ଏନ୍‌ସିପିରୁ ୩ ନେତା ବରଖାସ୍ତ; ୯ ବିଧାୟକ ଓ ୨ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଚାଲିଛି ପ୍ରସ୍ତୁତି

Published By : Prameya-News7 Bureau | July 03, 2023 IST

ନୂଆଦିଲ୍ଲୀ: ବିଦ୍ରୋହୀ ଏନ୍‌ସିପି ନେତା ଅଜିତ ପାୱାରଙ୍କ ଶପଥ ସମାରୋହରେ ଯୋଗ ଦେଇଥିବା ୩ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଏନ୍‌ସିପି। ବିଶୃଙ୍ଖଳିତ ଆଚରଣ କାରଣ ଦର୍ଶାଇ ୩ ଜଣଙ୍କୁ ଦଳରୁ ବରଖାସ୍ତ କରାଯାଇଛି। ବରଖାସ୍ତ ହୋଇଥିବା ନେତା ହେଲେ ବିଜୟ ଦେଶମୁଖ(ଅକୋଲା ସିଟି ଜିଲ୍ଲାଧ୍ୟକ୍ଷ),ନରେନ୍ଦ୍ର ରାଣେ(ମୁମ୍ବାଇ ଡିଭିଜନର କାର୍ଯ୍ୟକାରୀ ସଭାପତି) ଓ ଏନ୍‌ସିପି ଆଞ୍ଚଳିକ ସାଧାରଣ ସମ୍ପାଦକ ଶିବାଜୀ ରାଓ ଗାର୍ଜେ।

ରବିବାର ଅଜିତ ପାୱାର ଏନ୍‌ସିପିରେ ବିଦ୍ରୋହ କରି ଏକନାଥ ସିନ୍ଦେଙ୍କ ସରକାରରେ ଯୋଗ ଦେଇଥିଲେ। ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲା। ଏହି ଶପଥ ଗ୍ରହଣ ଉତ୍ସବରେ ଉପରୋକ୍ତ ନେତାମାନେ ଯୋଗ ଦେଇଥିଲେ। ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରେ ଦଳ କହିଛି “ଏହି ନେତାମାନଙ୍କର କାର୍ଯ୍ୟ ଦଳର ନୀତି ଓ ଅନୁଶାସନ ବିରୋଧୀ ଥିଲା। ଏଥିପାଇଁ ସେମାନେ ସେମାନଙ୍କ ପଦରୁ ତୁରନ୍ତ ବରଖାସ୍ତ କରାଯାଇଛି।”   

ପଢ଼ନ୍ତୁ-‘ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବେ ଅଜିତ୍ ପାଓ୍ବାର’; ସିନ୍ଦେଙ୍କ ଭବିଷ୍ୟତକୁ ନେଇ ସଞ୍ଜୟଙ୍କ ବିସ୍ଫୋରକ ବୟାନ 

ଅଧିକନ୍ତୁ ଦଳର ରାଜ୍ୟ ଶୃଙ୍ଖଳା କମିଟି ୯ ଜଣ ବିଧାୟକଙ୍କ ଅଯୋଗ୍ୟ ଘୋଷଣା କରିବାକୁ ପ୍ରସ୍ତାବ ପାରିତ କରିଛି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ଅଭିଯୋଗରେ ଏମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ପ୍ରସ୍ତୁତି ଚଳାଇଛି। ଏନ୍‌ସିପି ରାଜ୍ୟ ଶୃଙ୍ଖଳା କମିଟି ଏକ ଚିଠି ଜାରି କରି କହିଛି “ ଦଳ ଅଧ୍ୟକ୍ଷକଙ୍କ ଅଜାଣତରେ ଦଳ ବଦଳ ଏତେ ଗୁପ୍ତ ପ୍ରକ୍ରିୟାରେ ହେଇଛି ଯେ ଏହା ପାର୍ଟି ଛାଡ଼ିବା ସହ ସମାନ। ଯାହା ଅଯୋଗ୍ୟ ଘୋଷଣା କରିବାକୁ ବାଧ୍ୟ କରିଛି।”

ସେହିପରି ଏନ୍‌ସିପି କାର୍ଯ୍ୟକାରୀ ଅଧ୍ୟକ୍ଷା ସୁପ୍ରିୟା ସୁଲେ ଦଳର ଦୁଇ ବିଦ୍ରୋହୀ ନେତା ସୁନୀଲ ଟାଟ୍‌କରେ ଓ ପ୍ରଫୁଲ ପଟେଲଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବାକୁ ଦଳର ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଅଭିଯୋଗ କରିଛନ୍ତି। ଏମାନେ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି। ତେଣୁ ସମ୍ବିଧାନ ନିୟମ ଅନୁସାରେ ଏମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ସୁଲେ ଏନ୍‌ସିପି ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି। ଏନେଇ ସେ ଟ୍ୱିଟ୍ କରି ସୂଚନା ମଧ୍ୟ ଦେଇଛନ୍ତି।

ପଢ଼ନ୍ତୁ-ଅଜିତ ପଓ୍ବାରଙ୍କ ବିଦ୍ରୋହକୁ ନେଇ ଶରଦ ପଓ୍ବାରଙ୍କ ବଡ଼ ବୟାନ, କହିଲେ- ସମୟ ଆସିବ ସମସ୍ତେ ମୋ ସହ ଥିବେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.