୨୦୨୫ ଆରମ୍ଭରେ ଭାରତ ଆସିବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ସ୍ପଷ୍ଟ କଲା କ୍ରେମଲିନ

Published By : Prameya-News7 Bureau | December 02, 2024 IST

amarujala

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ବର୍ଷ ଆରମ୍ଭରେ ଭାରତ ଗସ୍ତରେ ଆସିବେ। କିନ୍ତୁ ପୁଟିନଙ୍କ ଗସ୍ତକୁ ନେଇ ତାରିଖ ସ୍ଥିର ହୋଇ ନାହିଁ। ରୁଷ ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଭାରତ ଆସୁଛନ୍ତି। ରୁଷ ଦୂତାବାସ ପକ୍ଷରୁ ସୋମବାର ଏହାର ସୂଚନା ଦିଆଯାଇଛି। 

କ୍ରେମଲିନର ମୁଖପାତ୍ର ୟୁରି ଉଶାକୋଭ ଗଣମାଧ୍ୟମ ସହ ଆଲୋଚନା  ବେଳେ କହିଛନ୍ତି ଯେ, ଦୁଇ ଦେଶର ନେତାଙ୍କ ମଧ୍ୟରେ ବର୍ଷରେ ଥରୁଟିଏ   ବୈଠକ କରିବା ନେଇ ଚୁକ୍ତିନାମା ହୋଇଛି। ଏଥର ଭାରତ ଗସ୍ତ କରିବାର ଆମର ପାଳି ପଡ଼ିଛି। ଆମକୁ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ମିଳିଛି ଏବଂ ଏହା ଉପରେ କ୍ରେମଲିନ ଗୁରୁତର ସହ ବିଚାର କରୁଛି। ଆସନ୍ତା ବର୍ଷ ଆରମ୍ଭରେ ପୁଟିନଙ୍କ ଭାରତ ଗସ୍ତ ନେଇ ଶୀଘ୍ର ତାରିଖ ସ୍ଥିର ହେବ।

ରୁଷ ଓ ୟୁକ୍ରେନ ମଧ୍ୟରେ ଲଢେଇ ଆରମ୍ଭ ହେବାପରେ ଏହା ଭ୍ଲାଦିମିର ପୁଟିନଙ୍କ ପ୍ରଥମ  ଭାରତ ଗସ୍ତ ହେବ। ଏହି କାରଣରୁ ପୁଟିନଙ୍କ ଏହି ଗସ୍ତ ବେଶ ମହତ୍ଵ ବହନ କରୁଛି, ବିଶେଷ କରି ଭାରତ ରୁଷ-ୟୁକ୍ରେନ ଯୁଦ୍ଧ ରୋକିବା ପାଇଁ ଅପିଲ୍ କରି ଆସିଛି। ରୁଷ ଓ ଭାରତର ସର୍ବୋଚ୍ଚ ନେତା ପ୍ରତି ବର୍ଷ ପରସ୍ପର ଦେଶକୁ ଗସ୍ତ କରିବା ନେଇ ଚୁକ୍ତିନାମା ହୋଇଛି। ଏହି ଆଧାରରେ ପୁଟିନ ଭାରତ ଗସ୍ତରେ ଆସୁଛନ୍ତି। ଚଳିତ ବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ଗସ୍ତ କରିଥିଲେ। ଉଲ୍ଲେଖନୀୟ ଆସନ୍ତାବର୍ଷ କ୍ଵାଡ ସମ୍ମିଳନୀରେ ଯୋଗ ଦେବା ପାଇଁ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି। 

ଦୁଇ ସପ୍ତାହ ପୂର୍ବେ  ମଧ୍ୟ କ୍ରେମଲିନର ପ୍ରେସ୍ ସଚିବ ଦିମତ୍ରୀ ପେସକୋଭ ପୁଟିନଙ୍କ ଭାରତ ଗସ୍ତର ସୂଚନା ଦେଇଥିଲେ।ପେସକୋଭ  କହିଛନ୍ତି, ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଥର ରୁଷ ଗସ୍ତ କରିଥିଲେ। ଏବେ ରାଷ୍ଟ୍ରପତି ପୁଟିନଙ୍କ ଭାରତଗସ୍ତ ନେଇ ଶୀଘ୍ର ତାରିଖ ସ୍ଥିର କରାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.