ଜମ୍ମୁ-କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଜାରି; ଦିନ ୧ଟା ସୁଦ୍ଧା ୩୭ ପ୍ରତିଶତ ମତଦାନ

Published By : Prameya-News7 Bureau | September 25, 2024 IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଜାରି ରହିବ ଭୋଟିଂ । ଏହି ପର୍ଯ୍ୟାୟରେ ୬ଟି ଜିଲ୍ଲାର ୨୬ଟି ଆସନରେ ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ନିର୍ବାଚନ କମିଶନଙ୍କ ଓ୍ବେବସାଇଟ୍ ଅନୁଯାୟୀ, ଜମ୍ମୁ-କାଶ୍ମୀରରେ ଦିନ ୧ଟା ସୁଦ୍ଧା ୩୭ ପ୍ରତିଶତ ମତଦାନ ହୋଇଛି । ରିଆସି ଜିଲ୍ଲାରେ ସର୍ବାଧିକ ୫୧.୫ ପ୍ରତିଶତ ମତଦାନ ହୋଇଛି । ଏହାକ ପଛକୁ ରହିଛି ପୁଞ୍ଛ ଜିଲ୍ଲା । ଏଠାରେ ଶେଷ ରିପୋର୍ଟ ସୁଦ୍ଧା ୪୯.୫ ପ୍ରତିଶତ ଭୋଟିଂ ହୋଇଛି । ଶ୍ରୀନଗରରେ ୧୭.୯୫ ପ୍ରତିଶତ ମତଦାନ ହୋଇଥିବା ବେଳେ ହବ୍ବାକାଡଲ ଆସନରେ ସବୁଠାରୁ କମ୍ ମାତ୍ର ୧୧ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିଶନ ପ୍ରକାଶ କରିଛନ୍ତି ।  

ଦ୍ବିତୀୟ ପର୍ଯ୍ୟାୟରେ ୨୫ ଲକ୍ଷ ୭୦ ହଜାର ଭୋଟର ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ସ୍ୱଚ୍ଛ  ଓ ନିରପେକ୍ଷ ମତଦାନ ପାଇଁ ୩,୫୦୨ଟି ବୁଥ୍ ପ୍ରତିଷ୍ଠା କରାଯାଇଥିଲା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ  ଗ୍ରହଣ କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା, ଜେକେପିସିସି ଅଧ୍ୟକ୍ଷ ତାରିକ୍ ହାମିଦ୍ କର୍ରା ଏବଂ ବିଜେପିର ଜମ୍ମୁ-କାଶ୍ମୀର ପ୍ରମୁଖ ରବିନ୍ଦ୍ର ରାଇନା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଗତ ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୪ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହୋଇଥିଲା । ଆସନ୍ତା ଅକ୍ଟୋବର ୧ରେ ତୃତୀୟ ପର୍ଯ୍ୟାୟରେ ବାକି ୪୦ ଆସନରେ ମତଦାନ ହେବ । ଅକ୍ଟୋବର ୮  ତାରିଖରେ ରେଜଲ୍ଟ ଆସିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.