ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ପ୍ରାୟ ୯ ମାସ ପରେ ପୃଥିବୀକୁ ଫେରୁଛନ୍ତି । ପୃଥିବୀକୁ ଫେରିବା ପାଇଁ ସେ ଆଇଏସ୍ଏସ୍ରୁ ବାହାରି ସାରିଛନ୍ତି । ମଙ୍ଗଳବାର ସକାଳ ୧୦.୩୦ ମିନିଟରେ ସେ ଇଣ୍ଟର୍ନ୍ୟାସନାଲ୍ ସ୍ପେସ୍ ଷ୍ଟେସନରୁ ଉଡାଣ ଭରିଛନ୍ତି । ସ୍ପେସକ୍ରାଫ୍ଟ ସ୍ପେସ୍ଏକ୍ସ ଡ୍ରାଗନ୍ ବୁଧବାର ସକାଳ ୩.୨୭ ମିନିଟ୍ରେ ଲ୍ୟାଣ୍ଡ କରିବ । ସାରା ଦୁନିଆ ସୁନୀତା ୱିଲିୟମ୍ଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାର୍ଥନା କରୁଛି । ମହାକାଶରେ ଅସମାନ୍ୟ ପରିସ୍ଥିତିରେ ଏତେ ସମୟ ରହି ଫେରିବା ପରେ ତାଙ୍କ ଅନୁଭବ ପୂରା ଦୁନିଆ ଜାଣିବାକୁ ଚାହୁଁବ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନୀତାଙ୍କ ପାଇଁ ଏକ ପତ୍ର ଲେଖିଛନ୍ତି । ଏହାସହ ତାଙ୍କୁ ଭାରତ ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି ।
ସୁନୀତା ୱିଲିୟମଙ୍କୁ ଲେଖିଥିବା ଚିଠିରେ ପିଏମ୍ କହିଛନ୍ତି ଯେ ତୁମକୁ ନେଇ ଆମେ ଗର୍ବିତ । ଆପଣଙ୍କ ସଫଳତାରେ ୧.୪ ବିଲିୟନ ଭାରତୀୟ ଗର୍ବ କରନ୍ତି । ପିଏମ୍ ମୋଦୀ ଲେଖିଛନ୍ତି, 'ଆପଣ ଯଦିଓ ପୃଥିବୀଠାରୁ ହଜାର ହଜାର କିଲୋମିଟର ଦୂରରେ ଅଛନ୍ତି, କିନ୍ତୁ ସବୁବେଳେ ଆମ ହୃଦୟର ନିକଟରେ ରହିଛନ୍ତି । ଭାରତର ଲୋକ ଆପଣଙ୍କ ଉନ୍ନତ ସ୍ୱାସ୍ଥ୍ୟ ଓ ମିଶନର ସଫଳତା କାମନା କରୁଛନ୍ତି ।' ଏହାସହ ପିଏମ୍ ମୋଦୀ ସୁନୀତୀଙ୍କୁ ଭାରତ ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି । ସେ କହିଛନ୍ତି ଯେ ପ୍ରତ୍ୟେକ ଭାରତବାସୀ ଚାହୁଁଛନ୍ତି ଯେ ତାଙ୍କର ସଫଳ ଝିଅ ଏଠାକୁ ଆସୁ । ଆପଣଙ୍କୁ ପାଇ ଆମେ ଅତ୍ୟନ୍ତ ଖୁସି ହେବୁ ।
ପିଏମ୍ ମୋଦୀ ମାର୍ଚ୍ଚ ୧ରେ ସୁନୀତା ୱିଲିୟମ୍ସଙ୍କୁ ଏହି ଚିଠି ଲେଖିଥିଲେ । ସେ ଏହି ଚିଠିରେ ସୁନୀତା ୱିଲିୟମ୍ସଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କାମନା କରି ତାଙ୍କୁ ଭାରତର ଝିଅ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ଏହି ଖାସ୍ ଚିଠିକୁ ପ୍ରଖ୍ୟାତ ମହାକାଶଚାରୀ ମାଇକ୍ ମେସିମିନୋଙ୍କ ଜରିଆରେ ସୁନୀତାଙ୍କୁ ପଠାଇଥିଲେ । ଏବେ ଏହି ଚିଠିକୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସେୟାର କରିଛନ୍ତି ।
ସୁନୀତା ୱିଲିୟନ୍ସ ଏକ ଇମେଲରେ କହିଥିଲେ ଯେ ଗତ ୯ ମାସ ଧରି ସେ ଜୋରଦାର ୱାର୍କଆଉଟ୍ କରୁଛନ୍ତି, ଯାହା ତାଙ୍କୁ ଶକ୍ତିଶାଳୀ ଅନୁଭବ କରାଉଛି । ସୁନୀତା ୱିଲିୟମ୍ସ ଓ ବୁଚ୍ ବିଲ୍ମୋରଙ୍କ କ୍ରୁ-୯ ମିଶନ ମାତ୍ର ୮ ଦିନର ଥିଲା । କିନ୍ତୁ ତାଙ୍କର ବୋଇଙ୍ଗ ଷ୍ଟାରଲାଇନ୍ର କ୍ୟାପ୍ସୁଲରେ ବୈଷୟିକ ତ୍ରୁଟି ଦେଖା ଦେଇଥିଲା । ସୁରକ୍ଷା କାରଣରୁ ଷ୍ଟାରଲାଇନରକୁ ଖାଲିରେ ଫେରାଇ ଆଣିଥିଲା ନାସା ।