ପାକିସ୍ତାନକୁ ଭାରତର ଚେତାବନୀ: ତୁରନ୍ତ କବ୍‌ଜା କରିଥିବା ଜାଗା ଛାଡ଼

Published By : Prameya-News7 Bureau | March 18, 2025 IST

indiatoday

ନୂଆଦିଲ୍ଲୀ: ଲେକ୍ସ ଫ୍ରିଡ୍‌ମ୍ୟାନ୍‌ଙ୍କ ପଡକାଷ୍ଟରେ ପାକିସ୍ତାନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟିପ୍ପଣୀକୁ ପାକିସ୍ତାନ ସମାଲୋଚନା କରିବା ପରେ କଡ଼ା ଜବାବ ଦେଇଛି ଭାରତ। ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ପ୍ରତ୍ୟେକ ପ୍ରୟାସକୁ ପାକିସ୍ତାନ ଶତ୍ରୁତା ଏବଂ ବିଶ୍ୱାସଘାତକତାରେ ପରିଣତ କଲା ବୋଲି ମୋଦୀଙ୍କ ଟିପ୍ପଣୀକୁ ପାକିସ୍ତାନ "ବିଭ୍ରାନ୍ତିକର ଏବଂ ଏକପାଖିଆ" ବୋଲି କହିଥିଲା। ଏବେ ଏହାର ଜବାବ ଦେଇଛି ଭାରତ। 

ଏନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି। ସରକାରୀ ବିବୃତ୍ତିରେ, ବୈଦେଶିକ ମନ୍ତ୍ରଣାଳୟ (MEA) ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ପାକିସ୍ତାନ ଏହି ଅଞ୍ଚଳରେ ଶାନ୍ତି ଏବଂ ସୁରକ୍ଷା ପାଇଁ ସବୁଠାରୁ ବଡ଼ ବାଧକ ସାଜୁଛି। ସେହିପରି ଭାରତ ବିରୋଧରେ ପାକିସ୍ତାନ ମିଛ ପ୍ରଚାର କରୁଛି ବୋଲି ସେ କହିଛନ୍ତି। ଏଥିସହିତ ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା ଭାରତର ଅଞ୍ଚଳକୁ ଖାଲି କରୁ ବୋଲି ସେ କହିଛନ୍ତି। 

ପଢନ୍ତୁ-ଦିହୁଲୀ ଗଣହତ୍ୟାର ୪୪ ବର୍ଷ ପରେ ଆସିଲା ରାୟ, ୨୪ ଦଳିତଙ୍କୁ ହତ୍ୟା କରିଥିବା ତିନି ଦୋଷୀଙ୍କୁ ଫାଶୀ ଦଣ୍ଡ

ପାକିସ୍ତାନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଡକାଷ୍ଟର ସମାଲୋଚନା ବିଷୟରେ ଉଲ୍ଲେଖ ନକରି ଜୟସୱାଲ କହିଛନ୍ତି, “ଆମେ ଲକ୍ଷ୍ୟ କରୁଛୁ ଯେ ପାକିସ୍ତାନ ପୁଣି ଥରେ ଭାରତୀୟ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଏବଂ କାଶ୍ମୀର ବିଷୟରେ କିଛି ମନ୍ତବ୍ୟ ଦେଇଛି। ବିଶ୍ୱ ଜାଣେ ଯେ ପ୍ରକୃତ ପ୍ରସଙ୍ଗ ହେଉଛି ପାକିସ୍ତାନର ସୀମାପାର ଆତଙ୍କବାଦର ସକ୍ରିୟ ପ୍ରୋତ୍ସାହନ ଏବଂ ପୃଷ୍ଠପୋଷକତା। ପ୍ରକୃତରେ, ଏହା ଏହି ଅଞ୍ଚଳରେ ଶାନ୍ତି ଏବଂ ସୁରକ୍ଷା ପାଇଁ ସବୁଠାରୁ ବଡ଼ ପ୍ରତିବନ୍ଧକ। ମିଛ ପ୍ରଚାର କରିବା ପରିବର୍ତ୍ତେ, ପାକିସ୍ତାନ ଏହାର ଅବୈଧ ଏବଂ ଜବରଦଖଲ ଅଧୀନରେ ଥିବା ଭାରତୀୟ ଅଞ୍ଚଳକୁ ଖାଲି କରିବା ଉଚିତ।"

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନଙ୍କ ଇଣ୍ଟରଭ୍ୟୁ ଦେବା ସମୟରେ ଇସଲାମାବାଦ ସହିତ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସରକାର ଅନେକ ପ୍ରୟାସ କରିଥିବା କଥା କହିଥିଲେ। ଶପଥଗ୍ରହଣ ଉତ୍ସବରେ ପାକିସ୍ତାନକୁ ନିମନ୍ତ୍ରଣ କରିବା, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଯିବା ଆଦି ଉଦ୍ୟମ କଥା କହିଥିଲେ। ହେଲେ ସବୁ ଉଦ୍ୟମରେ କେବଳ ବିଶ୍ୱାସଘାତକତା ଓ ଶତ୍ରୁତା ମିଳିଲା ବୋଲି ମୋଦୀ କହିଥିଲେ। 

ଏହାର ଜବାବ ଦେଇ ପାକିସ୍ତାନ ମୋଦୀଙ୍କ ବୟାନ ମିଛି ଓ ସମ୍ପୂର୍ଣ୍ଣ ଏକପାଖିଆ ବୋଲି କହିଥିଲା। ଏଥିସହିତ ଭାରତ ପାକିସ୍ତାନ ମାଟିରେ ଅଶାନ୍ତି ସୃଷ୍ଟି କରିବା ଏବଂ ଜମ୍ମୁ ଓ କାଶ୍ମୀରରେ ରାଷ୍ଟ୍ର-ଅନୁମୋଦିତ ଦମନ ଚଳାଇବାରେ ସାମିଲ ଅଛି ବୋଲି ଅଭିଯୋଗ କରିଥିଲା। କେବଳ ସେତିକି ନୁହେଁ ଭାରତ ଟାର୍ଗେଟ୍ କିଲିଂ କରୁଛି ବୋଲି ମଧ୍ୟ ପାକିସ୍ତାନ ମିଛ ଅଭିଯୋଗ କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.