ମିରଟ୍ ହତ୍ୟା ମାମଲା; ମାଆ ହେବାକୁ ଯାଉଛନ୍ତି ମୁସ୍କାନ, ଜାଣନ୍ତୁ ଜେଲ୍‌ରେ ଜନ୍ମ ହେଉଥିବା ପିଲାଙ୍କ ଅଧିକାର ବିଷୟରେ...

Published By : Prameya-News7 Bureau | April 08, 2025 IST

ନୂଆଦିଲ୍ଲୀ୦୮।୦୪; ମିରଟ୍‌ରେ ସୌରଭ ରାଜପୁତ ହତ୍ୟା ମାମଲାରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିବା ଅଭିଯୋଗରେ ଜେଲରେ ଥିବା ମୁସ୍କାନ ମା ହେବାକୁ ଯାଉଛନ୍ତି। ଏନେଇ ସିଏମଓ ଡାକ୍ତର ଅଶୋକ କଟାରିଆ ଏହା ନିଶ୍ଚିତ କରିଛନ୍ତି। ବର୍ତ୍ତମାନ ମୁସ୍କାନଙ୍କ ପ୍ରେଗନେନ୍ସି ରିପୋର୍ଟ ପଜିଟିଭ୍ ଆସିଛି। ସେ କହିଛନ୍ତି ଯେ ଜେଲ ପ୍ରଶାସନଠାରୁ ଚିଠି ପାଇବା ପରେ, ମୁସ୍କାନଙ୍କ ଗର୍ଭଧାରଣ ପରୀକ୍ଷା ପାଇଁ ଏକ ଟିମ୍‌ ପଠାଯାଇଥିଲା, ଯେଉଁଥିରୁ ଜଣାପଡିଥିଲା ଯେ ମୁସ୍କାନ ମା ହେବାକୁ ଯାଉଛନ୍ତି।

କହିବାକୁ ଗଲେ କିଛି ଦିନ ପୂର୍ବରୁ ମୁସ୍କାନ ତାଙ୍କ ପ୍ରେମିକ ସାହିଲ ସହିତ ମିଶି ତାଙ୍କ ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିଲେ। ମୁସ୍କାନ ଏବଂ ସାହିଲ ସୌରଭଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଏକ ନୀଳ ଡ୍ରମରେ ଭର୍ତ୍ତି କରିବା ପରେ ସେଥିରେ ସିମେଣ୍ଟ ଢାଳି ଦେଇଥିଲେ। ଏହି ଭୟଙ୍କର ହତ୍ୟାକାଣ୍ଡ ବହୁତ ଆଲୋଚନାର କାରଣ ପାଲଟିଥିଲା। ମୁସ୍କାନଙ୍କ ଗର୍ଭଧାରଣ ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ଜେଲରେ ଜନ୍ମ ହେବାକୁଥିବା ମୁସ୍କାନଙ୍କ ପିଲା କ’ଣ ଅଧିକାର ପାଇବ? ଭାରତୀୟ ଆଇନ ଅନୁଯାୟୀ ଜେଲରେ ଜନ୍ମ ହୋଇଥିବା ପିଲାକୁ କ’ଣ ଅଧିକାର ଦିଆଯାଇଛି? 

ଭାରତୀୟ ଜେଲରେ ଅନେକ ମହିଳା ଅଛନ୍ତି । ଯେଉଁମାନେ ଗର୍ଭବତୀ ଅଛନ୍ତି କିମ୍ବା ନବଜାତ ଶିଶୁ ସହିତ ବନ୍ଦୀ ଅଛନ୍ତି। ନିୟମ ଅନୁଯାୟୀ, ଏପରି ମହିଳାମାନଙ୍କୁ ଶିଶୁ ଜନ୍ମ ପରେ ଗୋଟିଏ ମାସ ପାଇଁ ଏକ ଅଲଗା ସେଲ୍‌ରେ ରଖାଯାଏ। ଯାହା ଦ୍ଵାରା ଶିଶୁଟି କୌଣସି ପ୍ରକାରର ସଂକ୍ରମଣରେ ପୀଡିତ ନହଉ ଏବଂ ଉପଯୁକ୍ତ ଯତ୍ନ ଦିଆଯାଏ। ଯଦି ଜଣେ ମହିଳା କଏଦୀଙ୍କର ପୂର୍ବରୁ ଏକ ଛୋଟ ପିଲା ଥାଏ, ତେବେ ତାଙ୍କୁ ୬ବର୍ଷ ବୟସ ପର୍ଯ୍ୟନ୍ତ ତାଙ୍କ ମାଆଙ୍କ ସହିତ ଜେଲରେ ରହିବାକୁ ଅନୁମତି ଦିଆଯାଏ। ଏହି ସମୟ ମଧ୍ୟରେ, ଜେଲ ପ୍ରଶାସନ ଧ୍ୟାନ ଦିଏ ଯେ ଜେଲ ପରିବେଶ ପିଲାଙ୍କ ଉପରେ ପ୍ରଭାବ ପକାଇବ ନାହିଁ ଏବଂ ଏଥିପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଏ।

ଭାରତୀୟ ଆଇନ ଅନୁଯାୟୀ, ଜେଲରେ ଜନ୍ମିତ ପିଲାମାନେ ମଧ୍ୟ ଅନ୍ୟ ପିଲାମାନଙ୍କ ପରି ପୂର୍ଣ୍ଣ ଅଧିକାର ପାଆନ୍ତି। ସେମାନେ ଜୀବନ ବଞ୍ଚିବାର, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଭଳି ଅଧିକାର ପାଆନ୍ତି। ଏପରି ପରିସ୍ଥିତିରେ, ଏପରି ପିଲାମାନଙ୍କ ବିକାଶ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ଜେଲ ପ୍ରଶାସନର ଦାୟିତ୍ୱ। ନିୟମ ଅନୁସାରେ, ଯଦି ପିଲାମାନେ ଛୋଟ ଥାନ୍ତି, ତେବେ ସେମାନଙ୍କୁ ସେମାନଙ୍କ ମାଆଙ୍କ ପାଖରେ ରହିବାକୁ ଅନୁମତି ଦିଆଯାଏ। ପିଲାଟି ଟିକେ ବଡ଼ ହେଲେ, ଜେଲ ପ୍ରଶାସନ ତା’ର ଶିକ୍ଷାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରେ, ଏପରିକି ତା’ର ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଏ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.