ଭାରତୀୟ ଅଞ୍ଚଳକୁ କର୍ଣ୍ଣାଟକ ହାଇକୋର୍ଟ ଜଜ୍ କହିଥିଲେ ‘ପାକିସ୍ତାନ’, ବର୍ଷିଲେ CJI, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | September 25, 2024 IST

ନୂଆଦିଲ୍ଲୀ ୨୫।୯: କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଜଷ୍ଟିସ୍  ଭି. ଶ୍ରୀଶାନନ୍ଦନଙ୍କ ଟିପ୍ପଣୀ ବିରୋଧରେ ସୁପ୍ରିମକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ ୨୫ ସେପ୍ଟେମ୍ବର ବୁଧବାର ବନ୍ଦ କରାଯାଇଛି। ଜଜଙ୍କ ମନ୍ତବ୍ୟର ଭାଇରାଲ ଭିଡିଓ କ୍ଲିପ୍‌ ଉପରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ହାଇକୋର୍ଟ ବିଚାରପତି  ମୁକ୍ତ କୋର୍ଟରେ ନିଜର ମନ୍ତବ୍ୟ ପାଇଁ କ୍ଷମାଭିକ୍ଷା କରିଥିଲେ। ଏଣୁ ସୁପ୍ରିମକୋର୍ଟ ମାମଲାକୁ ଅଧିକ ନ ବଢେଇବା ପାଇଁ  ନିଷ୍ପତ୍ତି ନେଇଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଶ୍ରୀଶାନନନ୍ଦ ଏକ ଘର ମାଲିକ ଓ ଭଡାଟିଆ ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ ବେଙ୍ଗାଲୁରର ଏକ ମୁସଲମାନ ବହୁଳ ଅଞ୍ଚଳକୁ ‘ମିନି ପାକିସ୍ତାନ’ ବୋଲି କହିଥିଲେ। ଏହା ଛଡା ଜନୈକ ମହିଳା ଓକିଲଙ୍କୁ ନେଇ ମଧ୍ୟ ବିବାଦୀୟ ଟିପ୍ପଣୀ କରିଥିଲେ। ବୁଧବାର ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ସତର୍କ କରିଛନ୍ତି ଯେ ଜଜମାନଙ୍କୁ ଏପରି ଟିପ୍ପଣୀରୁ ବର୍ତ୍ତିବା ଦରକାର ଯାହା ମହିଳାଙ୍କ ପ୍ରତି ବିଦ୍ୱେଷ ପୂର୍ଣ୍ଣ ଓ କୌଣସି ସମୂଦାୟ ପ୍ରତି ପୂର୍ବାଗ୍ରହ ପୂର୍ଣ୍ଣ ହୋଇଥିବ। 

ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି (ସିଜେଆଇ)ଡି.ୱାଇ.ଚନ୍ଦ୍ରଚୂଡ଼ ମୌଖିକ ରୂପେ କହିଛନ୍ତି ଯେ ‘ଆପଣ ଭାରତର କୌଣସି ଅଞ୍ଚଳକୁ ପାକିସ୍ତାନ କହି ପାରିବେ ନାହିଁ। ଏହା ଦେଶର ଆଭ୍ୟନ୍ତରୀଣ ଅଖଣ୍ଡତାର ବିପରୀତ। କର୍ଣ୍ଣାଟକ ହାଇକୋର୍ଟ ଜଜ୍ ଙ୍କ ଦ୍ୱାରା ବେଙ୍ଗାଲୁରୁର ଏକ ଖାସ ଅଞ୍ଚଳକୁ ‘ମିନିପାକିସ୍ତାନ’  ବୋଲି ଦେଇଥିବା ମନ୍ତବ୍ୟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି’। ଏହି ମାମଲାର ଶୁଣାଣି ସିଜେଆଇ ଡି.ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ୍ ସଞ୍ଜୀବ ଖନ୍ନା, ଜଷ୍ଟିସ୍ ବି.ଆର.ଗୱଇ, ଜଷ୍ଟିସ୍ ସୁର୍ଯ୍ୟକାନ୍ତ  ଓ ଜଷ୍ଟିସ୍ ଋଷିକେଶ ରାୟଙ୍କ ୫ ସଦସୀୟ ପୀଠ କରୁଥିଲେ। 

କର୍ଣ୍ଣାଟକ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଭି.ଶ୍ରୀଶନନ୍ଦନ ଏକ ଶୁଣାଣି ରେ କରିଥିବା ବିବାଦୀୟ ଟିପ୍ପଣୀ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ମାମଲାରେ ସୁପ୍ରିମକୋର୍ଟ ସ୍ୱତଃ ସଂଜ୍ଞାନ ନେଇଥିଲେ। ତେବେ ସୁପ୍ରିମକୋର୍ଟ ଏ ସମ୍ପର୍କିତ ଭିଡିଓ କ୍ଲିପ ଉପରେ ହସ୍ତକ୍ଷେପ କରିବା ପରେ ବିଚାରପତି ନିଜ ଆଡୁ ଖୋଲା କୋର୍ଟରେ କ୍ଷମାଯାଚନା କରିଥିଲେ। ଏଣୁ ସୁପ୍ରିମକୋର୍ଟ ବିଚାରପତିଙ୍କ କ୍ଷମାନିବେଦନକୁ ଗ୍ରହଣ କରି ମାମଲାକୁ ଆଗକୁ ନ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.