ଭୁବନେଶ୍ୱର, ୧୫/୦୨: ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅଫିସରେ କୌଣସି କର୍ମଚାରୀ ଏଣିକି ଗୁଟ୍ଖା କିମ୍ବା ପାନ ଖାଇବେନି । ଯେଉଁମାନେ ବାହାରୁ ଆସୁଛନ୍ତି ସେମାନେ ଭିତରେ ଗୁଟ୍ଖା ଖାଇବେନି କିମ୍ବା ଏଣେତେଣେ ପ୍ୟାକେଟ, ଛେପ ପକାଇବେନି । କାର୍ଯ୍ୟାଳୟରେ ପ୍ଲାଷ୍ଟିକ୍ ବୋତଲ ବଦଳରେ କାଚ ଗ୍ଲାସରେ ସମସ୍ତେ ପାଣି ପିଇବେ ।
ବିଏମସି କାର୍ଯ୍ୟାଳୟକୁ ବର୍ଜ୍ୟମୁକ୍ତ (ଜିରୋୱେଷ୍ଟ) କରିବା ଲକ୍ଷ୍ୟରେ ଶୁକ୍ରବାର ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି କର୍ତ୍ତୃପକ୍ଷ । ଜିରୋୱେଷ୍ଟ ଅଭ୍ୟାସ ପାଇଁ ଶୁକ୍ରବାରଠାରୁ ଆରମ୍ଭ ହାଇଛି ପ୍ରକ୍ରିୟା । ବିଏମ୍ସି ମୁଖ୍ୟାଳୟକୁ ବର୍ଜ୍ୟମୁକ୍ତ କରିବା ପାଇଁ ପ୍ରଥମେ ପଦକ୍ଷେପ ନିଆଯିବ । ମୁଖ୍ୟତଃ ୫ଟି ଅଭ୍ୟାସ କରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗୁଟଖା ଖାଇବା ମନା ଓ କାଚ ଗ୍ଲାସ ବ୍ୟବହାର ପରେ କପଡ଼ା ବ୍ୟାଗ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି ।
ଏଠାରେ କେହି ଖାଦ୍ୟ ନଷ୍ଟ କରିବେ ନାହିଁ । ଯଥା ସମ୍ଭବ କମ୍ କାଗଜ ବ୍ୟବହାର କରିବେ । ବିଏମ୍ସି କାର୍ଯ୍ୟାଳୟର କୌଣସି ଉପବିଭାଗରେ ଯେପରି ପେପର କିମ୍ବା ଅନ୍ୟାନ୍ୟ ଅଦରକାରୀ ଜିନିଷ ନ ପଡେ, ସେଥିପ୍ରତି ଦୃଷ୍ଟି ଦିଆଯିବ । ଏଥିପାଇଁ ଜିରୋ ୱେଷ୍ଟ ଅଡିଟ କରାଯିବ । ନିୟମିତ ବ୍ୟବଧାନରେ ଗୋଟିଏ ଗୋଟିଏ ଉପ-ବିଭାଗର ତିନିଜଣିଆ ଟିମ୍ ବୁଲି ଅନୁଧ୍ୟାନ କରିବେ । କୌଣସି କର୍ମଚାରୀ ଘରେ, ବାହାରେ କିମ୍ବା ଅଫିସରେ ନିଷିଦ୍ଧ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଅଫିସରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କାଗଜ କପ୍, ପ୍ଲେଟ, ଆଦି ଏଣେତେଣେ ନ ରଖି ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବା ପାଇଁ କୁହାଯାଇଛି । ଏନେଇ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି, ପ୍ରଥମେ ଆମେ ନିଜକୁ ସୁଧାରିବା, ତା ପରେ ଅନ୍ୟକୁ କହିବା । ଏ ଅଭ୍ୟାସକୁ ପ୍ରଥମେ ଆମେ କାର୍ଯ୍ୟକାରୀ କରିବା ପରେ ଅନ୍ୟାନ୍ୟ କାର୍ଯ୍ୟାଳୟରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କରାଯିବ ବୋଲି ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ କହିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ରତ୍ନାକର ସାହୁ, ସସ୍ମିତା ସାହୁ, ମୁଖ୍ୟ ବିତ୍ତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ନାୟକ, ଜୋନାଲ କମିଶନର କୈଳାସ ଚନ୍ଦ୍ର ଦାସ, ସହକାରୀ କମିଶନର ଏନ୍. ଗଣେଶ ବାବୁ ପ୍ରମୁଖ ଥିଲେ । ଏହି ଅବସରରେ କାର୍ଯ୍ୟାଳୟରେ କିପରି ଜିରୋ ୱେଷ୍ଟ ରକ୍ଷା କରାଯାଇ ପାରିବ, ସେ ସଂପର୍କରେ ପୁଣେସ୍ଥିତ ଆସେରା ସୋସିଆଲ ଫାଉଣ୍ଡେସନ ପକ୍ଷରୁ ଅର୍ଚ୍ଚନା ମୋରେ ଏକ ବୃତ୍ତଚିତ୍ର ଉପସ୍ଥାପନା କରିଥିଲେ ।