ପୁଣି କରୋନା ଆତଙ୍କ, ସିଙ୍ଗାପୁରରେ ମାତ୍ର ୭ ଦିନରେ ୨୫,୯୦୦ ମାମଲା, ସରକାର କହିଲେ ମାସ୍କ ଜରୁରି

Published By : Prameya-News7 Bureau | May 19, 2024 IST

ସିଙ୍ଗାପୁର ୧୯।୫: କରୋନା ପୁଣି ଫେରିଲା ସିଙ୍ଗାପୁର। ଏଠାରେ ୫ରୁ ୧୧ ମେ ମଧ୍ୟରେ ୨୫,୯୦୦ ରୁ ଅଧିକ କରୋନା ମାମଲା ରେକର୍ଡ ହୋଇଛି। ଦେଶରେ ବଢୁଥିବା କରୋନା ପ୍ରକୋପକୁ ଦେଖି ସ୍ୱାସ୍ଥ୍ୟମନ୍ତ୍ରୀ ଓଙ୍ଗ ଏ କୁଙ୍ଗ ଲୋକଙ୍କୁ ପୁଣି ଥରେ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଏବେ କରୋନାର ପ୍ରାରମ୍ଭିକ ଲହରରେ ଅଛେ। ଏଣୁ କୋଭିଡ ମାମଲା ଲଗାତର ବଢିବାରେ ଲାଗିଛି। ଏଥିରୁ ଅନୁମାନ କରାଯାଉଛି ଆଗାମୀ ୨ରୁ ୪ ସପ୍ତାହରେ କରୋନା ଚରମ ସୀମାରେ ପହଞ୍ଚିବ। 

ସିଙ୍ଗାପୁରରେ କରୋନା ଆକ୍ରାନ୍ତଙ୍କ ହସ୍ପିଟାଲ ଆଡମିସନ ଲଗାତାର ବଢିବାରେ ଲାଗିଛି। ସପ୍ତାହ ପୂର୍ବ ପର୍ଯ୍ୟନ୍ତ ହସ୍ପିଟାଲମାନଙ୍କରେ ଦୈନିକ  ୧୮୧ ଜଣ ରୋଗୀ ଭର୍ତ୍ତି ହେଉଥିଲେ। ଏବେ ଏହା ବଢି ୨୫୦କୁ ପହଞ୍ଚିଛି। ତେବେ ଆଇସିୟୁରେ ରୋଗୀଙ୍କ ଭର୍ତ୍ତି ହେବା ଏବେବି କମ ରହିଛି। ଗତ ସପ୍ତାହରେ ୨ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ଚଳିତ ସପ୍ତାହରେ ଜଣକୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ବେଡ ସଂଖ୍ୟା ବଢାଇବାକୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି। 

ଦେଶରେ ବ୍ୟାପୁଥିବା କରୋନା ଭାରିଆଣ୍ଟକୁ ଆମେରିକାର ସେଣ୍ଟରର ଫର ଡିଜିଜ କଣ୍ଟ୍ରୋଲ (ସିଡିସି) ‘ଫ୍ଲିର୍ଟ’ ନାମକରଣ କରିଛନ୍ତି। ଏହି ଭାରିଆଣ୍ଟ ମାମଲା କେବଳ ସିଙ୍ଗାପୁର ନୁହେଁ ଆମେରିକାରେ ମଧ୍ୟ ତୀବ୍ର ବଢିବା ଆରମ୍ଭ କରିଛି। ଆମେରିକା ସିଡିସି  ଅନୁସାରେ ୧୪ରୁ ୨୭ ଏପ୍ରିଲ ପର୍ଯ୍ୟନ୍ତ କେପି-୨ ସବ୍ ଭାରିଆଣ୍ଟ ପାଖପାଖି ୨୫ ପ୍ରତିଶତ ସଂକ୍ରମଣର କାରଣ ପାଲଟିଥିଲା। କରୋନାର ଜେଏନ.୧ ଓ ଏହାର ସବଭାରିଆଣ୍ଟ ମୁଖ୍ୟତଃ ସଂକ୍ରମଣ ହେଉଛି। ଯେଉଁଥିରେ କେପି.୧ ଓ କେପି.୨ରହିଛି। ବର୍ତ୍ତମାନ ସିଙ୍ଗାପୁରରେ ଦୁଇ ତୃତୀୟାଂଶ ଲୋକେ କେପି.୧ ଓ କେପି.୨ରେ ସଂକ୍ରମିତ ହୋଇଛନ୍ତି। 

ଅଧ୍ୟୟନକର୍ତ୍ତାଙ୍କ ଅନୁସାରେ କରୋନାର ଏହି ଭାରିଆଣ୍ଟ ଓମିକ୍ରନ ଭଳି, ଯାହା ଲୋକଙ୍କଠାରେ ତୀବ୍ର ସଂକ୍ରମଣ ହେଉଛି। ଏହା ଛଡା ଏହି ଭାରିଆଣ୍ଟ ଭାକ୍ସିନ ଯୋଗୁ ଦେହରେ ସୃଷ୍ଟି ହୋଇଥିବା ପ୍ରତିଶେଧକ କ୍ଷମତାକୁ ମଧ୍ୟ ଚକମା ଦେଉଛି। ଆମେରିକାସ୍ଥିତ ୟେଲ ସ୍କୁଲ ଅଫ ପବ୍ଲିକ୍‌ ହେଲଥ୍ ଡିନ୍ ମେଗନ ଏଲ.ରୈନୀ ଏକ ରିପୋର୍ଟରେ କହିଛନ୍ତି ଯେ ‘ଫ୍ଲିର୍ଟ’ରେ କିଛି ଚିନ୍ତାଜନକ ବିଶେଷତା ଦେଖାଯାଇଛି। ଏହାର ସ୍ପାଇକ୍ ପ୍ରୋଟିନରେ ଏପରି ପରିବର୍ତ୍ତନ ହୋଇଛି ଯାହା ସହଜରେ ମଣିଷ ଶରୀରରେ ପ୍ରବେଶ କରିବା ସହ ସଂକ୍ରମଣ ବୃଦ୍ଧି କରୁଛି।  

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ‘ଫ୍ଲିର୍ଟ’ ମାମଲା ରିପୋର୍ଟ ହେଲାଣି। ଏପର୍ଯ୍ୟନ୍ତ ଭାରତରେ ୨୫୦ ମାମଲା ରେକର୍ଡ ହୋଇଥିବା ବେଳେ ଏହା କେପି.୧ ଓ କେପି.୨ଯୋଗୁ ବୋଲି ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.