ନୂଆଦିଲ୍ଲୀ: ଦୁନିଆର ବିଭିନ୍ନ ଦେଶରେ ରହୁଥିବା ନାଗରିକଙ୍କ ବିଷୟରେ ଅନେକ ପ୍ରକାରର ତାଲିକା ଆସୁଛି। ଶ୍ରେଷ୍ଠ ସୁଖୀ ଦେଶ ତାଲିକା, ଧନୀ ଦେଶ ତାଲିକା, ଗରିବ ଦେଶ ତାଲିକା ଏମିତି ଅନେକ। ସେହିପରି ରାଗି ଦେଶକୁ ନେଇ ପ୍ରକାଶ ପାଇଛି ତାଲିକା। ଏହି ତାଲିକା ଗାଲଅପ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଦୁନିଆର ରାଗି ଦେଶ ତାଲିକାରେ ଟପ୍-୫ରେ କିଏ ରହିଛି, ଆସନ୍ତୁ ଜାଣିବା।
2024 ଗ୍ଲୋବାଲ୍ ଇମୋସନ୍ ରିପୋର୍ଟ ଅନୁଯାୟୀ, ଲେବାନନ ଲୋକ ସବୁଠୁ ରାଗି। ଦୁନିଆର ରାଗୀ ଦେଶ ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଲେବାନନ୍। ଲେବାନନ ଜନସଂଖ୍ୟାର ପ୍ରାୟ 49% ଲୋକ ରାଗୁଥିବା ଜଣାଯାଇଛି। ଏହି ଆକଳନ ଦେଶରେ ଚାଲିଥିବା ରାଜନୈତିକ, ଅର୍ଥନୈତିକ ଏବଂ ସାମାଜିକ ସଙ୍କଟର ଗମ୍ଭୀରତାକୁ ଦର୍ଶାଉଛି।
ବର୍ତ୍ତମାନ, ଲେବାନନ୍ ଇସ୍ରାଏଲ୍ ସହିତ ଚାଲିଥିବା ଯୁଦ୍ଧରେ ଜଡିତ ଅଛି, ଯେଉଁ କାରଣରୁ ସେଠାକାର ଲୋକମାନେ ନିରାଶ ଓ ଦୁଃଖରେ ବିତାଉଛନ୍ତି ଜୀବନ। ଏହି ସମୟ ମଧ୍ୟରେ ଇସ୍ରାଏଲର ଆକ୍ରମଣରେ ପ୍ରାୟ ୩ ହଜାର ଲୋକ ପ୍ରାଣ ହରାଇଛନ୍ତି, ଯେଉଁ କାରଣରୁ ଦେଶର ବିପର୍ଯ୍ୟସ୍ତ ଆର୍ଥିକ ପରିସ୍ଥିତି ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ସାମ୍ପ୍ରଦାୟିକ ବିଭାଜନ ଏବଂ ଦ୍ୱନ୍ଦ୍ୱ ସମାଜକୁ ଅଧିକ ଅସ୍ଥିର କରିଦେଇଥିବା ରିପୋର୍ଟରେ କୁହାଯାଇଛି।
ଲେବାନନରେ ଲୋକଙ୍କ ମଧ୍ୟରେ କ୍ରୋଧ ଜାଗ୍ରତ ହେବାର ଆଉ ଏକ ବଡ କାରଣ ହେଉଛି ହେଜବୁଲାର ପ୍ରଭାବ। ଏହାର ସାମରିକ ଏବଂ ରାଜନୈତିକ ଶକ୍ତି ଶାସନ ବ୍ୟବସ୍ଥାକୁ ଦୁର୍ବଳ କରିଦେଇଥିଲା| ଇସ୍ରାଏଲ ସହିତ ବୃଦ୍ଧି ପାଉଥିବା ଲେବାନୀୟ ଲୋକଙ୍କ ମଧ୍ୟରେ ଅସୁରକ୍ଷିତତା ବୃଦ୍ଧି ପାଇଲା।ଏକଦା ମଧ୍ୟପ୍ରାଚ୍ୟରର ସ୍ୱିଜରଲ୍ୟାଣ୍ଡ କୁହାଯାଉଥିବା ଲେବାନନ୍ ବର୍ତ୍ତମାନ ରାଜନୈତିକ ଏବଂ ଅର୍ଥନୈତିକ ଅସ୍ଥିରତାର ପ୍ରତୀକ ପାଲଟିଛି।
ଲେବାନନ୍ ବ୍ୟତୀତ ତୁର୍କୀ ୪୮ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଗତ ବର୍ଷ ହୋଇଥିବା ଭୂକମ୍ପ ଏବଂ ଆର୍ଥିକ ସଙ୍କଟ ବର୍ତ୍ତମାନ ପର୍ଯ୍ୟନ୍ତ ପୁନରୁଦ୍ଧାର ହୋଇପାରି ନାହିଁ। ତୃତୀୟ ସ୍ଥାନରେ ରହିଛି ଆର୍ମେନିଆ। ନାଗର୍ଣ୍ଣୋ-କରାବାକ୍ ବିବାଦ ଏବଂ ସାମ୍ପ୍ରତିକ ସମୟରେ ଆଞ୍ଚଳିକ ଅସ୍ଥିରତା ଯୋଗୁଁ ଆର୍ଥିକ ସଙ୍କଟ ଦେଖାଦେଇଛି। ଏହା ବ୍ୟତୀତ ଇରାକ, ଆଫଗାନିସ୍ତାନ, ଜୋର୍ଡାନ, ମାଲି ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ତେବେ ଏହି ତାଲିକାରେ ଭାରତ କେଉଁ ନମ୍ବରରେ ଅଛି ସେ ସମ୍ବନ୍ଧରେ ସୂଚନା ଉପଲବ୍ଧ ନାହିଁ।