ଭୁବନେଶ୍ୱର ୦୨।୦୧ : ଓଡିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିଛନ୍ତି ନୂଆ ରାଜ୍ୟପାଳ ।ବିମାନବନ୍ଦରରେ ନୂତନ ରାଜ୍ୟପାଳଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
କିଛି ଦିନ ତଳେ ଓଡିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ରଘୁବର ଦାସ । ଏହାପରେ ରାଷ୍ଟ୍ରପତି ଡ. କେ ହରି ବାବୁ ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ । ତେବେ ଗୁରୁବାର ଦିନ ଭୁବନେଶ୍ୱର ପହଞ୍ଚିବା ପରେ ବିଶ୍ରାମ ନେବେ । ଏହାପରେ ଶୁକ୍ରବାର ଦିନ ସକାଳେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସେଠାରୁ ଫେରିବା ପରେ ରାଜଭବନରେ ଓଡିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ କେ. ହରିବାବୁ ।
ସୂଚନାଯୋଗ୍ୟ ଯେ, ୨୦୧୪ ଲୋକସଭା ନିର୍ବାଚନରେ ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ କେ.ହରିବାବୁ । ଭାରତୀୟ ଜନତା ପାର୍ଟିରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ସେ ଆନ୍ଧ୍ର ପ୍ରଦେଶ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମଧ୍ୟ ଥିଲେ । ହରି ବାବୁଙ୍କୁ ୨୦୨୧ ଜୁଲାଇ ୬ରେ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତି କରିଥିଲେ ରାଷ୍ଟ୍ରପତି । ଏବେ ମିଜୋରାମର ରାଜ୍ୟପାଳ ଅଛନ୍ତି କେ. ହରିବାବୁ। ୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ହରି ବାବୁ ଭାରତୀୟ ଜନତା ପାର୍ଟିର ଆନ୍ଧ୍ର ପ୍ରଦେଶ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଥିଲେ। ପୁଣି ୧୯୯୩ରୁ ୨୦୦୩ ମଧ୍ୟରେ ଆନ୍ଧ୍ର ପ୍ରଦେଶର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ। ୧୯୯୯ରେ ହରି ବାବୁ ବିଶାଖାପାଟନମ୍ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୨୦୦୩ରେ ଆନ୍ଧ୍ରପ୍ରଦେଶ ବିଜେପିର ବିଧାନସଭାର ନେତା ଭାବେ ଦଳ ଦାୟିତ୍ଵ ଦେଇଥିଲା । ୨୦୧୪ ମାର୍ଚ୍ଚରେ ସେ ବିଜେପିର ରାଜ୍ୟ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ।