ନାଗପୁର: ମହାରାଷ୍ଟ୍ର ନାଗପୁରରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ କବର ହଟାଇବାକୁ ନେଇ ହିଂସା । ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ପରସ୍ପରକୁ ପଥର ମାଡ଼ କରିଛନ୍ତି ଉଭୟ ପକ୍ଷ । ଘର ଉପରକୁ ମଧ୍ୟ ବୋତଲ ମାଡ଼ କରିଛନ୍ତି ଉପଦ୍ରବକାରୀ । ସଂଘର୍ଷ ଏତେ ଭୟଙ୍କର ହୋଇଥିଲା ଯେ, ରାସ୍ତା ଉପରେ ଥିବା ଗାଡ଼ିଗୁ଼ଡ଼ିକୁ ଭଙ୍ଗାରୁଜା କରିବା ସହିତ ସେଥିରେ ନିଆଁ ଲଗାଇ ଦେଇଛନ୍ତି । ଯାହାଫଳରେ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି । ହିଂସା ନିୟନ୍ତ୍ରଣ ପାଇଁ ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି । ନାଗପୁର ସହର ଅନେକ ସ୍ଥାନରେ ଧାରା ୧୬୩ ଲାଗୁ ହୋଇଛି । ୪୭ରୁ ଅଧିକ ଉପଦ୍ରବୀଙ୍କୁ ପୋଲିସ ଗିରଫ କରିଛି ।
ବିବାଦ କେଉଁଠୁ ଆରମ୍ଭ ହେଲା:
ସୂଚନା ଅନୁଯାୟୀ, ମାର୍ଚ୍ଚ ୧୭ ତାରିଖ ସୋମବାର ଔରଙ୍ଗଜେବଙ୍କ କବରକୁ ନେଇ ବିବାଦ ହୋଇଥିଲା । ବିଶ୍ବ ହିନ୍ଦୁ ପରିଷଦ ନାଗପୁରରେ ଥିବା ସମାଧିକୁ ହଟାଇବାକୁ ଦାବି କରିଥିଲେ । ଏନେଇ ସେମାନେ ଗାନ୍ଧି ଗେଟ୍ ପରିସରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତ ତଳେ ମୋଗଲ ସମ୍ରାଟଙ୍କ କୁଶପିତ୍ତୁଳା ଦାହ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ମାତ୍ର ସଂଧ୍ୟା ହେବା କ୍ଷଣି ଅନ୍ୟଏକ ଗୋଷ୍ଠୀ ନାରାବାଜି ଆରମ୍ଭ କରିଦେଇଥିଲା । ଫଳରେ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ତୀବ୍ର ରୂପ ଧାରଣ କରିଥିଲା । ଅଳ୍ପ ସମୟ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଯାଇଥିଲା । ପଥର ମାଡ଼ ସହ ଘର ଉପରକୁ କାଚ ବୋତଲ ମାଡ଼ କରିଥିଲେ । ରାସ୍ତା ଉପରେ ଥିବା ଗାଡ଼ି ଗୁଡ଼ିକୁ ନିଆଁ ଲଗାଇ ଦେଇଥିଲେ ଉପଦ୍ରବକାରୀ । ତେବେ ବିଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପୋଲିସ ଲାଠିଚାର୍ଜ କରିଥିଲା । ଏହାସହିତ ଲୁହ ବୁହା ଗ୍ୟାସ ମଧ୍ୟ ବ୍ୟବହାର କରିଥିଲା ନାଗପୁର ପୋଲିସ । ଏହି ଗୋଷ୍ଠୀ ସଂଘର୍ଷରେ ଅନେକ ପୋଲିସକର୍ମୀ ଆହତ ହୋଇଛନ୍ତି ।
ନାଗପୁର ସହରରେ କର୍ଫ୍ୟୁ ଜାରି;
ଔରଙ୍ଗଜେବଙ୍କ ସମାଧି ସ୍ଥଳକୁ ନେଇ ଉପୁଜିଥିବା ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ନାଗପୁର ସହରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଜାରି କରିଛି । ନାଗପୁର ପୋଲିସ କମିଶନର ରବିନ୍ଦ୍ର କୁମାର ସିଂଘଲ କହିଛନ୍ତି, ଆଇନ ଶୃଙ୍ଖଳା ସ୍ଥିତି ସୁଧାରିବା ପାଇଁ ନାଗପୁର ସହରର କୋଟଓ୍ବାଲି, ଗଣେଷପଥ, ତହସିଲ, ଲାକଡଗଞ୍ଜ, ପଞ୍ଚୋପଲ୍ଲି, ଶାନ୍ତିନଗର, ସକ୍କରାଦାର, ନନ୍ଦନବନ, ଇମାମଓ୍ବାଡା, ଯଶୋଧରାନଗର ଓ କପିଲନଗର ଆଦି ଅଞ୍ଚଳରେ ଧାରା ୧୬୩ ଲାଗୁ ହୋଇଛି । ଏହି ଘଟଣାରେ ୪୭ ଉପଦ୍ରବକାରୀଙ୍କୁ ପୋଲିସ ଗିରଫ କରିଛି ।
ହିନ୍ଦୁ ସଂଗଠନର ଚେତାବନୀ:
ଔରଙ୍ଗାବାଦ ଜିଲ୍ଲାର ଖୁଲଦାବାଦ ସହରସ୍ଥିତ ଔରଙ୍ଗଜେବଙ୍କ କବରସ୍ଥଳକୁ ହଟାଇବା ପାଇଁ ପ୍ରମୁଖ ହିନ୍ଦୁ ସଙ୍ଗଠନ ରାଜ୍ୟର ସରକାରଙ୍କୁ ଚେତାବନୀ ଦେଇଛନ୍ତି । କବରସ୍ଥଳକୁ ହଟାଇବା ପ୍ରକ୍ରିୟାରେ ବିଳମ୍ବ ହେଲେ ବାବରୀ ମସଜିଦ ଧ୍ୱଂସ ଘଟଣା ପରି କବରସ୍ଥଳକୁ ମଧ୍ୟ ଭଙ୍ଗାଯିବ ବୋଲି ଚେତାବନୀ ଦେଇଛନ୍ତି ହିନ୍ଦୁ ସଙ୍ଗଠନ ।