ଭୟ ବଢାଇଲା FLiRT ଭାରିଆଣ୍ଟ, ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ

Published By : Prameya-News7 Bureau | May 21, 2024 IST

ନୂଆଦିଲ୍ଲୀ ୨୧/୦୫: ପୁଣି ମୁଣ୍ଡ କେଟିବାକୁ ଯାଉଛି କୋଭିଡ୍-19 ବା କରୋନା । ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ଏକ ମାସ ମଧ୍ୟରେ ଭାରତ, ସିଙ୍ଗାପୁର ଏବଂ ଆମେରିକା ସମେତ ଅନେକ ଦେଶରେ ସଂକ୍ରମଣ ମାମଲାରେ ବଡ଼ ଧରଣର ବୃଦ୍ଧି ଘଟିଛି। ରିପୋର୍ଟରୁ ଜଣାପଡେ କରୋନାର ନୂଆ ଭାରିଆଣ୍ଟ FLiRT ବେଶି ଚିନ୍ତା ବଢାଇଲାଣି । 

ଏହି ସଂକ୍ରମଣ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ, ୧୧ ମେ ଶେଷ ସପ୍ତାହରେ ସିଙ୍ଗାପୁରର ୨୫ ହଜାରରୁ ଅଧିକ ଲୋକଙ୍କଠାରେ ସଂକ୍ରମଣ ଚିହ୍ନଟ ହୋଇଛି । ପୂର୍ବ ସପ୍ତାହରେ ୧୩ ହଜାରରୁ ଅଧିକ ମାମଲା ନଜରକୁ ଆସିଥିଲା । 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତରେ ମଧ୍ୟ କରୋନା ମାମଲା ବୃଦ୍ଧି ପାଇଛି । ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜୁରାଟ, ରାଜସ୍ଥାନ, ଓଡିଶା ସମେତ ଅନେକ ରାଜ୍ୟରେ ନୂତନ ପ୍ରକାର କାରଣରୁ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି । ନୂତନ କରୋନା ଭାରିଆଣ୍ଟ FLiRT (KP.2) ହେଉଛି ଓମିକ୍ରନର ଏକ ସବ୍ ଭାରିଆଣ୍ଟ, ଯାହା ବିଷୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସମସ୍ତ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି । 

ସତର୍କତାମୂଳକ ପଦକ୍ଷେପ ଭାବରେ ମାସ୍କ ପିନ୍ଧିବାକୁ ସିଙ୍ଗାପୁର ସରକାର ମଧ୍ୟ ନିବେଦନ କରିଛନ୍ତି । ଏଭଳି ପରିସ୍ଥିତିରେ ପୁଣି ଥରେ ଲକ୍ଡାଉନ୍ ପରି ପରିସ୍ଥିତି ସୃଷ୍ଟି ହେଉଛି କି ବୋଲି ପ୍ରଶ୍ନ ଉଠିଛି ? ସିଙ୍ଗାପୁରରେ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆସନ୍ତା ମାସରେ ସଂକ୍ରମଣ ଶିଖରରେ ପହଞ୍ଚିବାର ସମ୍ଭାବନା ପ୍ରକାଶ ପାଇଛି । 

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ କରୋନାର ନୂତନ ଲହର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । ଯେଉଁଠାରେ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି, ଏହାକୁ ବର୍ତ୍ତମାନଠାରୁ ନିୟନ୍ତ୍ରଣ କରିବା ଆବଶ୍ୟକ। 'FLiRT' ପ୍ରକାରର ନୂତନ ସେଟ୍ ବର୍ତ୍ତମାନ ଦେଶରେ ଦୁଇ-ତୃତୀୟାଂଶରୁ ଅଧିକ ମାମଲା ଅଟେ । ସିଙ୍ଗାପୁର ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.