ ବିପଦ। ତେବେ ମୁଁ କହୁଛି ଜଳବାୟୁ ପରିବର୍ତ୍ତନ ନୁହେଁ , ସବୁଠୁ ବଡ଼ ବିପଦ ହେଉଛି ବିଭିନ୍ନ ଦେଶ ରଖିଥିବା ପରମାଣୁ ଅସ୍ତ୍ରଶସ୍ତ୍ର। ଏହା ଏପରି ଏକ ବିଶାଳ ରାକ୍ଷାସ ଯାହା ମାଇଲ ମାଇଲ ଦୂରରୁ ଆପଣଙ୍କ ସହରକୁ ମାଟିରେ ମିସାଇ ଦେବ। ଟ୍ରମ୍ପ ଏହା ମଧ୍ୟ ସଂକେତ ଦେଇଛନ୍ତି ଯେ ସେ ବିଶ୍ୱରୁ ପରମାଣୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ହ୍ରାସ କରିବାକୁ ଚାହାନ୍ତି। 

ଗତମାସରେ ଟ୍ରମ୍ପ କହିଥିଲେ ଯେ ସେ ପରମାଣୁ ଅସ୍ତ୍ରଶସ୍ତ୍ର କମ କରିବା ପାଇଁ ଋଷିଆ ଓ ଚୀନ ସହିତ କଥା ହେବାକୁ ଚାହାଁନ୍ତି। ଏହା ପୂର୍ବରୁ ଟ୍ରମ୍ପ ହ୍ୱାଇଟ୍ ହାଉସରେ କହିଥିଲେ ଆମ ପାଖରେ ଏତେ ବିପୁଳ ଅସ୍ତ୍ରଶସ୍ତ୍ର ଅଛି ଯେ ଆମକୁ ନୂଆ ପରମାଣୁ ଅସ୍ତ୍ର ତିଆରିର ଆଉ ଆବଶ୍ୟକତା ନାହିଁ। ଆମ ପାଖରେ ଏତେ ପରମାଣୁ ବୋମା ଅଛି ଯେ ଆମେ ବିଶ୍ୱକୁ ୫୦ଥର କାହିଁକି ୧୦୦ ଥର ବିନାଶ କରିପାରିବୁ। ଏହା ସତ୍ତ୍ୱେ ଆମେ ପରମାଣୁ ବୋମା ତିଆରି କରିବାରେ ଲାଗିଛେ। ଏଥି ପାଇଁ ଆମେ ବିପୁଳ ବ୍ୟୟ କରୁଛେ। ଏ ବାବଦ ଅର୍ଥ ଆମେ ଅନ୍ୟ ବାବଦେ ଖର୍ଚ୍ଚ କରିପାରନ୍ତେ। 

ଆମେରିକା ନିକଟରେ ଏବେ ୫ହଜାର ୧୭୭ଟି ପରମାଣୁ ବୋମା ଅଛି। ଏଥିରୁ ୧,୪୭୭ଟିକୁ ନଷ୍ଟ କରାଯିବ। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ୬୦ ଦଶକ ଶେଷ ଭାଗରେ ଆମେରିକା ନିକଟକେ ୩୧,୨୫୫ଟି ପରମାଣୁ ବୋମା ଥିଲା। ଋଷିଆ ନିକଟରେ ପାଖାପାଖି ୫,୬୦୦ଟି ପରମାଣୁ ବୋମା ଅଛି। ତୃତୀୟ ସ୍ଥାନରେ ରହିଛି ଚୀନ, ଏହା ପାଖରେ ୩୫୦ଟି ପରମାଣୁ ବୋମା ଅଛି। ଚଳିତ ସପ୍ତାହ ପ୍ରାରମ୍ଭରେ ଚୀନ ନିଜର ପ୍ରତିରକ୍ଷା ବଜେଟରେ ୭.୨ ପ୍ରତିଶତ ବୃଦ୍ଧି ଘୋଷଣା କରିଛି। ଏଥିରୁ ଚୀନ ଯେ ପରମାଣୁ ବୋମା ତିଆରି କରୁନଥିବ ତାହା କହି ହେଉ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.