ପାର୍ବଣରେ ଖାଉଟିଙ୍କୁ ଦରବୃଦ୍ଧି ପ୍ରହାର: ସୋରିଷ ତେଲ ୧୬୦, ହରଡ ଡାଲି ୧୭୦

Published By : Prameya-News7 Bureau | September 25, 2024 IST

ଭୁବନେଶ୍ୱର ୨୫/୦୯: ୧୦ଦିନ ତଳେ ଭୁବନେଶ୍ୱର ସୋରିଷ ତେଲ ଲିଟର ପ୍ରତି ଦର ଥିଲା ୧୪୦ ଟଙ୍କା । ଏବେ ସେହି ତେଲ ଦର ୧୬୦ ଟଙ୍କା । କେବଳ ସୋରିଷ ନୁହେଁ, ରିଫାଇନ୍‌ ତେଲ ଦର ୯୦ରୁ ୧୦୦ରେ ବିକ୍ରି ହେଉଥିବା ବେଳେ ଏବେ ୧୨୦ ଟଙ୍କାରେ ପହଞ୍ଚିଛି । ସୂର୍ଯ୍ୟମୁଖୀ ତେଲ ୧୨୨ ଓ ପାମୋଲିନ୍‌ ତେଲ ୧୦୭ ଟଙ୍କାରେ ବିକ୍ରି ହେଉଛି । କେବଳ ଖାଇବା ତେଲ ନୁହେଁ ଡାଲି ଦର ମଧ୍ୟ ଅନୁରୂପ ଭାବେ ବଢ଼ିଛି । 
ଯେଉଁ ହରଡ଼ ଡାଲି କିଲୋ ପୂର୍ବରୁ ୧୬୦ରୁ ୧୬୫ ଟଙ୍କା ଥିଲା ତାହା ଏବେ ୧୭୦ ଟଙ୍କାରେ ପହଞ୍ଚିଛି । ମୁଗ ଡାଲି ୧୨୦ଟଙ୍କାରୁ ୧୩୦ ଛୁଇଁଛି । ହଠାତ୍‌ ଖାଉଟି ବଜାରରେ ତେଲ ଓ ଡାଲି ଦର ଏକାଥରକେ ଲମ୍ବା ଡିଆଁ ମାରିଛି । ଅପରପକ୍ଷେ, ଖାଇବା ତେଲ ଉପରେ ଆମଦାନୀ ଶୁକ୍ଳ ବଢ଼ିଥିବାରୁ ଦର ବଢ଼ିଥିବା ବିଶେଷଜ୍ଞମାନେ କହିଛନ୍ତି । ଯେଉଁ ବେପାରୀମାନେ ପୁରୁଣା ଦରରେ ସୋରିଷ, ରିଫାଇନ୍‌ ତେଲ ମହଜୁଦ ରଖିଥିଲେ ସେମାନେ ଏବେ ଦର ବଢାଇ ବିକ୍ରି କରୁଛନ୍ତି । 

ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପାର୍ବଣ ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି କେତେ ଦୂର ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଟିଏ ପଟେ ବିଭିନ୍ନ କମ୍ପାନୀ ତେଲ ଦର ବୃଦ୍ଧି ପାଉଥିବା ବେଳେ ଏବେ ଘଣା ତେଲ କିଣିବାକୁ ଭିଡ଼ ଜମୁଛି । ଗତ କିଛିମାସ ହେବ ରାଜ୍ୟରେ ଦରଦାମ୍‌ ତାତି ଲାଗିରହିଛି । 

ପରିବାଠାରୁ ନେଇ ଆଳୁ, ପିଆଜ, ଅଦା, ରସୁଣ, ଚିନି ଦର ଧୀରେ ଧୀରେ ବଢ଼ିଚାଲିଛି । ତିନିମାସ ହେବ ପିଆଜ କେଜି ୪୫ଟଙ୍କାରୁ ୭୦ଟଙ୍କାରେ ପହଞ୍ଚିଲାଣି । ଯାହାକୁ ନେଇ ମଧ୍ୟବିତ୍ତଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଏଭଳି ସ୍ଥିତିରେ ଖାଇବୁ କ’ଣ ବୋଲି ଗ୍ରାହକମାନେ ପ୍ରଶ୍ନ କରିଛନ୍ତି । ସପ୍ତାହେ ତଳେ ପାମୋଲିନ, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ୨୦ ପ୍ରତିଶତ ମୂଳ ଆମଦାନି ଶୁଳ୍କ ଲଗାଯାଇଥିଲା । ଏହାଦ୍ୱାରା ଅଶୋଧିତ ଖାଇବା ତେଲ ଉପରେ ପ୍ରଭାବୀ ଆମଦାନି ଟିକସ ୨୭.୫ ପ୍ରତିଶତକୁ ବଢ଼ିଯାଇଛି । 

ସେଥିପାଇଁ ତେଲ ଦର ବୃଦ୍ଧି ପାଇଛି । ହେଲେ ସରକାର ଏଦିଗରେ ଥରେ ଭାବିବାର ଥିଲା ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ସଚିବ ସୁଧାକର ପଣ୍ଡା କହିଛନ୍ତି । ତେବେ ଏହାର ସୁଯୋଗ ନେଇ କଳାବଜାରୀ ହେଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । ଗ୍ରାହକ ରାଜେନ୍ଦ୍ର ବର୍ମା କହିଛନ୍ତି, ସାଧାରଣ ନିର୍ବାଚନ ପରେ ହଠାତ୍‌ ଏଭଳି ଦର ବୃଦ୍ଧି ହେଉଛି । 

ସରକାର ପ୍ରଥମେ ସାଧାରଣ ଗ୍ରାହକଙ୍କ କଥା ବୁଝିବା ଦରକାର । ଗ୍ରାହକ କିଭଳି ବଞ୍ଚିବେ ସେଥିପାଇଁ ସରକାର ଦର ନିର୍ଦ୍ଧାରଣ କରନ୍ତୁ । ସହିଦନଗରର ଜଣେ ଘଣା ତେଲ ବେପାରୀ ଗିରିଧାରୀ ଦାଶ କହିଛନ୍ତି, ଘଣା ତେଲର ଚାହିଦା ରହିଛି । ବର୍ତ୍ତମାନ ସୋରିଷ ତେଲର ଦର ୨୫୦ ଓ ସୂର୍ଯ୍ୟମୁଖୀ ତେଲର ଦର ୩ଶହ ଟଙ୍କା ଅଛି । ତେଲ ଦର ବଢ଼ିବା ପରଠାରୁ ତାଙ୍କ ଘଣାକୁ ଆସୁଥିବା ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.